କର୍ମପ୍ରବଣ ମଣିଷଟିଏ ସହସା କର୍ମମୟ ଦୁନିଆରୁ ଓହରି ଆସି ଏକ ରୁଦ୍ଧ ପରିବେଶ ମଧ୍ୟରେ ନିଜକୁ ଆବଦ୍ଧ କରିଦେଲେ ତା’ର ଜୀବନ୍ତ ମୃତ୍ୟୁ ଅନିବାର୍ଯ୍ୟ ହୋଇପଡେ। ବୟସ ଓ ଶକ୍ତି ନିର୍ବିଶେଷରେ ସେ ଅକାଳ ବାର୍ଦ୍ଧକ୍ୟ ଓ ଶକ୍ତିହୀନତାର ଶୀକାର ହୁଏ। ବୟସର ଅପରାହ୍ନରେ ତା’ ମନ-ଆକାଶରେ ଯେଉଁ କଳା ବାଦଲ ଘୋଟି ଆସେ, ତାହା ତା ଜୀବନ ପର୍ଯ୍ୟାୟକୁ ଶିଥିଳତାରେ ଭରିଦିଏ। କିନ୍ତୁ ଜୀବନର ଏଇ ଶିଥିଳତାକୁ ଯେଉଁମାନେ ସାହାସର ସହ ମୁକାବିଲା କରିପାରନ୍ତି ସେମାନଙ୍କ ପାଇଁ ଜୀବନର ପ୍ରତିଟି ପଦକ୍ଷେପ ଏକ ଏକ ଆହ୍ୱାନ ବୋଲି ମନେ ହୋଇଥାଏ। ଆଉ ଏହି ଆହ୍ଵାନକୁ ପାଥେୟ କରି ରାସ୍ତା ଚାଲୁଥିବା ମଣିଷମାନେ ହିଁ ସାମାଜିକ ନେତୃତ୍ୱକୁ ଗ୍ରହଣ କରି ଜନ ସମୁଦାୟଙ୍କ ମଧ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରନ୍ତି। ପ୍ରତିଟି ପରିସ୍ଥିତିରେ ଏମାନେ ଜୀବନ ବଞ୍ଚିବାର କଳା ଓ କୌଶଳକୁ ଏକ ଏକ ନୂତନ ଢଙ୍ଗରେ ଉପସ୍ଥାପନ ତଥା ପରୀକ୍ଷଣ କରି ନିଜର ଜୀବନକୁ ସୁରଭିତ ତଥା ସୌନ୍ଦର୍ଯ୍ୟମୟ କରିବା ସଙ୍ଗେ ସଙ୍ଗେ ଜାତୀୟ ଜୀବନକୁ ନିର୍ମାଣ କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ତେଣୁ ତ କୁହାଯାଏ, ଏମାନେ ସକାଳର ବାଳାଋଣ ଭଳି ଅଫୁରନ୍ତ ଉତ୍ସାହ ତଥା ଚେତନାର ଅଗ୍ରଦୂତ ଓ ସମ୍ଭାବନାର ପୂର୍ଣ୍ଣକୁମ୍ଭ । ଶୂନ୍ୟତା ମଧ୍ୟରେ ସେମାନେ ଦେଖନ୍ତି ଅଗଣିତ ପୂର୍ଣ୍ଣ କଳସର ସମ୍ଭାର। ଆଶାର ବୈତରଣୀ ଏମାନଙ୍କ ଠାରୁ ହିଁ ସୃଷ୍ଟି ହୁଏ। ତେଣୁ ଆସନ୍ତୁ, ନଦୀର ତରଙ୍ଗ ଭଳି ତରଙ୍ଗାୟିତ ଏଭଳି ଦିବ୍ୟାତ୍ମାଗଣଙ୍କୁ ସନ୍ଧାନ କରି ଏକ ରୁଦ୍ଧ ପରିବେଶରୁ ସେମାନଙ୍କୁ ସଯତ୍ନରେ ତଥା ସସ୍ନେହରେ ଉଦ୍ଧାର କରିଆଣି ସେମାନଙ୍କ ମଧ୍ୟରୁ ପ୍ରତି ମୁହୂର୍ତ୍ତରେ ଉତ୍ଥିତ ସକରାତ୍ମକ ଊର୍ଜାକୁ ଜାତୀୟ ଜୀବନ ନିର୍ମାଣ କରିବା ନିମିତ୍ତ ବିନିଯୋଗ କରିବା। କାରଣ ଏ ଜାତି ଆଜି ବି ଅର୍ଦ୍ଧନମିତ ଅବସ୍ଥାରେ ଏକ ସୁନେଲି ପ୍ରଭାତକୁ ପ୍ରତିକ୍ଷା କରିଛି। ଆଜିର ଯୁବ ସମାଜକୁ ସଠିକ୍ ଦିଗ୍ ଦର୍ଶନ ପ୍ରଦାନ କରିବା ପାଇଁ ଅନୁଭୂତି ସମ୍ପର୍ଣ୍ଣ ନେତୃତ୍ୱର ଆବଶ୍ୟକତା ରହିଛି। ତେଣୁ ଏହା ଉପଲବ୍ଧି କରି ସେଭଳି ଉତ୍ସାହୀ କର୍ମପ୍ରବଣ ଆତ୍ମାଗଣଙ୍କର ସ୍ଵାଗତ ଆମ କର୍ତ୍ତବ୍ୟ ନୁହଁ କି ?
Comments
Post a Comment