Stay tuned to my blog - " କର୍ମୀର ବନ୍ଧୁ ସିଏ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

   

ସମୟର ପ୍ରବାହମାନ ମହାସ୍ରୋତ ନିରନ୍ତର ଗତିଶୀଳ ଏଠି। ସେ ମହାସ୍ରୋତର ପ୍ରବାହ ଅତୀବ ବିଚିତ୍ର । ଏ ମହାସ୍ରୋତ ରୂପାନ୍ତରଣ କରିପାରେ ଦିବ୍ୟଛୁଆଁରେ ତା'ର ପ୍ରତିପ୍ରାଣକୁ ଅଥଚ ସେ କାହାରି ଛୁଆଁରେ ରୂପାନ୍ତରିତ ହୁଏ ନାହିଁ । ପରିବର୍ତ୍ତନଶୀଳ ଏ ବିଶ୍ଵପୃଷ୍ଠରେ ସମୟକୁ କେହି ରୂପାନ୍ତରଣ ଅଥବା ପରିବର୍ତ୍ତନ କରି ପାରନ୍ତି ନାହିଁ ବୋଲି ତ ସେ ନିଆରା ଏଠି। ବ୍ୟକ୍ତିବାଦ ଅଥବା ସମାଜବାଦରୁ ଉର୍ଦ୍ଧ୍ଵରେ ରହି ସେ ସମତାର ଧ୍ଵଜାକୁ ଧାରଣ କରି ପଦ ମର୍ଯ୍ୟାଦା ଅଥବା ସାମାଜିକ ସ୍ଥିତି ନିର୍ବିଶେଷରେ ପ୍ରତ୍ୟେକକୁ କବଳିତ କରେ। "ସର୍ଭେ ଭବନ୍ତୁ ସୁଖିନଃ" ର ମନ୍ତ୍ରଧ୍ଵନିରେ ସେ ଅଭିମନ୍ତ୍ରିତ କରିଛି ଏ ପ୍ରାଣୀ  ଜଗତକୁ। ତେବେ ତା’ରି ଏ ସ୍ଥିତିର ଉପଯୋଗ ପାଇଁ ସେ ଉତ୍ତରଦାୟୀ ନୁହଁ କେବେ । ସେ ଏଠି ନୀରବ ଦ୍ରଷ୍ଟା କେବଳ। ନୀରବ ନିସ୍ପନ୍ଦ ତା ପ୍ରବାହ । ଅଥଚ ଅତ୍ୟନ୍ତ ଶକ୍ତିଶାଳୀ ସିଏ। ତେଣୁ ତ ମହାମନିଷୀଗଣ ସମୟର ସେ ମହାସ୍ରୋତ ନିକଟରେ ନତମସ୍ତକ ହୋଇ ତାକୁ କାଳର ଆଖ୍ୟା ପ୍ରଦାନ କରି ତା’ର ପୂଜାର୍ଚ୍ଚନା କରନ୍ତି। ତା’ ବିନା ସବୁ ଯେମିତି ସ୍ଥିର ଏଠି। କର୍ମରତ ପ୍ରାଣୀଜଗତ ପାଇଁ ସେ ନିରନ୍ତର ବୁଣିଚାଲେ ତା’ ଆଶିଷର ଯୂଈଫୁଲ। ହେଲେ, କର୍ମ ବିନା ସେ ଆଶିଷ-ଫୁଲ ଶୁଷ୍କ ମରୁର ବାଲୁକା ଭଳି ପ୍ରତିଭାତ ହୁଏ । ତେଣୁ ଆସନ୍ତୁ, ସମୟର ସେ ମହାସ୍ରାତରେ କର୍ମରତ ହୋଇ ଏକ ରୂପାନ୍ତରଣ ସ୍ଥିତିକୁ ଆପଣେଇ ନେବା....ଆମ ରୂପାନ୍ତରଣ ହିଁ ଆମ ସଫଳତାର ପ୍ରକୃତ ପରିଚୟ! କର୍ମୀଟିଏ ପାଇଁ ସମୟର ମହତ୍ତ୍ଵ ଜୀବନର ପୃଷ୍ଠଭୂମିରେ ଉପଯୁକ୍ତ ରୂପେ ମୂଲ୍ୟାଙ୍କନ କରାଯାଇ ପାରେ; କିନ୍ତୁ କର୍ମଭୀରୁ ମଣିଷଟିଏ ସମୟର ଉପାଦେୟତାକୁ ମୂଲ୍ୟାଙ୍କନ କରିପାରେ ନାହିଁ। ସମୟ କାହାରିକୁ ପ୍ରତିକ୍ଷା କରେ ନା ବୋଲି ତ ସେ ସବୁରି ଆଗରେ ରହି ଏ ଜଗତକୁ ସୂଚନା ଦେଇ  ଚାଲିଥାଏ ପ୍ରାଣୀ ଜଗତର ଭଲମନ୍ଦ ସଂପର୍କରେ। ସମୟର ସେ ପ୍ରବାହକୁ ଥରେ ଉପଲବ୍ଧି କରିପାରୁଥିବା ବ୍ୟକ୍ତିଗଣ ତା’ ପ୍ରତି ଅଣଦେଖା କରନ୍ତି ନାହିଁ କିମ୍ବା ତା’ର ଉପାଦେୟତାକୁ ଉପଲବ୍ଧି ନ କରି ନୀରବରେ ବସି ରହନ୍ତି ନାହିଁ ।  ତା’ ନିରନ୍ତର ଉପସ୍ଥିତିର ଉପଯୁକ୍ତ ବିନିଯୋଗ ହିଁ ଆମ ପାଇଁ ଆଶିଷ !

Comments