Stay tuned to my blog - " ଏ ମୁହୂର୍ତ୍ତ ଆଉ କେତେ ଦୂର " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ଅନୁଭବର ଦିବ୍ୟଛୁଆଁରେ ତଲ୍ଲୀନ ମହାମନୀଷୀଗଣ ଏକ ଅନାବିଷ୍କୃତ ଦିଗନ୍ତରେ ମାନବ ସମାଜର ହିତ ସାଧନ ପାଇଁ ଯେଉଁ ନୂତନ ତତ୍ଵକୁ ଲୋକ ଲୋଚନକୁ ଆଣନ୍ତି, ତାହା ହିଁ ସମ୍ଭବତଃ ସେମାନଙ୍କର ଏକ ସ୍ଵତନ୍ତ୍ର ପରିଚୟ ।  ଏକ ଅନାଗତ ଭବିଷ୍ୟତ ଆଡ଼କୁ ନିରନ୍ତର ହସ୍ତ ପ୍ରସାରଣ କରି ଏଭଳି ବ୍ୟକ୍ତିଗଣ ଅସୀମ ଅନ୍ତରୀକ୍ଷରୁ‌ ସଫଳତାର ପାରିଜାତକୁ ନିର୍ବିଘ୍ନରେ ତୋଳି ଆଣିପାରନ୍ତି ସେମାନଙ୍କର ସାଧନା ବଳରେ। ଏଭଳି ଦିବ୍ୟାତ୍ମାଙ୍କର ଉପଲବ୍ଧତା ଇତିହାସ ବକ୍ଷରେ ବିରଳ ନୁହଁ । ତେବେ ଏଥିପାଇଁ ଆବଶ୍ୟକ ଅସୀମ ଧୈର୍ଯ୍ୟ ଓ ନିଷ୍ଠା ।  କାରଣ ନିଷ୍ଠାବାନ ବ୍ୟକ୍ତିଙ୍କ ମଧ୍ୟରେ କର୍ମ ସମ୍ପାଦନ ପାଇଁ ଇଚ୍ଛାଶକ୍ତି ଅହର୍ନିଶି ଜ୍ୟାମିତିକ ଗତିରେ ବୃଦ୍ଧି ପାଏ ଓ ତା’ ମଧ୍ୟରୁ ସ୍ୱତଃସ୍ପୃତଭାବେ ନୂତନ ଉପାୟ ଉତ୍ପନ୍ନ  ହୁଏ କର୍ମ ସମ୍ପାଦନ ପାଇଁ। ଏକ ସୁରକ୍ଷିତ ବଳୟ ମଧ୍ୟରେ ଥରଟିଏ କର୍ମରଥ ଗଡ଼ିବାକୁ ଆରମ୍ଭ କଲେ ଏହା ଆଉ ପଛକୁ ଫେରେନା ବରଂ ଆଗରେ ପ୍ରଲମ୍ବିତ ଯୋଜନ ଯୋଜନ ପଥକୁ ଅତିକ୍ରମ କରି ସଫଳତାର ମାଇଲ ଖୁଣ୍ଟ ଆସିବା ପର୍ଯ୍ୟନ୍ତ ନିରନ୍ତର ଗଡ଼ିଚାଲେ। ତେବେ ଏହି ଯାତ୍ରାପଥରେ ଶ୍ରଦ୍ଧା ହିଁ ସାରଥୀ ଭୂମିକାରେ ଅବତୀର୍ଣ୍ଣ ହୋଇ କୃଷ୍ଣଙ୍କ ଭଳି ସକାରାତ୍ମକ ଉପଦେଶାବଳି ମାଧ୍ୟମରେ ଅଭିଷ୍ଟ ସାଧନ ପର୍ଯ୍ୟନ୍ତ ସାଥିରେ ରହିଥାଏ। ଏହି କର୍ତ୍ତବ୍ୟ ସମ୍ପାଦନର ମହାପର୍ବ ସମାପ୍ତି ହେବା ପରେ ଏକ ଉପଯୁକ୍ତ ଉତ୍ତରାଧିକାରୀକୁ ପରବର୍ତ୍ତୀ ଦାୟିତ୍ୱକୁ ଅର୍ପଣ କରି ଅନ୍ୟ ଏକ ପରିବେଶରେ ସମୟ ଉପଯୋଗୀ ହୋଇ ରଥଚକ ପ୍ରଗତି ପଥରେ ଗତିଶୀଳ ହୁଏ। ତେଣୁ ଆସନ୍ତୁ  ସମୟ ଅନୁଯାୟୀ ଯେଉଁ କର୍ମରଥ ଏ ବିଶ୍ଵପୃଷ୍ଠରେ ପିଢ଼ିରୁ ପିଢ଼ିକୁ ହସ୍ତାନ୍ତରୀତ ହୋଇ ଗତିଶୀଳ ହୁଏ, ତାକୁ ଆମେ ଆଲୋକ ସନ୍ଧାନୀ ଅନୁଚରଗଣ ସେ କର୍ମରଥକୁ ତ୍ଵରନ୍ଵୀତ କରାଇବା ପାଇଁ ହାତରେ ହାତକୁ ଛନ୍ଦି ଛାତିରେ ଛାତିକୁ ମିଶାଇ ଏକତ୍ଵ ଭାବକୁ ପ୍ରତିଷ୍ଠା  କରିବା । କାରଣ ଅନେକ ମଧ୍ୟରେ ଐକ୍ୟକୁ ପ୍ରତିଷ୍ଠା ନ କରି ପାରିଲେ ଏ ବିଶ୍ୱ ରସାତଳଗାମୀ ହୋଇ ଧ୍ଵଂସର ଆହବକୁ ଆହ୍ୱାନ କରି ଆଣିବ ।  ତେଣୁ , ସେ ବିଷମୟ ମୁହୂର୍ତ୍ତକୁ ଆସିବାକୁ ଦେବାନି ଆମେ ।

Comments