Stay tuned to my blog - ' ଅସ୍ତ ରବିର ଏଲିଜି ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 
ଅସ୍ତଗାମୀ ସୂର୍ଯ୍ୟର ଲାଲିମାରେ ବି ବିଶ୍ଵ ନିର୍ମାଣର ବୀଜ ଅବଗୁମ୍ପିତ ହୋଇ ସମାଜକୁ ଆହ୍ୱାନ ଦେଇ ଚାଲିଛି ନିରନ୍ତର । କାରଣ ଅସ୍ତଗାମୀ ସୂର୍ଯ୍ୟର ଏଲିଜିରୁ ହିଁ ତ ଆଗାମୀ ସକାଳର ସୂର୍ଯ୍ୟୋଦୟ ପାଇଁ ପ୍ରେରଣା ଉତ୍ପନ୍ନ ହୁଏ। ତେଣୁ ତ କୁହାଯାଏ, ପ୍ରତିଟି ଧ୍ଵଂସ ହିଁ ନିର୍ମାଣର ବାହକ ଏଠି। ପୁରାତନତାର ସମାଧି ଉପରେ ନୂତନତା ସର୍ବଦା ଆଗାମୀ ପିଢ଼ିକୁ ସ୍ଵାଗତ କରିଥାଏ ବୋଲି ତ ବିଶ୍ୱରେ ଉଭୟଙ୍କ ଗୁରୁତ୍ଵ ପ୍ରତିପାଦନ ହୁଏ । ପ୍ରତିଟି ଅସ୍ତଗାମୀ ସୂର୍ଯ୍ୟ ତା’ ଅନ୍ତିମ ଲାଲିମାକୁ ପୃଥିବୀ ଉପରେ ଛାଡ଼ିଯିବାବେଳେ ସିନ୍ଦୂରାର ଲାଲିମାକୁ ଆଗୁଆ ନିମନ୍ତ୍ରଣ ଦେଇ କହେ ସେ ଛାଡ଼ି ଯାଇଥିବା ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବାକୁ। ସାୟାହ୍ନରେ ସୂର୍ଯ୍ୟ ଛାଡ଼ିଯାଇଥିବା ଅମାନିଶା ମଧ୍ୟରେ ଅତୀତ ଅନୁଭୂତିର ଯେଉଁ ଅଫୁରନ୍ତ ଶକ୍ତି ନିହିତ ଥାଏ ତାହା ହିଁ ସମ୍ଭବତଃ ବିଶ୍ୱପୃଷ୍ଠରେ ନୂତନ ଉନ୍ମାଦନାର ରୂପ ନେଇ ଆଉ ଏକ ପ୍ରାଣସ୍ପର୍ଶି ସକାଳକୁ ଜନ୍ମଦିଏ । ଆଉ ଏ ପ୍ରକ୍ରିୟା ନିରନ୍ତର ଜାରି ନ ରହିଲେ ସର୍ବତ୍ର ଅନ୍ଧକାର ବ୍ୟାପିଯାଏ। ତେଣୁ ଆସନ୍ତୁ, ପ୍ରତିଟି ସୂର୍ଯ୍ୟାସ୍ତକୁ ନିଜର କରି ଅତୀତ ପ୍ରତି ଗଭୀର ଶ୍ରଦ୍ଧା-ସୁମନ ଅର୍ପଣ କରି ଚାଲିଥିବା ଏବଂ ବର୍ତ୍ତମାନ ଓ ଭବିଷ୍ୟତ ସହ ନିବିଡ଼ ଭାବରେ ସାମିଲ ହେବା । ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ଏକ ସଂଯୋଗ ସେତୁ ସାଜି ପ୍ରତିଟି ମୁହୂର୍ତ୍ତକୁ ସମ୍ମାନ ଦେବା। ଆମ ସଚେତନ ଭାବ ହିଁ ଏ ଦିଗରେ ଆମକୁ ତ୍ୱରାନ୍ୱିତ କରିବ। ବିଶ୍ୱ ବକ୍ଷରେ ପ୍ରତି ମୁହୂର୍ତ୍ତରେ ଭିନ୍ନ ଭିନ୍ନ ପରିବେଶରେ ଜନ୍ମ ଲାଭ କରୁଥିବା ପ୍ରତିଟି ପ୍ରାଣୀ ଓ ଉଦ୍ଭିଦକୁ ବଞ୍ଚିବାର ଅଧିକାର ଦେବା। କାରଣ ମାଆର ପଣତ ସମସ୍ତଙ୍କ ପାଇଁ  ଆପେ ଆପେ ବିଛେଇ ହୋଇଯାଏ। ବର୍ତ୍ତମାନର ସଂଗ୍ରାମ ପୃଷ୍ଠଭୂମିରେ ସ୍ଥିତପ୍ରଜ୍ଞ ଭାବେ ନିଜକୁ ସ୍ଥିର ରଖିପାରୁଥିବା ବ୍ୟକ୍ତିଟିଏ ହିଁ ଭବିଷ୍ୟତ ପାଇଁ ପ୍ରେରଣା ପାଇଥାଏ ଆଉ ଏହି ପ୍ରେରଣା ସଚେତନତାର ମନ୍ତ୍ରରେ ଅଭିମନ୍ତ୍ରିତ ନ ହେବା ପର୍ଯ୍ୟନ୍ତ ଆଗାମୀ କାଲି ରୁଦ୍ଧିମନ୍ତ ହୁଏ ନାହିଁ।

 

Comments