Stay tuned to my blog- " ସ୍ୱାଗତିକା" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ପ୍ରମକ୍ତ ଯୌବନର ପ୍ରଭାବୀସ୍ୱପ୍ନରେ ବିହ୍ଵଳିତ ହୋଇ ପ୍ରକୃତି ବିରୁଦ୍ଧରେ ପ୍ରତିବାଦର ସ୍ଵର ତୋଳି ଏକ କୃତ୍ରିମ ପୃଥିବୀର ନିର୍ମାଣ କାର୍ଯ୍ୟରେ ଯେଉଁ ମଣିଷମାନେ ଅହର୍ନିଶି କ୍ଷୁଧା-ତୃଷ୍ଣା ଭୁଲିଯାଆନ୍ତି, ସେମାନେ ହୃଦୟଙ୍ଗମ କରିପାରନ୍ତିନି ଯେ ପ୍ରକୃତି ହିଁ ସେମାନଙ୍କର ଆଦ୍ୟ ଏବଂ ଅନ୍ତିମ ପରିଚୟ। ପ୍ରକୃତି ବିନା ଜୀବନ ପ୍ରବାହ ଶିଥିଳ ଏଠି। ପ୍ରକୃତି ବିନା ଭାବନା ରାଇଜରେ ଶ୍ମଶାନର ନୀରବତା ଉପଲବ୍ଧି ହୁଏ ବୋଲି ତ ପ୍ରକୃତି ଓ ପୁରୁଷ ଯୁଗେ ଯୁଗେ ପରିପୂରକ ଏଠି। ସେମାନଙ୍କର ଏକତ୍ର ସହାବସ୍ଥାନ ହିଁ ତ ଏ ବିଶ୍ଵମଣ୍ଡଳକୁ କରିଛି ଚଳ ଚଞ୍ଚଳ। ପ୍ରକୃତି ଚଞ୍ଚଳ ବୋଲି ପୁରୁଷ ଚଞ୍ଚଳ ଏଠି। ସେମାନେ ତ ଏ ବିଶ୍ଵମଣ୍ଡଳର ପ୍ରାଚୁର୍ଯ୍ୟତାକୁ ଏକତ୍ର ପ୍ରଦାନ କରନ୍ତି। ପବିତ୍ରତାର ପ୍ରତୀକ ସାଜି ଗୋଟିଏ ଦୀପାଳିରେ ଏକତ୍ର ପ୍ରଜ୍ଜ୍ଵଳିତ ହୋଇ ସେମାନେ ଯେତେବେଳେ ଅନ୍ଧକାର ବିଶ୍ୱରେ ଆଲୋକର ପ୍ଲାବନକୁ ସୃଷ୍ଟି କରନ୍ତି ସେତେବେଳେ ବିଶ୍ଵମଣ୍ଡଳରେ ଜୀବନ ସଂଚାର ହୁଏ ଓ ରାମରାଜ୍ୟର ପ୍ରତିଷ୍ଠା ପାଇଁ କ୍ଷେତ୍ର ପ୍ରସ୍ତୁତ ହୁଏ। ତା’ହେଲେ ପ୍ରକୃତିର ଅବଦାନ ଆଜି କାହିଁକି ଉପେକ୍ଷିତ? ପ୍ରମକ୍ତ ଯୌବନର ପ୍ରଭାବରେ ପ୍ରଗଲ୍ଭ ପ୍ରାୟ ମାନବ ସମାଜ ଏକ କୃତ୍ରିମ ବିଶ୍ଵ ନିର୍ମାଣ ପାଇଁ କାହିଁକି ବ୍ୟସ୍ତ ? ଏହା କ’ଣ ମାନବ ସମାଜର ଅପରିଣାମଦର୍ଶିତା ନୁହଁ ? ଯଦି ହଁ, ତା ହେଲେ ଆସନ୍ତୁ, ପ୍ରକୃତିକୁ ନିମନ୍ତ୍ରଣ କରିବା ସାଥୀ ହୋଇ। ସେ ଆମ ପାଶେ ଆସିବ ନିଶ୍ଚୟ ଆମ ନିମନ୍ତ୍ରଣ ପାଇ । ତା’ ମନ ଓ ଶରୀର ଆମ ପାଇଁ ଖୋଲା ସବୁବେଳେ। ଆମେ ପ୍ରକୃତିକୁ ନିଜର କଲେ ସେ’ ତା ଦିବ୍ୟଦାନରେ ଆମକୁ ରୁଦ୍ଧିମନ୍ତ କରିଦେବ। ସେ’ ଆମ ହୃଦୟର ସ୍ପନ୍ଦନ ହୋଇ ଆମକୁ ପ୍ରାଣବନ୍ତ କରିଦେବ। ପ୍ରାଣ ପ୍ରାଚୁର୍ଯ୍ୟରେ ଭରା ତା’ ସମଗ୍ର ଶରୀର। ସେଠି ଅଛି ରଙ୍ଗର ବର୍ଣ୍ଣବିଭା । ତା’ ଭଣ୍ଡାର ସବୁରି ପାଇଁ ଖୋଲା । ତା’ହେଲେ ଚାଲନ୍ତୁ, ଉପେକ୍ଷା କରିବାନି ତାକୁ ଆଉ । ତା’ର ପୂଜାର୍ଚ୍ଚନା କରି ସେଠି ଖୋଜିବା ଜୀବନର ମୂର୍ଚ୍ଛନା। ତା’ ତରଙ୍ଗରେ ତରଙ୍ଗାୟିତ ହୋଇ ଆଗାମୀକୁ ସ୍ଵାଗତ କରିବା ।

Comments