Stay tuned to my blog - " ଆତ୍ମ-ଜାଗୃତି" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ସ୍ମୃତି ବିଜଡ଼ିତ ବିଗତ ଦିନର ଗତାୟୁ ମୁହୂର୍ତ୍ତମାନଙ୍କୁ ନେଇ ସଂଘର୍ଷ ଓ ସାଲିସର ଅଙ୍କା ବଙ୍କା ପଥଧାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଯେଉଁ ପୃଷ୍ଠ ଭୂମି ସ୍ୱତଃ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇଥାଏ, ତାହା ଜଣେ ଅନୁଭବି ହିଁ ହୃଦୟଙ୍ଗମ କରିପାରେ। ଉତ୍ଥାନ-ପତନ  ବିଜଡ଼ିତ ଜୀବନ ଯାତ୍ରାରେ ଏକ ନିର୍ଦ୍ଦିଷ୍ଟ ଗତାୟୁ ମୁହୂର୍ତ୍ତକୁ ନେଇ ବ୍ୟକ୍ତିକୁ ପରଖି ନେଲେ ହୁଏ ତ ସେ ପରୀକ୍ଷଣ ତ୍ରୁଟି ଶୁନ୍ୟ ନହୋଇପାରେ। କାରଣ ଇତିହାସର ଚତୁଃପାର୍ଶ୍ଵରେ  ପ୍ରଲମ୍ବିତ ପୃଷ୍ଠଭୂମି ଅଜସ୍ର ଜୟ-ପରାଜୟର କାହାଣୀ ମାଳାରେ ରୁଦ୍ଧିମନ୍ତ ।"ଆଜି ଯିଏ ଅମିର କାଲି ସିଏ ଫକିର " ନୀତିର ଅବଲମ୍ବନରେ ଇତିହାସର ପୃଷ୍ଠଭୂମି ରୁଦ୍ଧିମନ୍ତ। ଅଜସ୍ର ଅଶ୍ରୁଭରା ମହନୀୟ ଜୀବନର ନିଃସ୍ୱାର୍ଥ ଆତ୍ମାହୁତି ଅକ୍ଷରର ପିରାମିଡ୍ ମଧ୍ୟରେ ଆଜି ବି ବନ୍ଧନରୁ ମୁକ୍ତିର ପ୍ରତୀକ୍ଷାରେ। ତେବେ ସେମାନଙ୍କୁ ଅନୁକୂଳ ପରିବେଶୀୟ ପ୍ରାଚୁର୍ଯ୍ୟ ମଧ୍ୟରେ ଅଙ୍କୁରିତ କରି ପାରିଲେ ହିଁ ବ୍ୟକ୍ତିତ୍ଵ ନିର୍ମାଣ ଓ ଚିହ୍ନଟ ପ୍ରକ୍ରିୟାରେ ଏକ ବୈପ୍ଲବିକ ସ୍ଥିତିରେ ଉପନୀତ ହେବ ନିଶ୍ଚୟ । ତେଣୁ ଆସନ୍ତୁ, ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରଖିବା ବେଳେ ସମୟ ସୁଅର ଦୁଇଟି ଦିଗନ୍ତ ପ୍ରତି ଯତ୍ନଶୀଳ ହେବା । କାରଣ ସମୟ ଅତି ବଳବାନ ଏଠି । ସମୟ ସହ ତାଳ ଦେଇ ଜୀବନର ଅଙ୍କା ବଙ୍କା ପଥକୁ ଅତିକ୍ରମ ନ କରି ପାରିଲେ ଜୀବନର ପୃଷ୍ଠଭୂମିରେ ବୈପ୍ଲବିକ ପରିବର୍ତ୍ତନ ଅସମ୍ଭବ ମନେହୁଏ। ଭାଗ୍ୟବାଦୀ ହୋଇ କର୍ମ ସମ୍ପାଦନ ନ କରି ସମୟକୁ ଦୋଷାରୋପ କଲେ ଜୀବନ ଦୁର୍ବିସହ  ହୋଇ ଅସହାୟତାରେ ଭରିଯାଏ ସିନା, ଜୀବନ-ପଥରୁ କରୁଣ ରାଗିଣୀର ଅନ୍ତ ହୁଏନାହିଁ। ତେବେ ମୁକ୍ତିର ପଥକୁ ସନ୍ଧାନ କରି ଚାଲିଥିବା ପ୍ରତିଟି ଉଦ୍ୟୋଗୀ ଆତ୍ମା ସମୟ ବୁକୁରେ ପୁରୁଷାର୍ଥକୁ ପ୍ରମାଣିତ କରିବାକୁ ହେଲେ ପରିବର୍ତ୍ତିତ ସମୟଧାରା ସହ ନିଜକୁ ସାମିଲ କରି ଅଗ୍ରସର ହେବାକୁ ହେବ ଏବଂ ନିଜକୁ ଜୟ କରି ଜିତେନ୍ଦ୍ରିୟ ଭଳି କଠୋର ହେବାକୁ ହେବ, ନଚେତ୍ ସଫଳତା ଆମ ହାତ ପା’ନ୍ତାରେ ଥାଇ ବି ଦୁର୍ଲଭ ମନେହେବ। ତେଣୁ ଆତ୍ମ-ଜାଗୃତି ହିଁ ଏହାର ପ୍ରକୃତ ସମାଧାନ।  ତେଣୁ ତ ମୋ ଲେଖନୀରୁ ଝରିଆସେ -

ପ୍ରତି ପ୍ରଭାତରେ ଶରୀର ଜାଗଇ,

ହେଲେ,

ଆତ୍ମାର ନିଦ ଜମା ନ ଭାଙ୍ଗଇ।

ଜାଗ୍ରତ ଯେବେ ଆତ୍ମା ହୁଅଇ,

ସମାଧାନ ପଥ ସ୍ଵତଃ ମିଳଇ ।

Comments