Stay tuned to my blog - 'ପ୍ରେମର ପବିତ୍ରଧାରା କାହିଁକି କଳୁଷିତ ଆଜି ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 ପବିତ୍ର ପ୍ରେମର ସଂଜ୍ଞା ନିର୍ଦ୍ଧାରଣ କରିବାବେଳେ କାହିଁକି କେଜାଣି ଏ ମଣିଷ କ୍ଷଣଟିଏ ଅଟକିଯାଏ। ଅଧୁନା ଦିବ୍ୟପ୍ରେମର ଗଙ୍ଗାଧାରା ଏଭଳି କଳୁଷିତ ହୋଇପଡ଼ିଛି ଯେ, ଯେ କେହି ଦିବ୍ୟାତ୍ମା ଏ ଶବ୍ଦର ବ୍ୟବହାରିକ ଦିଗ ପ୍ରତି ସନ୍ଦିହାନ ହୋଇପଡ଼ିଥାନ୍ତି। ତା’ ହେଲେ ପ୍ରେମର ପବିତ୍ରଧାରା କ'ଣ ସତରେ କଳୁଷିତ ଆଜି? ପ୍ରେମ ତ ପୂର୍ଣ୍ଣତାର ଅନ୍ୟନାମ । ଉନ୍ମୁକ୍ତ ନିବିଡ଼ତାର ଦ୍ୟୋତକ....ସେ ପୁଣି ଏକ ନିରବ ପ୍ରକୃତିର ସ୍ପର୍ଶ। ସ୍ନେହୋତ୍ସଳା ସରଳ ଗ୍ରାମ୍ୟ ବାଳିକାଟିଏ ଭଳି ସେ ସ୍ଵଚ୍ଛ ଓ ଶୁଭ୍ର…. ସବୁରି ପ୍ରାଣର ସ୍ପନ୍ଦନ ତ ସିଏ ! ସବୁରି ଭିତରେ ବଞ୍ଚିବାର  ନୂତନ ଆଶାକୁ ତ ସେ ଭରିଦିଏ ଅକୁଣ୍ଠରେ। ତା’ ହେଲେ, ତା ମଧ୍ୟରୁ ପ୍ରତି ମୁହୂର୍ତ୍ତରେ ଝଙ୍କାର ତୋଳୁଥିବା ବଂଶୀର ରାଗିଣୀ କାହିଁକି ଆଜି ନୀରବି ଯାଇଛି? ତା’ ଭିତରର ଦିବ୍ୟ ଉନ୍ମାଦନା କାହିଁକି ଆଜି ବାଟବଣା ବ୍ୟକ୍ତି, ପୋଥି ତଥା ପତ୍ରିକା ମାଧ୍ୟମରେ? କଳ୍ପନାର ପାହାଡ଼ରେ ମଥା ରଖି କାହିଁକି ସେ ଆଜି ସତତ  ବିଡ଼ମ୍ବିତ? ଏଥିପାଇଁ କ'ଣ ସମାଜ ଦାୟୀ ନୁହଁ? ଦାୟିତ୍ୱବୋଧର ବୋଝକୁ ମୁଣ୍ଡାଇ ସେ କ'ଣ ଆଜି ନିଜସ୍ୱ କମନିୟତାକୁ  ଭୁଲି ଯାଇଛି? ନିଥର ଓ ନିଷ୍ଠୁର ହୋଇପଡ଼ିଛି? ଆସନ୍ତୁ, ଥରଟିଏ ପାଖରୁ ଦେଖିବା ତାକୁ।  ସେ’ ତ ସବୁରି ନିକଟରେ ନିବେଦନୀ ସଙ୍ଗୀତର ଧୂନ୍ ବଜାଏ। ତେଣୁ ବୋଧେ, ତା’ ନାଁ ନିବେଦିତା । ସେ’ ତ ଆବେଗର ଉତ୍ସ୍ବାସରେ ତଲ୍ଲୀନ ପ୍ରକୃତିର ଏକ ଚିରନ୍ତନ ସତ୍ୟ। ତା’ ହେଲେ, ସେ ସତ୍ୟ କାହିଁକି ଆଜି ଉପେକ୍ଷିତ? ଅଦ୍ଵିତୀୟ ପ୍ରୀତି ଓ ପ୍ରତ୍ୟୟର ପାଖୁଡ଼ାକୁ ବୁଣି ସବୁରି ପ୍ରାଣକୁ ସ୍ପନ୍ଦିତ କରିପାରୁଥିବା ଏ ଦିବ୍ୟ ଉପାଦାନର ମର୍ଯ୍ୟାଦା ଓ ମହତ୍ତ୍ଵକୁ ବିକୃତ କଲା କିଏ? ଆସନ୍ତୁ , ଥରଟିଏ ସଚେତନ ହେବା। ନିଦ୍ରା ଭଙ୍ଗ କରି ଜାଗ୍ରତ ହେବା । ମାନବର ମହତ ପଣିଆ ଆମ ଜାଗୃତିରୁ ହିଁ ତ ପରିସ୍ଫୁଟିତ। ଆମ ଜାଗୃତି ବିନା ସେ ଅବମାନନାର ଶିକାର ହେବ ନିଶ୍ଚୟ। ଆଉ ତା'ର ଅବମାନନା ଏ ମାନବ ଜାତି ପାଇଁ ଦୁର୍ଭାଗ୍ୟର କଳା ବାଦଲକୁ ସୃଷ୍ଟି କରିଚାଲିଥିବ ଯୁଗରୁ ଯୁଗକୁ। ତେବେ ସେ ଦୃଶ୍ୟ ଦେଖି ଆମେ ସୁଖରେ ଓ ସମୃଦ୍ଧିରେ କାଳାତିପାତ କରିପାରିବା ତ? ଯଦି ନା, ତେବେ ଆସନ୍ତୁ, ବିସ୍ମୃତ ହୋଇ ଆସୁଥିବା ପବିତ୍ର ପ୍ରେମର ଧାରାକୁ ପୁଣି ପ୍ରବାହିତ କରାଇବା।

 

 

Comments