ସୌନ୍ଦର୍ଯ୍ୟର ପ୍ରତୀକ ଆମ ସ୍ଵାଭିମାନ। ସ୍ଵାଭିମାନୀ ମଣିଷଟିଏ ନିଜ ସ୍ଵାଭିମାନର ସୁରକ୍ଷା ପାଇଁ ଯେତିକି ଯତ୍ନବାନ ହୁଏ ତା’ ଭିତରର ଅନ୍ତଃର୍ନିହିତ ସୌନ୍ଦର୍ଯ୍ୟ ସେତିକି ବୃଦ୍ଧି ପାଏ। ସ୍ଵାଭିମାନର ସୁରକ୍ଷା ବିନା ମାନବର ହୃଦୟ ଓ ମନ
ଭାରାକ୍ରାନ୍ତ ହୋଇ ପଡ଼ୁଥିବା କାରଣରୁ ତା’ ଭିତରେ ଥିବା
ସୌନ୍ଦର୍ଯ୍ୟବୋଧ ମଳିନ ପଡ଼ିଯାଏ ଓ ତା କୋମଳ ଭାବନା ରୁକ୍ଷତାରେ ପରିଣତ ହୁଏ। ଫଳତଃ ତା’ ମଧ୍ୟରେ ଥିବା
ସୌନ୍ଦର୍ଯ୍ୟ ଭାବର ଅପମୃତ୍ୟୁ ହୁଏ। ଏକ ଦଗ୍ଧିଭୂତ ପ୍ରାଣକୁ ନେଇ ସେ ପ୍ରାଚୁର୍ଯ୍ୟକୁ ଅନୁଭବ କରିପାରେ ନାହିଁ। ଫଳତଃ ତା’ ବାହ୍ୟ
ସୌନ୍ଦର୍ଯ୍ୟରେ ଏ ପ୍ରଭାବ ପ୍ରତିଫଳିତ ହୁଏ । ସ୍ଵାଭିମାନର ପରିଭାଷାକୁ ଅନ୍ତଃର୍ନିହିତ ସୌନ୍ଦର୍ଯ୍ୟ ମାଧ୍ୟମରେ ଉପଲବ୍ଧି କରି ପାରିଲେ
ହିଁ ବ୍ୟକ୍ତିଗତ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଅନ୍ୟଥା ବ୍ୟକ୍ତିର ସୌନ୍ଦର୍ଯ୍ୟ ଅସନ୍ତୁଳିତ
ହୋଇଯାଏ। ତେଣୁ ଆମ ମଧ୍ୟରେ ଥିବା ସୌନ୍ଦର୍ଯ୍ୟବୋଧ ଅନ୍ତଃର୍ନିହିତ ଗୁଣାବଳୀ ମାଧ୍ୟମରେ ଯେ ପ୍ରତିଫଳିତ ହୁଏ ଏହା ନିଃସନ୍ଦେହ । ଆମ ଅନ୍ତଃର୍ନିହିତ ଗୁଣାବଳୀ ମାଧ୍ୟମରେ ଏହାକୁ ପରଖି ନେବା ଥରେ। ପ୍ରକୃତି ସୌନ୍ଦର୍ଯ୍ୟବୋଧର ପ୍ରତୀକ ସତ, କିନ୍ତୁ ପ୍ରକୃତିକୁ ଛାଡ଼ି ମଣିଷ ନିଜକୁ ପ୍ରକାଶ କରିପାରେନା । ପ୍ରକୃତି ଓ ମଣିଷ ପରସ୍ପର ପରିପୂରକ। ତେଣୁ ତ
ପ୍ରକୃତି ବିନା ମଣିଷ ଓ ମଣିଷ ବିନା ପ୍ରକୃତି ଅବ୍ୟବସ୍ଥିତ ମନେହୁଏ। ପ୍ରକୃତି ମଣିଷ ଜୀବନ ପଥରେ ପ୍ରତି
ମୁହୂର୍ତ୍ତରେ ଆସୁଥିବା ସଂଘର୍ଷ ସହ ମୁକାବିଲା କରିବା ନିମିତ୍ତ ମାନବକୁ ପ୍ରେରିତ କରେ। ଏକ ସଂଘର୍ଷମୟ ପର୍ଯ୍ୟାୟ ଦେଇ ହିଁ ତ ପ୍ରକୃତି ପ୍ରତି ମୁହୂର୍ତ୍ତରେ ଭିନ୍ନ ଭିନ୍ନ ସୌନ୍ଦର୍ଯ୍ୟବୋଧକୁ
ପ୍ରତିପାଦିତ କରିଥାଏ। ସେମାନେ ପରସ୍ପରର ପୃଷ୍ଠଭୂମି ଉପରେ ହିଁ ପ୍ରତିଷ୍ଠିତ । ପ୍ରାପ୍ତି ଓ ପ୍ରାଚୁର୍ଯ୍ୟରେ ଭରା ସେମାନଙ୍କର ପୃଷ୍ଠଭୂମି। ମାନବ ସେ
ପୃଷ୍ଠଭୂମିରେ କେବଳ ଏକ କାରକ ମାତ୍ର ଅଥବା ଏକ ସଂଗଠକ ମାତ୍ର। ପ୍ରକୃତି ଓ ସୌନ୍ଦର୍ଯ୍ୟର
ଉପଯୁକ୍ତ ପରିଚାଳନା କରି ଯେଉଁ ଦିବ୍ୟାତ୍ମାଗଣ ନିଜର ତଥା ରାଷ୍ଟ୍ରର ସ୍ଵାଭିମାନକୁ ଅକ୍ଷୁର୍ଣ୍ଣ ରଖି ପାରନ୍ତି, ସେମାନେ ହିଁ ଏ
ବିଶ୍ଵପୃଷ୍ଠରେ ଏକ ନିଆରା ସ୍ଥାନର ଅଧିକାରୀ ହୁଅନ୍ତି।
ତେଣୁ ଆସନ୍ତୁ, ସେଭଳି ଦିବ୍ୟାତ୍ମାମାନଙ୍କର ସେ ପ୍ରୟାସରେ ଅଂଶୀଦାର ହେବା।
Comments
Post a Comment