ବିନମ୍ରତା ,
ଶାଳୀନତା ତଥା ଲଜ୍ୟାଶୀଳତାର ପ୍ରତୀକ ସିମନ୍ତିନୀ ମଥାର ସିନ୍ଦୂର ଟୋପା ଏକ ଅକୁହା ବେଦନାରେ ଦଗ୍ଧିଭୂତ ହୋଇ ସବୁରି ଅଲକ୍ଷ୍ୟରେ ନୀରବରେ ତା’ ହଜିଲା ସ୍ମୃତିକୁ ଚାରଣ କରି ଅଶ୍ରୁ ତର୍ପଣ କରେ।
ତା’ ନିରୀହ ଆଖିରୁ ଝରି ପଡ଼ୁଥିବା ଅଶ୍ରୁ ଟୋପା ପରମାଣୁ ବୋମାର ଅଣୁ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଏ ବିଶ୍ଵ ଜାଣିଥିଲେ ବି ତା’ ପ୍ରତି ଯୁଗେ ଯୁଗେ କରାଯାଉଥିବା ଅବିଚାର କାହାରିକୁ ଅଛପା ନୁହେଁ। ସେ ମହାଭାରତ ଯୁଗର ଯାଜ୍ଞସେନୀ ହେଉ ଅଥବା ରାମାୟଣ ଯୁଗର ଜନକ ନନ୍ଦିନୀ ହେଉ, ସମସ୍ତେ ତ ଏ ପ୍ରବାହରେ ଜର୍ଜରିତା। ତେବେ ସିମନ୍ତିନୀ ମଥାର ସିନ୍ଦୂର ଓ ତା’ ଆଖି କୋଣର ଅଶ୍ରୁଧାର
ଯେ ଅବାଞ୍ଛିତ ପୌରୁଷତ୍ଵକୁ ଯୁଗେ ଯୁଗେ ପ୍ରତିହତ କରିପାରେ, ଏହା ସିଦ୍ଧ ପ୍ରମାଣିତ। ତ୍ରେତୟାରେ ଲଙ୍କାକାଣ୍ଡ, ଦ୍ୱାପରରେ ମହାଭାରତର ପରିଣାମ ଏବଂ ଆଧୁନିକ ଯୁଗରେ ପହଲ୍ ଗାଁ ହତ୍ୟାକାଣ୍ଡ
ପ୍ରତିଟି ଘଟଣା ସିମନ୍ତିନୀ ମଥାର ପ୍ରତିବାଦର ପ୍ରତିଧ୍ଵନି ମାତ୍ର ! ପିତାମହ ଭୀଷ୍ମଙ୍କର ଜଳ ତର୍ପଣ ଠାରୁ ସତୀ ନାରୀର ଅଶ୍ରୁ ତର୍ପଣ
ଆହୁରି ଶକ୍ତିଶାଳୀ। ଯନ୍ତ୍ରଣାସିକ୍ତ ତା’ ହ୍ରୁଦୟ ବୀଣାରେ ନିରନ୍ତର ଗୁଞ୍ଜରି ଉଠୁଥିବା କରୁଣ ରାଗିଣୀ ଅବାଞ୍ଛିତ ପୌରୁଷତ୍ଵ ପ୍ରତି ଏକ ଉପହାସ ମାତ୍ର ! ତେଣୁ ତ ଯୁଗେ ଯୁଗେ
ନାରୀଟିଏ ତା’ ସତୀତ୍ୱର ଅଗ୍ନିଶିଖାରେ ଧ୍ଵଂସର ତାଣ୍ଡବ ଲୀଳା ରଚାଇ ଚାଲିଛି ଅତ୍ୟାଚାରୀ ରାକ୍ଷସର
ପ୍ରକୃତି ବିରୁଦ୍ଧରେ। ତା’ ମଥାର ସିନ୍ଦୂର ଏବଂ ଚକ୍ଷୁର ଅଶ୍ରୁଧାର ରାକ୍ଷାସତ୍ଵ ବିରୁଦ୍ଧରେ ଯୁଗେ ଯୁଗେ ସ୍ଵର ଉତ୍ତୋଳନ କରି ଏ ଜଗତକୁ କରିଛି ମହାନ୍। ତେଣୁ
ଆସନ୍ତୁ, ଭାରତୀୟ ସଂସ୍କୃତିର ମାନ ରକ୍ଷା କରି ଯେଉଁ ନାରୀ ନିଜ ସ୍ୱାଭିମାନ ଭରା ସିନ୍ଦୂର ଟୋପାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ
ନିରନ୍ତର ପ୍ରୟାସରତା, ସେ ନାରୀ ସମାଜର ସୁରକ୍ଷା ପାଇଁ ଆମେ ହାତରେ ହାତକୁ ଛନ୍ଦି ସେମାନଙ୍କୁ ତୋଳି ଧରିବା।
ସେମାନଙ୍କର ପ୍ରତିଟି ଅବଦାନ ମୂଲ୍ୟାଙ୍କନ କରି ସେମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନରେ ବସାଇ
ଏ ଜାତିକୁ ସନ୍ଦେଶ ଦେବା ଯେ "ଯତ୍ର ପୂଜ୍ୟନ୍ତେ ନାର୍ଯ୍ୟାଃ, ତତ୍ର ପୂଜ୍ୟନ୍ତେ ଦେବତାଃ"।
Comments
Post a Comment