ଜୀବନ ଜୀଇଁବାର ତିନୋଟି ଉପାଦାନକୁ ନେଇ ମାନବ ଓହ୍ଲାଇ ଆସେ ଏ
ଧରାପୃଷ୍ଠକୁ ଐଶୀ ଆଶିଷକୁ ନେଇ। ଏନ୍ତୁଡିରୁ ଜୁଇ ଯାଏ ଜୀବନ ଜୀଇଁବାର ତିନୋଟି ଉପାଦାନ ଶାନ୍ତି, ଶ୍ରଦ୍ଧା ଓ ପ୍ରେମ ମାନବକୁ ତ ଦେୟମୁକ୍ତ ଭାବେ
ଉପଲବ୍ଧ ଏଠି। ତେବେ ଯେଉଁ ଆତ୍ମାଗଣ ଜୀବନ ଜୀଇଁବାର ଏହି ତିନୋଟି ଉପାଦାନକୁ ଜୀବନ-ପଥରେ ମୁଖ୍ୟାଧାର ଭାବେ ଗ୍ରହଣ କରି ନିଅନ୍ତି, ସେମାନେ ହିଁ ସେମାନଙ୍କର କର୍ମମୟ ପଥରେ ସମଗ୍ର ବିଶ୍ଵବାସୀଙ୍କୁ ଏକ ଅତିନ୍ଦ୍ରୀୟ ଦିବ୍ୟ ଚେତନାର ସଂଜ୍ଞାକୁ ବିତରି ପାରନ୍ତି ଏବଂ ଏଥିରୁ ଉତ୍ପନ୍ନ ଆନନ୍ଦ ଲହରିକୁ
ସବୁରି ପ୍ରାଣରେ ସଂଚାର କରି ଆହ୍ଲାଦିତ କରନ୍ତି । ପ୍ରାପ୍ତି ସେମାନଙ୍କ ପାଇଁ ତପସ୍ୟାର ପୂଜାବେଦୀରେ
ସକରାତ୍ମକ କର୍ମରୁ ଉତ୍ପନ୍ନ ଏକ ନିରନ୍ତର ପ୍ରବାହ । ଏହା ଅନନ୍ତ ଆକାଶ ଭଳି ବିସ୍ତୃତ ଏବଂ
କାମଧେନୁର ଅସରନ୍ତି ଦୁଗ୍ଧଭଣ୍ଡାର ଭଳି ପରିପୂର୍ଣ୍ଣ । କାରଣ ସେମାନଙ୍କର ସକରାତ୍ମକ ଚେତନା ଜ୍ୟାମିତିକ ଗତିରେ ସ୍ୱତଃସ୍ପୃତ ଭାବେ ପ୍ରସାରଣଶୀଳ। ପ୍ରାଚୁର୍ଯ୍ୟରେ ଭରା ଏମାନଙ୍କର ହୃଦୟରୁ ନିରନ୍ତର ଝରିଥାଏ
ଦିବ୍ୟାନନ୍ଦର ନିର୍ଝରିଣୀ । ଏ ନିର୍ଝରିଣୀରୁ ଉତ୍ପନ୍ନ ଟୋପା
ଟୋପା ବିନ୍ଦୁରେ ସିନ୍ଧୁ ସୃଷ୍ଟି ହୋଇ ପ୍ରତି ପ୍ରାଣର ବିଷାଦକୁ
ତା’ ଅସୁମାରୀ ଢେଉରେ ଭସାଇ ନେଇଥାଏ । ଆନନ୍ଦ ଲହରିରେ ଦୋଳାୟମାନ ସିଂହାସନରେ ଭାସମାନ ଏଭଳି ଆତ୍ମାଗଣ ପ୍ରେମ
ଓ ତ୍ୟାଗର ତୀବ୍ର ଶିଖାରେ ନିରନ୍ତର ନିଜେ ଜଳି ଅନ୍ୟକୁ ଆଲୋକିତ ଓ ଆହ୍ଲାଦିତ କରିବା ବେଳେ ନୀଳକଣ୍ଠଙ୍କ ଭଳି ନିଃଶବ୍ଦ ଶ୍ମଶାନରେ ସହନଶୀଳତାର ମହାବେଦୀ ଉପରେ ନିଜକୁ
ସ୍ଥିର ରଖିପାରନ୍ତି ଜଣେ ଏକନିଷ୍ଠ ତପସ୍ୱୀ ଭଳି। ସ୍ଥିତପ୍ରଜ୍ଞତା ଏମାନଙ୍କ ଚରିତ୍ରର ଏକ ଦିବ୍ୟ ଭୂଷଣ। ତେଣୁ ବାହ୍ୟ ପ୍ରଭାବରେ ଅଥବା ପରିବେଶର ଛାପରେ ଏମାନେ ଦୋହଲି ଯା’ନ୍ତି ନାହିଁ ।
ଅପ୍ରାପ୍ତିକୁ ଏମାନେ ଆଶୀର୍ବାଦ ଜ୍ଞାନ କରି ପ୍ରାପ୍ତିର ସନ୍ଧାନ କରିବା ପାଇଁ ପ୍ରସାରିତ
ହୁଅନ୍ତି ନୀରବଚ୍ଛିନ୍ନ ଭାବେ ନିଃସର୍ତ୍ତରେ ଓ ନିରବରେ ।
ଏଭଳି ଆତ୍ମାଗଣ ସବୁରି ପ୍ରାଣରେ ସଞ୍ଚରି ଯାଇ ବିଶ୍ଵବାସୀଙ୍କୁ ଏକ ସକରାତ୍ମକ ଦିଗ୍ ବଳୟ ଆଡ଼କୁ ଆକର୍ଷି
ନିଅନ୍ତି। ତେଣୁ ତ, ଏମାନେ ସବୁରି ହୃଦୟର ତାରା ! ତେଣୁ ଆସନ୍ତୁ, ଏଭଳି ଦିବ୍ୟାତ୍ମାଗଣଙ୍କର ଏହି ଶାନ୍ତି, ଶ୍ରଦ୍ଧା ଓ ପ୍ରେମର ଯଜ୍ଞରେ ଆମେ ଆହୁତି ସାଜିବା ଏ ଯଜ୍ଞକୁ ସାଫଲ୍ୟ କରିବା ପାଇଁ । କାରଣ ଏମାନେ ନିଜ ପାଇଁ ଜୀବନ ଜିଅନ୍ତିନି କେବେ । ଏଭଳି
ଆତ୍ମାମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ରୀୟ ଉନ୍ନତିରେ ଯୋଗଦାନ ଦେଲେ କ୍ଷତି କଣ ? ଏମାନେ ତ ସର୍ବଂସହା ଓ ସର୍ବବ୍ୟାପି....!
Comments
Post a Comment