Stay tuned to my blog- 'ଦିବ୍ୟ ସୋପାନ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


ନିଜର କୃତକର୍ମ ପାଇଁ
ଆତ୍ମାନୁଶୀଳନର ଯଜ୍ଞବେଦୀରେ ପ୍ରତି ମୁହୂର୍ତ୍ତରେ ଆତ୍ମ ସମୀକ୍ଷା କରୁଥିବା ମାନବ ବେଳେ ବେଳେ ତା’ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସେ ଏବଂ ଏହି ଅନିୟନ୍ତ୍ରିତ ପରିସ୍ଥିତିର ଉପଯୁକ୍ତ ମୁକାବିଲା  ନ କରିପାରି ସେ ବିନା କାରଣରେ ଭାଗ୍ୟବାଦୀ ହୋଇପଡେ। ଜୀବନର ପ୍ରତିଟି ପଦକ୍ଷେପ ତା’ ପାଇଁ ଏକ ଏକ ଅଗ୍ନିପରୀକ୍ଷା ବୋଲି ତା’ ମଧ୍ୟରେ ଏ ସମ୍ପର୍କିତ ସଚେତନତାର ଅଭାବ ଯୋଗୁଁ ଭାଗ୍ୟର ଦ୍ଵାହି ଦେଇ କର୍ମାନୁସନ୍ଧାନ କରିପାରେ ନାହିଁ। ହେଲେ, ସାଧନା ବିନା ତ ସିଦ୍ଧି ମାନବକୁ ପ୍ରାପ୍ତ ହୁଏନା । ଆଉ  ଏ ସାଧନାର ଯଜ୍ଞବେଦୀ କେବଳ ଏକନିଷ୍ଠ କର୍ମୀମାନଙ୍କ ପାଇଁ ହିଁ ବନ୍ଦାପନାର ଅର୍ଘ୍ୟଥାଳି ନେଇ ସ୍ୱାଗତ ସଙ୍ଗୀତର ଧୂନ୍ ବାଦନ କରେ । ସାଧନା ବେଦୀରେ ଜୀବନ ଓ ଜ୍ଵଳନ ଏକତ୍ର ଗତିଶୀଳ।  ଏଠି ଯଜ୍ଞକୁଣ୍ଡର ଅଗ୍ନିଶିଖାରେ କର୍ମକୁ ଆହୁତି ଦେଉଥିବା ପ୍ରତିଟି ଏକନିଷ୍ଠ କର୍ମୀ ହିଁ  କର୍ମଫଳର  ମଧୁରତାକୁ ଆସ୍ୱାଦନ କରିପାରନ୍ତି । ତେବେ ଏ ଯଜ୍ଞକୁଣ୍ଡରେ  କର୍ମଫଳକୁ ଆହୁତି ଦେଉଥିବା ସେ ଦିବ୍ୟାତ୍ମାଗଣ ସ୍ୱପରିଶ୍ରମ ମାଧ୍ୟମରେ ନିଜ ମଧ୍ୟରେ ଯେଉଁ ଆତ୍ମ-ବିଶ୍ଵାସର ଚାରାଟିଏ ରୋପଣ କରନ୍ତି, ତାହା ହିଁ ସମ୍ଭବତଃ ସେମାନଙ୍କ ମଧ୍ୟରେ ଦୂରଦୃଷ୍ଟିସଂପନ୍ନ ହେବାର ସମସ୍ତ ଆଶାକୁ ଫଳବତୀ କରିଥାଏ ।  ତେଣୁ ତ ସେମାନେ ସହରର ନୀଳ ମଥାନରେ ଦିନ ଦ୍ଵିପ୍ରହରରେ ଆଲୋକ ବିତରଣ କରୁଥିବା ସୂର୍ଯ୍ୟଭଳି ଏ ଜଗତକୁ ସ୍ୱପ୍ରତିଭାରେ ଉଦ୍ ଭାସିତ କରିଥାନ୍ତି। ଜୀବନକୁ ମଧୁସିକ୍ତ କରିବା ପାଇଁ ସେମାନଙ୍କ ଜୀବନବ୍ୟାପି ସାଧନା ଏ ପ୍ରାଣୀ ଜଗତ ପାଇଁ ଯେଉଁ ଐଶୀ ଆଶିଷକୁ ଯାଚନା କରିଥାଏ, ତାହା ହିଁ ସମ୍ଭବତଃ ଏ  ସୃଷ୍ଟିରେ ପାପ ଭାରକୁ ହ୍ରାସ କରେ ।  ଅଶ୍ରୁ ବଦଳରେ ହସକୁ ପ୍ରଦାନ କରିପାରୁଥିବା ଏହି ଦିବ୍ୟାତ୍ମାଗଣ ଏ ବିଶ୍ୱରେ ପରିଶ୍ରମର ମୂଲ୍ୟାଙ୍କନ କରି ପରିଶ୍ରମୀ ବ୍ୟକ୍ତିମାନଙ୍କର ମୂଲ୍ୟବୋଧକୁ ସର୍ବଦା ପ୍ରତିଷ୍ଠା କରନ୍ତି। ସେମାନେ ହିଁ ପ୍ରମାଣିତ କରନ୍ତି ଯେ, ଏକନିଷ୍ଠ ପରିଶ୍ରମୀ ମାନବ ଜୀବନର ଗତିପଥକୁ ପରିବର୍ତ୍ତନ କରିପାରେ ଓ ମନୋବଳକୁ ବୃଦ୍ଧି କରେ ।  ଆବଶ୍ୟକ ସ୍ଥଳେ ଜନ୍ମ ଜାତକ ବି ଭୁଲ୍ ପ୍ରମାଣିତ ହୁଏ। ତେଣୁ ଆସନ୍ତୁ! ସାଧନା ଯଜ୍ଞରେ ପୁରୋହିତ ଓ ପୁରୋଧା ସାଜି କର୍ମ ମାଧ୍ୟମରେ ନିଜେ ଆହୁତି ପଡୁଥିବା ଏଭଳି ବିରଳାତ୍ମାମାନଙ୍କୁ ଜୀବନର ଆଦର୍ଶ କରିବା ।

 

Comments