Stay tuned to my blog- " ଭାବପ୍ରବଣତା " । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ଭାବପ୍ରବଣତା ସ୍ୱତଃସ୍ପୃତ ଭାବେ ନିରନ୍ତର ଝରିଆସୁଥିବା ଏକ ମାନସିକ ସ୍ଥିତି । ଏହା ମଣିଷର ପ୍ରତିଟି ଅନୁଭୂତିକୁ ରୂପ ଦେଇ ବ୍ୟବସ୍ଥିତ ଢଙ୍ଗରେ ଉପସ୍ଥାପିତ କରିଥାଏ। ଭିନ୍ନ ଭିନ୍ନ ପରିସ୍ଥିତିରେ ଏହା ଭିନ୍ନ ଭିନ୍ନ ଭାବରେ ମଣିଷ ଜୀବନରେ ପ୍ରତିଫଳିତ ହୋଇଥାଏ। କେତେବେଳେ ଏହା ଯନ୍ତ୍ରଣା ନିବାରଣର ମହୌଷଧିଭାବେ ମଣିଷର ମନ-ବୃନ୍ଦାବନକୁ ମହକିତ କରି ଆତ୍ମ-ପ୍ରକାଶ କରେ ତ ଅନ୍ୟ କେତେବେଳେ ଏହା ଅଣଚାଷ ବତାସୀ ଝଡ଼ର ରୂପ ନେଇ ମନ-ବୃନ୍ଦାବନର ସୁଲଳିତ ମାଧୁର୍ଯ୍ୟକୁ ଧ୍ଵଂସ କରିଦିଏ । ଏହି ଉଭୟ ସ୍ଥିତିକୁ ସ୍ଵନିୟନ୍ତ୍ରଣରେ ରଖି ଭାବପ୍ରବଣତାକୁ ଉପଯୁକ୍ତରୂପେ ପରିଚାଳନା କରି ପାରିଲେ ହିଁ ଏହାର ମୂଲ୍ୟାଙ୍କନ କରାଯାଇପାରେ। ଅନ୍ୟଥା ଏହାର ପ୍ରଭାବରେ ମାନସିକ ଶାନ୍ତି ବ୍ୟାଘାତ ହୁଏ। ଏହି ବ୍ୟାଘାତଜନିତ ପ୍ରଭାବରଧାରା ନିରନ୍ତର ଜାରି ରହିଲେ ମାନସ ରାଜ୍ୟରେ ମହାପ୍ରଳୟ ଉତ୍ପନ୍ନ ହୁଏ। ତେବେ ଏଭଳି ସ୍ଥିତି ଉତ୍ପନ୍ନ ହେବା ଆଗରୁ ଭାବପ୍ରବଣତାର ସ୍ରୋତରେ ବିଚାରଶୂନ୍ୟଭାବେ ଲମ୍ପ ପ୍ରଦାନ କରିବା ଅସମୀଚୀନ ଓ ଅବାଞ୍ଛନୀୟ ମନେହୁଏ। ତେଣୁ ଆସନ୍ତୁ, ଭାବପ୍ରବଣତାର ପରିଚାଳନା କରିବାବେଳେ ଆମେ ସ୍ଥିରଚିତ୍ତ ହୋଇ ସ୍ଥିତପ୍ରଜ୍ଞ ନୀତିର ଅନୁସରଣ କରିବା ଏବଂ ଅଭ୍ୟାସଗତଭାବେ ଏହି ଦିବ୍ୟଗୁଣର ଅଧିକାରୀ ହେବାକୁ ପ୍ରୟାସ କରିବା। କାରଣ ଆମର ପ୍ରୟାସ ଆମକୁ ସୁଖ ,ଦୁଃଖ, ଉଷ୍ମତା ଓ ଶୀତଳତା ନିର୍ବିଶେଷରେ ନିରଭିମାନୀ କରି ଗଢି ତୋଳିବ;ତଥା ଆମ ମଧ୍ୟରେ ସୁପ୍ତାବସ୍ଥାରେ ଥିବା ସ୍ଵାଭିମାନକୁ ଜାଗ୍ରତ କରି ଚାଲିଥିବ ନିରନ୍ତର ଗତିରେ।  ଅଭିମାନଜନିତ ଭାବପ୍ରବଣତା ମଣିଷ ପାଇଁ ଧ୍ଵଂସର ପଥ ଉନ୍ମୁକ୍ତ କରିଦିଏ ବୋଲି ଇତିହାସରେ ବାରମ୍ବାର ପ୍ରମାଣିତ ହୋଇ ଆସିଛି।  ତେଣୁ ମହାମାନୀ ଦୁର୍ଯ୍ୟୋଧନର ପଥ ଅନୁସରଣ ନ କରି ନିଜସ୍ୱ ସ୍ଵାଭିମାନକୁ ସୁରକ୍ଷିତ ରଖିବା ପାଇଁ ସବ୍ୟସାଚୀର ମାନସିକତା ନେଇ ଧର୍ମଯୁଦ୍ଧରେ ଯୋଗଦାନ କରିବା ଏକ ବୀର ସୈନିକର ନିର୍ଭିକ ମନ ନେଇ। କର୍ମ ଆମର ଏ ସାଧନା ପଥରେ ମୁଖ୍ୟ ଉପାଦାନ ହେଉ ଅଥଚ ଫଳପ୍ରାପ୍ତି ଐଶୀସତ୍ତା ଦ୍ଵାରା ନିୟନ୍ତ୍ରିତ ହେଉ। ସତ୍ କର୍ମର ଫଳାଫଳ ଅବଶ୍ୟ ଧର୍ମ ମାର୍ଗରେ ହିଁ ଗତି କରିବ । ଏହା ତ ସୃଷ୍ଟିର ଆଦ୍ୟ ତଥା ଅନ୍ତିମ ନୀତି !                                                                        

                      

Comments