Stay tuned to my blog- "ସତର୍କତା ହିଁ ସମାଧାନ " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ସୃଷ୍ଟି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଉତ୍ତପ୍ତ ସୂର୍ଯ୍ୟ ସେଦିନ ତା’ ବହ୍ନିବଳୟ ମଧ୍ୟରୁ ସୃଷ୍ଟି କରିଥିଲା ସବୁଜ, ଶାନ୍ତ ଓ ସୁଶୀତଳ ପୃଥିବୀକୁ। ସେଠି ଅନ୍ଧକାର ଥିଲା ହେଲେ ସେ ଅନ୍ଧକାରରେ ସୌନ୍ଦର୍ଯ୍ୟ ନ ଥିଲା । ସେଠି ଅନେକ ରଙ୍ଗର ସମାହାର ଥିଲା ହେଲେ ସେମାନଙ୍କ ମଧ୍ୟରେ ବୈଭବ ନ ଥିଲା । ତା’ ଆକାଶରେ ଘନକୃଷ୍ଣ ବାଦଲ ଥିଲା ହେଲେ ସେ ବାଦଲ ତା’ରି ଭାଗ୍ୟ ପାଇଁ ଅଭିଶାପ ନ ଥିଲା । ସେମାନେ ସମସ୍ତେ ତ ପ୍ରାଣୀ ଜଗତକୁ ସୃଷ୍ଟି କରିବାର ଭିନ୍ନ ଭିନ୍ନ ଉପାଦାନରେ ରୁଦ୍ଧିମନ୍ତ ଥିଲେ। ସେ ପୃଥିବୀର ଘନ ଅନ୍ଧକାର, ରଙ୍ଗର ସମାହାର ଏବଂ ବାଦଲମାନଙ୍କର ଗୁରୁ ଗମ୍ଭୀର ସ୍ୱର ଏ ପ୍ରାଣୀ ଜଗତ ପାଇଁ ଅଜସ୍ର ଆଶିଷ ଭରା ଆଶାର ଚାଙ୍ଗୁଡ଼ିକୁ ନେଇ ସେ ଦିନ ପୃଥିବୀ ପୃଷ୍ଠରେ ସମ୍ପର୍କର ସେତୁ ନିର୍ମାଣ କରିବାର ଅଭିପ୍ରାୟକୁ ବହନ କରିଥିଲେ। ଆଉ ସେମାନଙ୍କର ସେ ଅଭିପ୍ରାୟ ଏକ ସକରାତ୍ମକ ଚେତନା ବଳୟ ଦେଇ ଗତିଶୀଳ ହୋଇଥିଲା ସୃଷ୍ଟିକୁ  ତ୍ୱରାନ୍ୱିତ କରିବା ପାଇଁ। ସେ ତ୍ୱରାନ୍ୱିତ ପ୍ରକ୍ରିୟା କେତେବେଳେ ଆଦାମ୍ ଓ ଇଭ୍ ର ସମ୍ବେଦନଶୀଳ ଚେତନା ଦେଇ ଗତିଶୀଳ ହୋଇଥିଲା ତ ଅନ୍ୟ କେତେବେଳେ ଗଭୀର ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ବଟପତ୍ରର ବ୍ରହ୍ମ ଚେତନା ଦେଇ ପ୍ରକଟିତ ହୋଇଥିଲା । କିନ୍ତୁ ସମସ୍ତ ଚେତନା ମୂଳରେ ଥିଲା ସୃଷ୍ଟି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାର ଅଭିପ୍ସା । ନିର୍ମାଣ କରିବାର ଭୀଷ୍ମ ଶପଥ। ସେମାନେ ତ ସମ୍ପର୍କର ମହାସେତୁ ଉପରେ ପ୍ରେମକୁ ଆହୁତି ଦେଇ ନିର୍ମାଣ ଯଜ୍ଞକୁ ସମାପନ କରିଥିଲେ ।  ଅଧୁନା ଏ ବିଶ୍ଵ ପୃଷ୍ଠରେ ଏମିତି କ’ଣ ପରିବର୍ତ୍ତନ ହେଲା ଯେ ,ଏବେ ଚତୁର୍ଦ୍ଦିଗରେ କେବଳ ଧ୍ଵଂସର ଆହବ ; ଯୁଦ୍ଧଂ ଦେହିର ଡ଼ାକରା । ମାନବ ଜଗତର ସମ୍ବେଦନଶୀଳତା ଆଦି କାହିଁକି ଅପହୃତ ? କାହିଁକି ଆଧ୍ୟାତ୍ମିକତାର ସବୁଜ ବଳୟରେ ଆଜି ଆସୁରିକ ଚିନ୍ତନର ତୀବ୍ର ପ୍ରତିଫଳନ? ଆସନ୍ତୁ, ତର୍ଜମା କରିବା ଥରେ ଆତ୍ମ-ସମୀକ୍ଷା ମାଧ୍ୟମରେ । କାରଣ ଏବେ ତ ସେ ବେଳ ଉପନୀତ। ଆମେ ଆଲୋକ ସନ୍ଧାନୀଗଣ ସେ ସମୀକ୍ଷା ଯଜ୍ଞରେ ଆହୁତି ନ ସାଜିଲେ ଏ ମାନବ ସଭ୍ୟତା ମହାଶୂନ୍ୟରେ ଲୀନ ହୋଇଯିବ । ତେଣୁ ଆସନ୍ତୁ, ସେ ବିଷମୟ ମୁହୂର୍ତ୍ତ ଆଗମନ ପୂର୍ବରୁ ଆମେ ସତର୍କ ହୋଇଯିବ। ।

 

Comments