ଭାବନାର
ମହାସାଗରରେ ନିରନ୍ତର ଅବଗାହନ କରି ସୃଷ୍ଟିର ସୌନ୍ଦର୍ଯ୍ୟକୁ କବି ଓ ଭାବୁକଗଣ ସେମାନଙ୍କ ମାନସରାଜ୍ୟରେ
ଅନୁଭବ କରିଥାଆନ୍ତି। ଜୀବନର ଅଙ୍କାବଙ୍କା ପଥରେ ସଂଘର୍ଷ ଓ ସାଲିସର ପର୍ଯ୍ୟାୟ ଦେଇ ଭାବନାକୁ ଅନୁଶୀଳନ
କରିବାବେଳେ ତାହା ସର୍ବଦା ମଣିଷ ମଧ୍ୟରେ ସକରାତ୍ମକ ଓ ନକରାତ୍ମକ
ଭାବନା ଗୁଡ଼ିକୁ ଉଦ୍ରେକ କରିଥାଏ । ତେବେ ଏଭଳି ସ୍ଥିତିରେ ଯେଉଁ ଭାବନାକୁ ମଣିଷ ଚାରାଟିଏ ଭଳି ଏକ ମାଳିର ମନନେଇ ପରିବର୍ଦ୍ଧିତ
କରାଇଥାଏ ତାହା ହିଁ ମଣିଷର ଚରିତ୍ର ମାଧ୍ୟମରେ ପ୍ରତିଫଳିତ ହୁଏ । ତେଣୁ ତ ମଣିଷ ମଧ୍ୟରେ ଦେବତ୍ୱ ଓ ରାକ୍ଷସତ୍ଵ ଭଳି ଦୁଇ ପ୍ରକାରର ଗୁଣାବଳୀ ପରିସ୍ପୁଟିତ ହୁଏ।
ଜୀବନର ଚଲା ପଥରେ ଉପରୋକ୍ତ ଦୁଇଟି ଗୁଣାବଳୀର ଭୂମିକା ସ୍ଥଳବିଶେଷରେ ଗୁରୁତ୍ଵ ବହନ କରେ। ପରିବେଶ ଓ ପରିସ୍ଥିତି ଅନୁଯାୟୀ ଭାବନାର ଅଙ୍କୁରୋଦଗମ ହୁଏ ସତ କିନ୍ତୁ ଜଣେ ଅସାଧାରଣ ଦିବ୍ୟାତ୍ମା
ପାଇଁ ଏ ନିୟମ କାର୍ଯ୍ୟକାରୀ କରେ ନାହିଁ। କାରଣ ଅସାଧାରଣ ଦିବ୍ୟାତ୍ମାଗଣ ନିଜର ଭାବନାକୁ
ନିୟନ୍ତ୍ରଣ ମଧ୍ୟରେ ରଖି ତା'ର ଉପଯୁକ୍ତ ପରିଚାଳନା କରିବା କୌଶଳକୁ ଅତି ଯତ୍ନର ସହ ଅକ୍ତିଆର
କରିଥାଆନ୍ତି। ତେଣୁ ତ ସେମାନଙ୍କର ଜୀବନ ସର୍ବଦା ଏକ ଦିବ୍ୟମହକରେ ଭରିଯାଇଥାଏ। ଏଭଳି ଆତ୍ମାଗଣଙ୍କର
କାମନା ନିୟନ୍ତ୍ରଣ ମଧ୍ୟରେ ରହିଥାଏ ଅଥବା ଏମାନେ କାମନାରହିତ ଭାବେ ଜୀବନଯାପନ କରନ୍ତି। ଭାବନାର
ମହାସାଗର ମଧ୍ୟରୁ ଏମାନେ ଖଟା ଓ ମିଠା
ପ୍ରତିଟି ଚିନ୍ତନକୁ ଗ୍ରହଣ କରି ସେଗୁଡିକ ସୁବ୍ୟବସ୍ଥିତ
ଓ ସୁସଂଯତ ଭାବରେ ମଣିଷ ସମାଜରେ ବିତରି ପାରନ୍ତି ବୋଲି ତ
ଏମାନଙ୍କର ଅନୁଭୂତି ନିଆରା। ଆଉ ଏ ନିଆରା ଅନୁଭୂତି ମଧ୍ୟରେ ଏକ ସକରାତ୍ମକ ଖିଆଲି
ମନକୁ ନେଇ ଏଭଳି ଆତ୍ମାଗଣ ସବୁରି ପ୍ରାଣରେ ସଂଚରି ପାରନ୍ତି। ସଞ୍ଚରଣ ବିନା ଏମାନଙ୍କର ଜୀବନ
ବ୍ୟର୍ଥତାରେ ଭରିଯାଏ ବୋଲି ତ ସଞ୍ଚରଣ ପ୍ରକ୍ରିୟାକୁ ଏମାନେ
ଜୀବନର ମାଧୁର୍ଯ୍ୟ ବୋଲି ମନେ କରନ୍ତି । ତେଣୁ ଆସନ୍ତୁ, ଆମେ ବି
ସେମାନଙ୍କର ଏ ସଞ୍ଚରଣକୁ ନିଜର କରିବା। କାରଣ ଏହା ବିନା ଅପରର ହୃଦୟକୁ ଜୟ କରି ହୁଏ ନାହିଁ। ତା’ ହେଲେ ଆଉ ବିଳମ୍ବ
କାହିଁକି ସେ ଦିବ୍ୟ କାର୍ଯ୍ୟର ଶୁଭାରମ୍ଭ ପାଇଁ !
Comments
Post a Comment