ସମୟ ଏଠି ଅକ୍ଷୟ , ଅଜର ଏବଂ ଅମର । ସେ ପୁଣି ଅସୀମ ତଥା ପ୍ରସାରଣ ଶୀଳ ଅଥଚ
ତା 'ର ଏ ଅନନ୍ତ ଯାତ୍ରା ପଥରେ ସେ ପ୍ରତ୍ୟାବର୍ତ୍ତନଶୀଳ ନୁହଁ। ସମୟର ସେ ପ୍ରବାହମାନତା ନିକଟରେ
ପଦମର୍ଯ୍ୟାଦା ଅବା ପ୍ରତିପତ୍ତି ସର୍ବଦା ମୂଲ୍ୟହୀନ ମନେହୁଏ। କାରଣ ଏ ସୃଷ୍ଟିର ସ୍ଥାବର ଓ ଅସ୍ଥାବର ବିଷୟରାଜି ତା’ର ତ ଅଧୀନ। ସମୟର ଏ ପ୍ରବାହମାନତାକୁ ଉପଯୋଗ କରିପାରିଲେ ହିଁ ପ୍ରାଣୀଜଗତ ସଫଳତାର ସୋପାନକୁ ଅତିକ୍ରମ କରିପାରେ। ଅନ୍ୟଥା ସମୟର ନୀରବ ଚାବୁକ
ପ୍ରହାରରେ ପ୍ରାଣୀଜଗତ ସବୁରି ଅଲକ୍ଷ୍ୟରେ ରକ୍ତାକ୍ତ ହୁଏ ସିନା ,
କାହାରିକୁ କିଛି
କରିପାରେ ନାହିଁ ଅଥବା କାହାରି ଆଗରେ କିଛି ବ୍ୟକ୍ତ କରିପାରେ ନାହିଁ।
ସମୟର ଏ ପ୍ରବାହମାନ ଧାରା ପ୍ରତି ମୁହୂର୍ତ୍ତରେ କିଛି ନୂତନତ୍ଵ ଆବିଷ୍କାର ତଥା ଉଦ୍ଭାବନ କରେ ବୋଲି ଏହା ଚିର ସବୁଜ ଏବଂ ସାମର୍ଥ୍ୟକୁ ପ୍ରମାଣିତ କରିବାର ଏକ
ଉପଯୁକ୍ତ କ୍ଷେତ୍ର ତଥା ପ୍ରେରଣାର ମୂଳଉତ୍ସ । ସାଧନାର ଯଜ୍ଞବେଦିରେ ପ୍ରତ୍ୟେକ ମହାପୁରୁଷ ପଦବାଚ୍ୟ ବ୍ୟକ୍ତିବିଶେଷ ସମୟର ଏହି ପ୍ରବାହମାନ ତଥା ପ୍ରସାରଣଶୀଳ ସ୍ରୋତରେ ଭାସି ଭାସି ହିଁ ତ ଶ୍ରେଷ୍ଠତ୍ଵକୁ ପ୍ରାପ୍ତ
କରନ୍ତି। ଜୀବନରେ ପ୍ରାପ୍ତିର ସ୍ଵାଦକୁ
ସନ୍ଧାନ କରୁଥିବା
ପ୍ରତ୍ୟେକ ଆତ୍ମା ତେଣୁ ଏ ସମୟର ପ୍ରବାହମାନ ଗୁଣ ସମ୍ପର୍କରେ ସଚେତନ ହେବା ବିଧେୟ। କାରଣ
ସଚେତନତା ହିଁ ତ ସଫଳତାର ଆଦ୍ୟ ସୋପାନ। ତେଣୁ ଆସନ୍ତୁ, ଆମେ ସମୟର ପ୍ରଶସ୍ତ କ୍ଷେତ୍ରରେ ନିଜର ସଚେତନତାର ଗଭୀରତାକୁ ମାପିବା
ଏବଂ ଆମ ସଫଳ ଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ କରିବା। ପ୍ରତ୍ୟାଶା ଏଠି ପ୍ରତିଧ୍ଵନି ତୋଳି ଆକାଶ ବୁକୁରେ ଧକ୍କା ଖାଇ ଆମ ପାଖକୁ ପୁନଃ
ପ୍ରତ୍ୟାବର୍ତ୍ତନ ନ କରୁ ବୋଲି ଈଶ୍ୱରଙ୍କୁ ନିବେଦନ କରିବା । କାରଣ ପ୍ରତ୍ୟାଶା ପ୍ରତିଧ୍ଵନି ତୋଳି ପ୍ରତ୍ୟାବର୍ତ୍ତନ କଲେ ଅଦିନିଆ ଘଡ଼ଘଡ଼ି ଭଳି ଆମକୁ ଉପହାସ କରିବ ସିନା ଆମ ପାଇଁ ସଫଳତାର
ନାଲି କାର୍ପେଟ
ବିଛାଇବ ନାହିଁ।
ତେଣୁ ହେ ମୋର ନୂତନ ଆଶାୟୀଗଣ ! ଆସନ୍ତୁ, ଆମ ପୁରୁଷାର୍ଥକୁ
ପ୍ରମାଣିତ କରିବା ପାଇଁ ସମୟର ବିସ୍ତୀର୍ଣ୍ଣ ଅଗଣାରେ ଆମେ ପ୍ରତିଜ୍ଞାବଦ୍ଧ ହେବା ସମୟର ଉପଯୁକ୍ତ ବିନିଯୋଗ କରିବା ପାଇଁ ନଚେତ୍ ଆମ ତଥା କଥିତ ସଫଳତାକୁ ଦେଖି ସମୟ
ଆମକୁ ଉପହାସ କରିବ ।
Comments
Post a Comment