ଏବେ ଚାରିଆଡ଼େ ‘ଯୁଦ୍ଧଂ ଦେହି’ ର ଡାକରା । ଯୁଦ୍ଧ ହିଁ ସାମ୍ରାଜ୍ୟ ସ୍ଥାପନର ମାପକାଠି। ନିର୍ମାଣର ପରୋକ୍ଷ ପ୍ରତୀକ। ସଂଘର୍ଷ ବିନା ସମୃଦ୍ଧି ଦସ୍ତଖତ ଦିଏନା ସତ ; କିନ୍ତୁ ଯୁଦ୍ଧ ଅବା ସଂଘର୍ଷ ସକରାତ୍ମକ ଚିନ୍ତନକୁ ପାଥେୟ କରି ଗତିଶୀଳ ହେଲେ ଏହା ଦୁଷ୍ଟ ବିନାଶକାରୀ ହୋଇଥାଏ ଏବଂ ବିଶ୍ଵମଙ୍ଗଳ ପାଇଁ ଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତିଷ୍ଠା କରିଥାଏ। ସବିନୟ ବ୍ୟକ୍ତିଟିଏ ବଳଶାଳୀ ହେଲେ ଯୁଦ୍ଧର ମହତ୍ତ୍ୱ
ପ୍ରତିପାଦିତ ହୁଏ। କାରଣ ଯୁଦ୍ଧ ଏଭଳି ବ୍ୟକ୍ତିଟିଏ ପାଇଁ ଏକ ଖିଆଲ ନ ହୋଇ ଆବଶ୍ୟକତା ହୋଇଥାଏ
ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୁଦ୍ଧଜନିତ ସମସ୍ତ ଲାଭ-କ୍ଷତି
ପାଇଁ ସେ ନିଜେ ଦାୟୀ ରହେ। ପ୍ରଜା ଉତ୍ପୀଡନ ଏଭଳି ବ୍ୟକ୍ତିର ଲକ୍ଷ୍ୟ ହୁଏନା ବରଂ ପ୍ରଜା ପାଳନର ଅଭିପ୍ସାକୁ ନେଇ ଏଭଳି ବ୍ୟକ୍ତିମାନଙ୍କର ଶାସନ ସିଦ୍ଧି ଲାଭ କରିଥାଏ। ତେଣୁ ବୀରତ୍ଵର ସଂଜ୍ଞା ନିର୍ଦ୍ଧାରଣ କରିବା ବେଳେ ଯେଉଁ
ବ୍ୟକ୍ତିଗଣ ଏକ ସକରାତ୍ମକ ମାନସିକତାକୁ ନେଇ ‘ଯୁଦ୍ଧଂ ଦେହି’ ର ଡ଼ାକରା ଦିଅନ୍ତି, ସେଭଳି ବ୍ୟକ୍ତିମାନେ ହିଁ ପ୍ରଜା ମଙ୍ଗଳକାରୀ ରୂପେ
ଅଭିହିତ ହୁଅନ୍ତି। ତେଣୁ ଆସନ୍ତୁ, ‘ଯୁଦ୍ଧଂ ଦେହି’ ର ଡ଼ାକରାକୁ ସକରାତ୍ମକ ଦୃଷ୍ଟିଭଙ୍ଗୀରେ ଗ୍ରହଣ
କରି ଏକ ସକରାତ୍ମକ ଦିଗବଳୟରେ ଜନ ମଙ୍ଗଳ ପାଇଁ ସଂଘର୍ଷ ତ୍ୱରାନ୍ୱିତ କରିବା ଏବଂ ସେଥିରୁ
ନିର୍ଗତ ସମସ୍ତ ଊର୍ଜାକୁ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ବିନିଯୋଗ କରି
ପ୍ରତିଟି ପ୍ରାଣକୁ ଆହ୍ଲାଦିତ କରିବା । କାରଣ ପ୍ରଜାବର୍ଗଙ୍କର ମନ-ପ୍ରାଣ ଆହ୍ଲାଦିତ
ହେଲେ ହିଁ ତାହା ପରୋକ୍ଷରେ ଦେବାଶିଷ ହୋଇ ନିରନ୍ତର ଝରୁଥିବ ଏବଂ ସେହି ଆଶିଷ ନିର୍ଝରିଣୀ ନଦୀଟିଏ ହୋଇ ସବୁରି ପାଦକୁ ଛୁଇଁ ଚାଲିଥିବ ନିଷ୍କପଟ ହୃଦୟରେ ଯୁଗରୁ ଯୁଗକୁ । ସେ
ଝରଣାର ସ୍ୱଚ୍ଛ ଜଳକୁ ପାନ କରି ଏ ବିଶ୍ୱବାସୀ କଲ୍ୟାଣକାରୀ ହେବେ। ସେ ସମୟ ଉପନୀତ ଏବେ । ତାହେଲେ ପାରସ୍ପରିକ ସମ୍ପର୍କକୁ ମଧୁର କରି ଜନ ସଂଘର୍ଷକୁ ଗଠନ
ମୂଳକ କାର୍ଯ୍ୟରେ ବିନିଯୋଗ କରିବା ଆସନ୍ତୁ । ଆମରି ଇଚ୍ଛାଶକ୍ତି ହିଁ ଆମକୁ ଏ ଦିଗରେ
ତ୍ୱରାନ୍ୱିତ କରୁଥିବ ଯୁଗେ ଯୁଗେ ।
|
|
Comments
Post a Comment