Stay tuned to my blog - 'ଆତ୍ମ-ମର୍ଯ୍ୟାଦା' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

     

ଆତ୍ମ-ସୁରକ୍ଷାର ଉପାୟକୁ ପ୍ରତି ମୁହୂର୍ତ୍ତରେ ସନ୍ଧାନ କରୁଥିବା ମାନବଗଣ ସର୍ବଦା ସନ୍ଦେହର କୁହୁଡ଼ି ବଳୟ ମଧ୍ୟରେ ନିଜ ନିଜର  ଆତ୍ମ ବିଶ୍ଵାସ ହରାଇ ଚାଲିଥାନ୍ତି ନିଷ୍ଠା ଓ ସାଧନାର ଅଭାବ ଯୋଗୁଁ। ନିଷ୍ଠା ଓ ସାଧନା ମାନବକୁ ପ୍ରତିଟି ସଂସାଧନ ପ୍ରଦାନ କରିଥାଏ ପ୍ରଗତି ପଥରେ ଅଗ୍ରସର ହେବା ପାଇଁ । ସାଧନା ବିନା ସଂସାଧନର ମୂଲ୍ୟାଙ୍କନ ହୋଇପାରେନାହିଁ। ତେଣୁ ଯେଉଁ ମାନବଗଣ ସାଧନା ଓ ସଂସାଧନକୁ ଏକତ୍ର ଗତିଶୀଳ କରାଇପାରନ୍ତି, ସେମାନେ ହିଁ ଏ ବିଶ୍ୱରେ ସର୍ବୋତ୍ତମ ପୁରୁଷ ବା ନାରୀ ରୂପେ ନିଜ ନିଜର ପୁରୁଷାର୍ଥକୁ ପ୍ରମାଣିତ କରିବାର ପଥକୁ ଉନ୍ମୁକ୍ତ କରିଥାନ୍ତି। ଆଉ ଏ ପଥରେ ଥରଟିଏ ଯାତ୍ରୀ ସାଜିଯିବା ପରେ ସେମାନଙ୍କର ଆତ୍ମବଳ ଦ୍ଵିଗୁଣିତ ହୋଇଯାଏ। ତେଣୁ ତ ସେମାନେ ନିଜ ନିଜର ଆତ୍ମବଳକୁ ପାଥେୟ କରି ସନ୍ଦେହର ଘୂର୍ଣ୍ଣିବଳୟ ମଧ୍ୟରୁ ନିଜ ନିଜକୁ ଉଦ୍ଧାର କରି ମାନବ ସମାଜକୁ ଉପଯୁକ୍ତ ନେତୃତ୍ଵ ପ୍ରଦାନ କରିବା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଚାଲନ୍ତି । ତେଣୁ ଏଥିରୁ ବୁଝିବାକୁ ହେବ ଯେ, ଆତ୍ମ ବିଶ୍ଵାସ ତଥା ଆତ୍ମବଳ ହିଁ ମଣିଷର ଆତ୍ମମର୍ଯ୍ୟାଦାକୁ ବୃଦ୍ଧି କରିବାରେ ସହାୟକ ହୁଏ ଏବଂ ସମୃଦ୍ଧିର ପ୍ରତିଟି ପାହାଚକୁ ଅନାୟାସରେ ଅତିକ୍ରମ କରିବା ପାଇଁ ପ୍ରଶସ୍ତ କ୍ଷେତ୍ରଟିଏ ପ୍ରସ୍ତୁତ କରିଦିଏ। ତେଣୁ , ସମୃଦ୍ଧିର ଏ ପର୍ଯ୍ୟାୟକୁ ଶ୍ରଦ୍ଧାର ସହିତ ଯେଉଁ ଆତ୍ମାଗଣ ଅତିକ୍ରମ କରିପାରନ୍ତି, ସେମାନଙ୍କ ପାଇଁ ହିଁ ଜୀବନ ସହଜ ଓ ସୁଗମ ହୁଏ। ଜୀବନରେ ଝଡ଼ଝଞ୍ଜା ଅନିବାର୍ଯ୍ୟ ବୋଲି ଏହି ସଫଳକାମୀ ଆତ୍ମାଗଣ ହୃଦୟଙ୍ଗମ କରିପାରିଥାନ୍ତି ବୋଲି ତ କ୍ଷଣିକ ଆନନ୍ଦ ବା ବିଶାଦରେ ଏମାନେ ବାଟବଣା ନ ହୋଇ ସ୍ଥିତପ୍ରଜ୍ଞ ଭଳି ପ୍ରତିଟି ଘଟଣା ଓ ଦୁର୍ଘଟଣାକୁ ସମଜ୍ଞାନ କରନ୍ତି। କ୍ଷଣିକ ମାୟା ଏଭଳି ଆତ୍ମାଗଣଙ୍କର ଚତୁଃପାର୍ଶ୍ଵରେ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିପାରେ ନାହିଁ। ଏଭଳି ଆତ୍ମାଗଣଙ୍କର ଜୀବନବ୍ୟାପି ସାଧନା ହିଁ ସେମାନଙ୍କୁ ପରିଚୟ ପ୍ରଦାନ କରି ଆତ୍ମମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ। ତେଣୁ ଆସନ୍ତୁ, ସେଭଳି ଆତ୍ମାଗଣଙ୍କର ପଦାଙ୍କ ଅନୁସରଣ ପୂର୍ବକ ସେମାନଙ୍କର ଆତ୍ମାନୁଶୀଳନଜନିତ ଆଦର୍ଶ ଓ ମୂଲ୍ୟବୋଧକୁ ଆମ ଜୀବନର ଜପାମାଳି କରି  ଆମ ଅପହୃତ ଆତ୍ମ-ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ।

Comments