Stay tuned to my blog - ନେତାଜୀ ଜୟନ୍ତୀ ଅବସରରେ ଅନ୍ତର୍ଦାହ ପୃଷ୍ଠାରୁ । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।
ଏକ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵକୁ ନିର୍ମାଣ କରିବା କ୍ଷେତ୍ରରେ ଉତ୍କଳ ଭୂଖଣ୍ଡର ଭୂମିକା ଯେତିକି ଗୁରୁତ୍ଵପୂର୍ଣ୍ଣ , ଉକ୍ତ ବ୍ୟକ୍ତିତ୍ଵକୁ ସମୟର ଆବର୍ତ୍ତନ ଓ ବିବର୍ତ୍ତନ ଗତିରେ ଆନ୍ତର୍ଜାତିକ ସ୍ତରରେ ଉପସ୍ଥାପିତ କରିବା କ୍ଷେତ୍ରରେ ଉତ୍କଳ ଭୂଖଣ୍ଡର ଭୂମିକା ସେତିକି ଗୁରୁତ୍ୱପୂର୍ଣ୍ଣ । ସେହି ବ୍ୟକ୍ତିତ୍ଵ ଥିଲେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ବିଂଶ ଶତାବ୍ଦୀର ସୂର୍ଯ୍ୟ ସୁଭାଷ ଚନ୍ଦ୍ର ବୋଷ । ଇତିହାସର ପୃଷ୍ଠା ଭିତରେ ଚିର ଜାଜ୍ଜ୍ଵଲ୍ୟମାନ ସୁଭାଷ ଚନ୍ଦ୍ର ବୋଷ ଅଯାଚିତ ଭାବରେ ସବୁରି ପ୍ରାଣରେ ଦେଶପ୍ରେମର ଯେଉଁ ଦିବ୍ୟାଞ୍ଜନକୁ ଲେପନ କରିଥିଲେ ତାହା ହିଁ ସମ୍ଭବତଃ ତାଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ସ୍ଵାଭିମାନୀ ସୁଭାଷ ଚନ୍ଦ୍ର ବୋଷ ରକ୍ତ ବଦଳରେ ଭାରତୀୟମାନଙ୍କୁ ସ୍ଵାଧୀନତା ପ୍ରଦାନ କରିବାପାଇଁ ଉଦ୍ଘୋଷଣ କରିଥିଲେ “ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି” । ସେ’ ଜାତୀୟ ପ୍ରେମର ଅଗ୍ନିଶିଖାରେ ବାରମ୍ବାର ନିଜକୁ ବିଶୁଦ୍ଧ କରି ପ୍ରମାଣିତ କରିଥିଲେ ଯେ ସାଧନା ପଥରେ କିଛି ବି ଅସମ୍ଭବ ନୁହଁ । କର୍ତ୍ତବ୍ୟ ପରାୟଣତାର କଷଟି ପଥରରେ ଭାରତୀୟମାନେ ତାଙ୍କର ମୂଲ୍ୟାଙ୍କନ କରି ତାଙ୍କରି ଆଦର୍ଶରେ ଆଜି ଅନୁପ୍ରାଣିତ । ତେଣୁ ତ କୁହାଯାଏ, ସୁଭାଷ ଚନ୍ଦ୍ର ବୋଷ ସମଗ୍ର ବିଶ୍ଵର ନିଷ୍ପ୍ରାଣ ହୃଦୟରେ ସ୍ପନ୍ଦନ ସୃଷ୍ଟି କରିଥିଲେ ଏବଂ ବିଶ୍ଵବାସୀଙ୍କୁ ନୂତନ ରଙ୍ଗ ଓ ନୂତନ ଅନୁଭୂତି ବିତରଣ କରିଥିଲେ । ତାଙ୍କର ଉଗ୍ରବାଦତା ମଧ୍ୟରେ ଥିଲା ସକାରାତ୍ମକ ଭାବନାର ମୃଦୁ ହିଲ୍ଲୋଳ ।ତେଣୁ ଆସନ୍ତୁ , ଏକ ଗ୍ରାମ୍ୟ ବାଳିକାର ସରଳ ସ୍ଵପ୍ନୋତ୍ସଳା ଆନ୍ତରିକତାକୁ ନେଇ ତାଙ୍କରି ଆଦର୍ଶକୁ ଅନୁସରଣ କରି ଚାଲିଥିବା ଏକ ଉତ୍ସାହଭରା ନୂତନ ସକାଳ ଆସିବା ପର୍ଯ୍ୟନ୍ତ, ଯେଉଁ ସକାଳ କି ଆମ ମଧ୍ୟରେ ନିରନ୍ତର ସଞ୍ଚାର କରି ଚାଲିଥିବ ନୂତନ ଉଦ୍ଦୀପନା ଓ ଜାତୀୟ ଚେତନାକୁ । ଉକ୍ତ ଉଦ୍ଦୀପନା ଓ ଚେତନା ଆମ ଜୀବନରେ ଜାତି ପ୍ରୀତିର ବଂଶୀସ୍ଵନକୁ ଭରିଦେବ ଏବଂ ସେ ବଂଶୀସ୍ଵନର ସପ୍ତନାଦରେ ଏ ବିଶ୍ଵ ପୃଷ୍ଠରେ ସଞ୍ଚରିଯିବ ସକାରାତ୍ମକ ପ୍ରବାହ । ଶିଆଳି ଲତାର ପତ୍ର ଆଢୁଆଳରେ ସେ ନାଦ ହଜିଯିବା ପର୍ଯ୍ୟନ୍ତ ଆମେ ସେ ସପ୍ତସ୍ଵରର ଦିବ୍ୟନାଦରେ ଆହ୍ଲାଦିତ ହେଉଥିବା ନିଶ୍ଚୟ । ତାହା ହିଁ ହେବ ସେ ଦିବ୍ୟାତ୍ମାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।

Comments
Post a Comment