ଉପଲବ୍ଧିର ପାଟଚାଙ୍ଗୁଡ଼ିରେ ଅଜସ୍ର ସାଉଣ୍ଟା ଅନୁଭୂତିକୁ ଭର୍ତ୍ତି କରି ଦେୟମୁକ୍ତ ଭାବେ ବିତରି ଚାଲିଥିବା ହିତୈଷୀ ଆତ୍ମାଗଣ ବୟସର ଅପରାହ୍ନରେ ବି କ୍ଲାନ୍ତିକୁ ଅନୁଭବ
କରନ୍ତି ନାହିଁ। ବିତରଣର ପ୍ରତିଟି ପର୍ଯ୍ୟାୟ ଏଭଳି ଆତ୍ମାଗଣଙ୍କ ପାଇଁ ଏକ ନୂତନ ସ୍ପର୍ଶ ଓ
ଉତ୍ସାହ ଆଣିଦିଏ ଏବଂ ସେମାନଙ୍କୁ ଆହ୍ଲାଦିତ କରିଥାଏ । ଜୀବନର ଅନ୍ୟ ନାମ ପରିବର୍ତ୍ତନ ବୋଲି
ସେମାନେ ସମ୍ଭବତଃ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରିସାରିବା ପରେ ବୋଧହୁଏ ବିତରଣ ଜନିତ
କ୍ଲାନ୍ତି ଏଭଳି ଦିବ୍ୟାତ୍ମାଗଣଙ୍କ ନିକଟରୁ ବାଟଭାଙ୍ଗି ଚାଲିଯାଇଛି। ଚିନ୍ତା ମାନବକୁ ସମସ୍ୟା ବିଜଡ଼ିତ
କରେ ; ତେଣୁ ତ ଏଭଳି ଆତ୍ମାଗଣ ଆତ୍ମମନ୍ଥନରୁ ସେମାନଙ୍କର ଦିବ୍ୟାନୁଭୂତିକୁ ସଂଗ୍ରହ କରି ତା’ ମାଧ୍ୟମରେ ମାନବ
ସମାଜକୁ ସମସ୍ୟା ମୁକ୍ତ କରିବା ପାଇଁ ସମାଧାନର ସୂତ୍ରାବଳୀକୁ ସନ୍ଧାନ କରି ଆଣନ୍ତି ସେମାନଙ୍କର
ଉପଲବ୍ଧିଭରା ପାଟଚାଙ୍ଗୁଡ଼ିରୁ। ବଞ୍ଚିବା ଏକ ସତ୍ୟ ଏଠି। ଏବଂ ଏ ବଞ୍ଚିବା ମଧ୍ୟରେ ଅନ୍ୟ ପାଇଁ
ବଞ୍ଚିବା ମଣିଷକୁ ଅଧିକ ସଶକ୍ତ ଓ ସୁରଭିତ କରେ । ତା’ ମଧ୍ୟରେ ଭରିଦିଏ ଅଜସ୍ର ଉଦ୍ଦୀପନା ଏବଂ ଆହ୍ୱାନ। କାରଣ
ନିଜ ପାଇଁ ବଞ୍ଚିବା ମଣିଷମାନେ ନିଜ ପରେ ଏ ବିଶ୍ୱ ପୃଷ୍ଠରୁ ନିଜ ଠିକଣାକୁ ହଜେଇ ଦିଅନ୍ତି । କିନ୍ତୁ
ଅନ୍ୟ ପାଇଁ ବଞ୍ଚିଥିବା ମଣିଷଟିଏ ନିଜ ପରେ ବି ଅନ୍ୟ ହୃଦୟରେ ବଞ୍ଚି ରହେ ନୀରବଚ୍ଛିନ୍ନ ଭାବେ।
ତେଣୁ ତ ଏଭଳି ଆତ୍ମାଗଣ ଆଗାମୀ କାଲିର ପ୍ରତିଟି ସମ୍ଭାବନାକୁ ନିଜର କରି ଅନୁଶୀଳନ କରନ୍ତି ଏବଂ
ଅଙ୍କୁରିତ କରି ନିଜ ପାଟଚାଙ୍ଗୁଡ଼ିରେ ଥୋଇ ମୁଣ୍ଡରେ ବୋହି ବିତରି ଚାଲନ୍ତି କ୍ଲାନ୍ତିକୁ ଭୁଲି। କାଳେ ସେମାନଙ୍କର ଏ
ବିତରଣ ବିଶ୍ଵପୃଷ୍ଠରେ ପରିବର୍ତ୍ତନର ଧାରାକୁ ସହଜ ଓ ସୁଲଭ କରିଦେବ । ତେଣୁ ତ, ସେମାନେ ଆଶାବାଦୀ ଆଉ ଏକ ପରିବର୍ତ୍ତନଶୀଳ ବିଶ୍ଵ ପାଇଁ। ସେମାନଙ୍କର ପ୍ରତୀକ୍ଷାର ଅନ୍ତ ନାହିଁ ଏଠି । ତେଣୁ
ଆସନ୍ତୁ, ସେମାନଙ୍କର ସେ ପ୍ରତିକ୍ଷାକୁ ସସ୍ନାନ ଜଣାଇବା ହୃଦୟ ଭରି । ସେମାନଙ୍କର ଅନୁଭୂତି, ଦିବ୍ୟାନୁଭବ ଏ ମହିମଣ୍ଡଳକୁ ଏକ ନୂତନ ଆଭାରେ ଦୀପ୍ତିମନ୍ତ କରିବ ନିଶ୍ଚୟ। କାରଣ
ଅନୁଭୁତିର ମୂଲ୍ୟାଙ୍କନ ଆଜି ନ ହେଲେ କାଲି ଏ ବିଶ୍ୱ ପୃଷ୍ଠରେ ଉତ୍ତର ପିଢିଙ୍କ ଦ୍ଵାରା ନିଶ୍ଚୟ କରାଯିବ। ନୂତନ ପିଢି ସେ ଅନୁଭୂତିରୁ କାଣିଚାଏ ଗ୍ରହଣ କରି ପାରିଲେ ବି ବିଶ୍ଵ ପୃଷ୍ଠର ପ୍ରତି ଅଂଶରେ ଏହାର ପ୍ରଭାବ ଅନୁଭୂତ ହେବ। ତା’ ହେଲେ ଆଉ ବିଳମ୍ବ
କାହିଁକି ସେ ଦିବ୍ୟାନୁଭୂତିକୁ ସାଉଣ୍ଟିବା ପାଇଁ।
Comments
Post a Comment