Stay tuned to my blog - ' ମନ୍ଥନ ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ସମୁଦ୍ର ମନ୍ଥନରୁ ଅମୃତ ପ୍ରାପ୍ତ ହେବାଭଳି ମାନସିକ ମନ୍ଥନରୁ ଜ୍ଞାନ ପ୍ରାପ୍ତ ହୁଏ। ବୁଦ୍ଧିରୂପକ ରଜ୍ଜୁରେ ମନରୂପି ସାଗରକୁ ମନ୍ଥନ କରିବା ପାଇଁ ଯେଉଁ ଆତ୍ମାଗଣ ଭୀଷ୍ମ ଶପଥ ଗ୍ରହଣ କରନ୍ତି, ସେମାନଙ୍କର  ଜୀବନ ଆକାଶରେ ବିଫଳତା ରୂପି କଳା ବାଦଲ କଦାପି ଢାଙ୍କି ହୋଇଯାଏ ନାହିଁ ବରଂ ସଫଳତାର ସୂର୍ଯ୍ୟାଲୋକରେ ସେ ବାଦଲ ସ୍ୱତଃ ଅପସରି ଯାଏ। ଏଥିରୁ ସୁସ୍ପଷ୍ଟ ହୁଏ ଯେ, ମଣିଷ ଜୀବନରେ ସର୍ବଦା ଦୁଇଟି ପରିସ୍ଥିତି ହିଁ ନିଷ୍ପତ୍ତି ନେବା ବେଳେ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଗୋଟିଏ ଗ୍ରହଣୀୟ ଓ ଅନ୍ୟଟି ଅଗ୍ରହଣୀୟ। ତେବେ ପରିସ୍ଥିତି ଅନୁଯାୟୀ ଏ ଦୁଇଟି ମଧ୍ୟରୁ ମଣିଷ ଗୋଟିଏକୁ ସ୍ଵୀକାର କରିବାକୁ ବାଧ୍ୟ । କାରଣ, ‘ହଁ’ ଆଉ ‘ନା’ ର ଦ୍ଵନ୍ଦ ମଧ୍ୟରେ ସମ୍ଭାବ୍ୟକୁ କେହି ବି ଗ୍ରହଣ କରି ପାରନ୍ତି ନାହିଁ  ନିଷ୍ପତ୍ତିର ଅର୍ଗଳିରେ ଗ୍ରୀବାକୁ ସ୍ଥାପନ କରି  । କାରଣ ନିଷ୍ପତ୍ତିର ଅର୍ଗଳିରେ ଗ୍ରୀବାକୁ ସ୍ଥାପନ କରି  ଯେଉଁ ବ୍ୟକ୍ତି ଦ୍ଵନ୍ଦ ମଧ୍ୟରେ ସମୟ ଅତିବାହିତ କରେ ତା’ର ଆଗକୁ ବଢ଼ିବାର ସମସ୍ତ ପଥ ରୁଦ୍ଧ ହୋଇଯାଏ ଆଉ ଏକ ରୁଦ୍ଧ ଜୀବନକୁ ନେଇ ମଣିଷ ସଫଳତାର ସ୍ୱପ୍ନ ଦେଖିପାରେ ନାହିଁ। ତେଣୁ ତ କୁହାଯାଏ, ସଫଳତାକାମୀ ମଣିଷମାନେ ସର୍ବଦା ନିଷ୍ପତ୍ତିର ଅର୍ଗଳିରେ ଗ୍ରୀବା ରଖି ନିର୍ଭୀକ ଓ ଆତ୍ମ ବିଶ୍ଵାସୀ ହୋଇ ଆଗକୁ ଯିବାପାଇଁ ସାହାସ ବାନ୍ଧନ୍ତି । ଅନ୍ୟଥା ଏ ସଂସାର ସେହି ବ୍ୟକ୍ତିଗଣଙ୍କୁ ଭୀରୁ ଆଖ୍ୟା ପ୍ରଦାନ କରେ । ତେଣୁ ଜଣେ କାପୁରୁଷ ହିଁ ଭରଷାହୀନ ସମ୍ଭାବ୍ୟ ତତ୍ତ୍ଵକୁ ପାଥେୟ କରି ବଞ୍ଚିବା ଅପେକ୍ଷା ନିଷ୍ପତ୍ତିର ଯୂପକାଠ ଉପରେ ଗ୍ରୀବା ରଖି ମୃତ୍ୟୁକୁ ଆପଣେଇ ନେବା ଶ୍ରେୟସ୍କର କାରଣ ନିଷ୍ପତ୍ତି ଗ୍ରହଣ ନ କରିପାରୁଥିବା ବ୍ୟକ୍ତିଗଣ ମାନବ ସମାଜରେ ବଳିଷ୍ଠ ବ୍ୟକ୍ତିତ୍ୱ ହେବାର ସୁଯୋଗରୁ ବଞ୍ଚିତ ହୁଅନ୍ତି। ସେମାନେ କେବଳ ଅନ୍ୟର ପଦାଙ୍କ ଅନୁସରଣ କରି ରାସ୍ତା ଚାଲନ୍ତି। ତେଣୁ ଆସନ୍ତୁ, ସୂର୍ଯ୍ୟ ଭଳି ନିଜ ଆଲୁଅରେ ନିଜେ ଆଲୋକିତ ହେବା ପାଇଁ ବୌଦ୍ଧିକ ସତ୍ତାକୁ ରଜ୍ଜୁ କରି ମାନସିକ ମନ୍ଥନ କରି ଜ୍ଞାନ ପ୍ରାପ୍ତ କରିବା। ତେବେ ନିଷ୍ପତ୍ତିର ଯୂପକାଠ ଉପରେ ଗ୍ରୀବା ରଖି ଆଗକୁ ବଢ଼ିବାର ସ୍ୱପ୍ନ ଦେଖୁଥିବା ସଫଳକାମୀ ମଣିଷମାନେ ସ୍ଥିର ନିଶ୍ଚିତ ହୋଇ ବୌଦ୍ଧିକ ସତ୍ତାର ସଠିକ୍ ଉପଯୋଗ କରି ନିଷ୍ପତ୍ତି ଗ୍ରହଣ କରିବା ବିଧେୟ । ତେଣୁ  ମାନସିକ ମନ୍ଥନ ପ୍ରକ୍ରିୟାରେ ନିଜକୁ ସଶକ୍ତ କରିବା ଓ ଆମର ସଠିକ୍ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଜ୍ଞାନର କଷଟି ପଥରରେ ଶାଣିତ କରିବା।  କାରଣ ଆମର ଅତି ସାଧାରଣ ତ୍ରୁଟି ବି ବେଳେ ବେଳେ ରାଷ୍ଟ୍ରର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିପାରେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆମର ବ୍ୟକ୍ତିଗତ ମର୍ଯ୍ୟାଦା ଯୋଡ଼ି ହୋଇ ରହିଥିବା କାରଣରୁ ତାହା ଆମର ବି କ୍ଷତି ସାଧନ କରିଥାଏ । ଅର୍ଥାତ ଗୋଟିଏ ରାଷ୍ଟ୍ରର ନିର୍ମାଣ ପ୍ରକ୍ରିୟାରେ ବ୍ୟକ୍ତିବାଦତା ଯେତିକି ଗୁରୁତ୍ଵପୂର୍ଣ୍ଣ ରାଷ୍ଟ୍ରବାଦତା ବି ସେତିକି ଗୁରୁତ୍ୱପୂର୍ଣ୍ଣ ।  ତେଣୁ ଏ ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବିଳମ୍ବ ନ କରି । 

 

Comments