Stay tuned to my blog - " ଦିବ୍ୟପଥର ଯାତ୍ରୀ ଆମେ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 

ପ୍ରତି ଯୁଗର ସନ୍ଧିକ୍ଷଣ ମୁହୂର୍ତ୍ତରେ ଅନୁଭୂତିର ପ୍ରଲମ୍ବିତ ସୋପାନ ଶ୍ରେଣୀ ଦେଇ ଏ ବିଶ୍ୱର ରଙ୍ଗମଞ୍ଚକୁ ଜନହିତ ପାଇଁ ଓହ୍ଲାଇ ଆସିଥିବା ଦିବ୍ୟପ୍ରତିଭାଗଣ ସେମାନଙ୍କର ଲୀଳାଖେଳାକୁ ସମାପନା ପୂର୍ବକ ରଙ୍ଗମଞ୍ଚରୁ ବିରତି ନେଇ ପ୍ରସ୍ଥାନ କରିବା ବେଳେ ସେମାନଙ୍କର ଜୀବନର ଯେଉଁ ଦିବ୍ୟଛାପକୁ ବିଶ୍ଵବାସୀଙ୍କ ନିମିତ୍ତ ଛାଡ଼ି ଯାଆନ୍ତି, ତାହା ପ୍ରଣିଧାନ ଯୋଗ୍ୟ ଏବଂ ଅନୁସ୍ମରଣୀୟ । ଅନୁଧ୍ୟାନର ପୃଷ୍ଠଭୂମିରେ ସେମାନଙ୍କର ଜୀବନ ବ୍ୟାପି ଯନ୍ତ୍ରଣା ଜର୍ଜରିତ ସଂଘର୍ଷ ସାଲିସର କାହାଣୀ ମାଳାକୁ ଅନୁଶୀଳନ କରି ଏଥିରୁ ଉତ୍ପନ୍ନ ସୁଦୂର ପ୍ରସାରି ଫଳାଫଳକୁ ସହୃଦୟତାରସହ ତଥା ଶ୍ରଦ୍ଧାରସହ ଗ୍ରହଣ କରି ଦୈନନ୍ଦିନ କାର୍ଯ୍ୟଧାରାରେ ପ୍ରୟୋଗ କରାଯାଇ ପାରିଲେ ଏ ବିଶ୍ଵ ଏକ ଭିନ୍ନ ଦିଗନ୍ତରେ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୋଇ ପ୍ରତିଭା ନିର୍ମାଣ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବ। ଏକ ସମୃଦ୍ଧ ସଂସ୍କୃତିର ତଟିନୀରେ ନିରନ୍ତର ଅବଗାହନ କରି ଏଭଳି ଆତ୍ମାଗଣ ସେମାନଙ୍କର ଜୀବନ-ଯଜ୍ଞରୁ ଯେଉଁ ଅନୁଭୂତିକୁ ସାଉଁଣ୍ଟି ଆଣିଛନ୍ତି, ତାହା ଆମ ଉତ୍ତରପିଢିଙ୍କୁ ସତ୍ ପଥରେ ପରିଚାଳିତ କରିବା ପାଇଁ ଦୁର୍ଲଭ ମହୌଷଧି। ଏକ ଭଗ୍ନସ୍ଵପ୍ନକୁ ପୁନଃ ନିର୍ମାଣ କରି ସେଠି ଜୀବନୀ ଶକ୍ତିକୁ ଭରିଦେବା ପାଇଁ ଏଭଳି ଆତ୍ମାଙ୍କର ଦିବ୍ୟବାଣୀ ଏ ବିଶ୍ୱର ବାର୍ତ୍ତାବହ ସାଜି ପ୍ରତି ଯୁଗର ସନ୍ଧିକ୍ଷଣ ମୁହୂର୍ତ୍ତରେ ପ୍ରତିଭା ଅନ୍ଵେଷଣ କରିଥାଏ ବିଶ୍ୱହିତ ପାଇଁ। ସକରାତ୍ମକ ଦିଗ୍ବଳୟରେ ନିରନ୍ତର କାର୍ଯ୍ୟରତ ଏଭଳି ପ୍ରତିଭାଗଣ ସେମାନଙ୍କର ଶକ୍ତିଶାଳୀ ଜ୍ଞାନର ଦିବ୍ୟାସ୍ତ୍ରକୁ ପ୍ରୟୋଗ କରି ଯେଉଁ ବୈପ୍ଲବିକ ପରିବର୍ତ୍ତନକୁ ସଙ୍ଗଠିତ କରନ୍ତି, ତାହାକୁ କେବଳ ଅନୁଭବି ହିଁ ହୃଦୟଙ୍ଗମ କରିପାରେ । ସେମାନଙ୍କର ଅନୁଭୂତିରୁ ଦିବ୍ୟଚିନ୍ତନକୁ ସଂଗ୍ରହ କରି ତେଣୁ ସଞ୍ଚରିଯିବା ଏ ବିଶ୍ଵ ରଙ୍ଗମଞ୍ଚରେ । ନିଜ ନିଜର ଅଭିନୟକୁ ସ୍ଵାଭିମାନରସହ ନିଖୁଣ ଭାବରେ ସମାପନ କରିପାରିଲେ ହିଁ ଆମ ଜୀବନ ସଫଳତାରେ ଭରିଯିବ । ଅନ୍ୟଥା, ଏକ ନକରାତ୍ମକ ଦିଗ୍ ବଳୟରେ ଆମ ବ୍ୟସ୍ତ ବହୁଳ ଜୀବନର ସମସ୍ତ ଅନୁଭୂତି ବାଟବଣା ହୋଇଯିବ। ତେଣୁ ଆସନ୍ତୁ, ଆମ ଅନୁଭୂତି ବାଟବଣା ହେବା ଆଗରୁ ଆମେ ଏକ ଦିବ୍ୟପଥର ଯାତ୍ରୀ ହେବା।

Comments