Stay tuned to my blog- ' ଶପଥ ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


ଦୀପାବଳୀର  ଦୀପଦାନ ଉତ୍ସବରେ ପ୍ରଦୀପ ଶିଖାରେ  ଅମାବାସ୍ୟାର ଅମା-ଅନ୍ଧକାର ଦୂରୀଭୂତ ହେଲାପରି ସ୍ଵଚ୍ଛ ହୃଦୟର ତେଜରେ ମନର ଅନ୍ଧକାରକୁ ମାନବ ନିରନ୍ତର ଦୂରୀଭୂତ 
କରିପାରିଲେ ହିଁ  ସମ୍ଭାବନାର ଶଙ୍ଖଧ୍ୱନିରେ ସେ ନିଜକୁ ଝଙ୍କୃତ କରିପାରେ ; ଅନ୍ୟଥା ତା’ର ସମସ୍ତ ସତ୍ତା ଓ ସମ୍ଭାବନା ମନର ଅନ୍ଧକାର କୋଠରୀରେ ଚିରଦିନ ଲାଗି ଆତ୍ମସମାଧି ଲଭିଥାଏ । ମଣିଷର ମନ ତ ଏଠି ଏକ ଅବୁଝା କିଶୋରୀ ଭଳି ଚଳଚଞ୍ଚଳ । ତା’ର ସଠିକ ନିୟନ୍ତ୍ରଣ କରାଯାଇ ନ ପାରିଲେ ସେ ଦାରୁଣ ଦୁଃଖର କାରଣ ହୁଏ । ତେଣୁ ସ୍ଵଚ୍ଛ ହୃଦୟର ତେଜୋଦୀପ୍ତ ଆଲୁଅରେ ମନକୁ ଆଲୋକିତ କରିପାରିଲେ ହିଁ  ମଣିଷର ଅନ୍ତରାତ୍ମାରେ ପରିବର୍ତ୍ତନ ଆସେ । ଏହି ପରିବର୍ତ୍ତନ ମଣିଷକୁ ରୂପାନ୍ତରିତ କରି ଏକ ମାୟାଚ୍ଛନ୍ନ ଆବେଶ ମଧ୍ୟରୁ ଏକ ଚିନ୍ମୟ ସ୍ଥିତିକୁ ନେଇଯାଏ । ଏହି ସ୍ଥିତିରେ ମଣିଷର ଭାରାକ୍ରାନ୍ତ ମନ ଆଶ୍ଵସ୍ତ ଲାଭ କରି ଭାରମୁକ୍ତ ହୁଏ ଏବଂ ତା’ ଚତୁଃପାର୍ଶ୍ଵରେ ଥିବା ଅମା-ଅନ୍ଧକାରକୁ ପୋଛି ନେଇଥାଏ । ସ୍ଵଚ୍ଛ ହୃଦୟରେ ପ୍ରଜ୍ଵଳିତ ମନର ଦୀପାଳି ମାନବକୁ ଆଲୋକିତ କରେ । ତା’ପରେ ଆରମ୍ଭ ହୁଏ ସମ୍ପର୍କ ସେତୁରେ ମିଳନର ମହାଯଜ୍ଞ । ଏ ମହାଯଜ୍ଞରେ ଶ୍ରଦ୍ଧାର ଭାବକୁ ନେଇ ପରସ୍ପର ସହ ସଂଯୁକ୍ତ ହେବାର ଅଭିପ୍ରାୟକୁ ପାଥେୟ କରି ଯେଉଁ ଦିବ୍ୟାତ୍ମାଗଣ ଆହୁତି ସାଜନ୍ତି ସେମାନେ ଏ ବିଶ୍ଵରେ ସମ୍ପର୍କର ଏରୁଣ୍ଡିବନ୍ଧ ମଧ୍ୟରେ ପରସ୍ପର ସହ ଅନନ୍ତ ଯୁଗ ଯାଏ ଅବସ୍ଥାନ କରନ୍ତି । ଅନ୍ୟଥା ଏକ ବିକ୍ଷିପ୍ତ ଇଲାକାର ସୀମାରେଖା ମଧ୍ୟରେ ଯନ୍ତ୍ରଣା ଜର୍ଜରିତ ହୋଇ ମଥାପିଟି ଏକ ଭଗ୍ନ ହୃଦୟକୁ ନେଇ ଏ ବିଶ୍ଵ ରଙ୍ଗମଞ୍ଚରୁ  ବାହୁଡ଼ି ଯା’ନ୍ତି । ବାହୁଡ଼ା ଯାତ୍ରା ଏଠି ଅନିବାର୍ଯ୍ୟ ଜାଣି ବି ମଣିଷ ତା’ ସ୍ୱଳ୍ପ ଅବଧିର ଅବସ୍ଥାନକୁ କାହିଁକି ଏଭଳି ଯନ୍ତ୍ରଣାସିକ୍ତ କରେ, ତାହା ଆଜି ବି ଏକ ଅନାବିଷ୍କୃତ ପୃଷ୍ଠା ଭିତରେ ରହସ୍ୟାବୃତ୍ତ । ତେଣୁ ଆସନ୍ତୁ , ଆଜିର ଏ ଦୀପଦାନ ଉତ୍ସବ ଆଲୁଅରେ ଖୋଜିବା ସେ ଅନାବିଷ୍କୃତ ରହସ୍ୟକୁ ଏବଂ ଏ ବିଶ୍ଵ ରଙ୍ଗମଞ୍ଚରେ ଜାଗୃତିର ଦୀପ ଜାଳି ମାନବୀୟ ମୂଲ୍ୟବୋଧକୁ   ଦୀପାଳି ଆଲୁଅରେ ସ୍ପଷ୍ଠ ପଢିବା ।

 

 

 

 

Comments