ଆତ୍ମବଳ ହିଁ ଐଶୀ ଶକ୍ତିର ଅନ୍ୟତମ ପ୍ରତିରୂପ। ଆତ୍ମବଳକୁ ପାଥେୟ କରି ଜୀବନର ଯାତ୍ରା ପଥରେ ଯେଉଁ ଉଦଯୋଗୀ ପ୍ରତିଭାଗଣ ସ୍ଵପ୍ରତିଭାର ଉପଯୁକ୍ତ ମୂଲ୍ୟାଙ୍କନ କରି ପୁରୁଷାର୍ଥକୁ ପ୍ରମାଣିତ କରିବା ନିମିତ୍ତ ଜୀବନର ରଣାଙ୍ଗନରେ ଅବତୀର୍ଣ୍ଣ ହୁଅନ୍ତି, ସେମାନଙ୍କର ଚଲାପଥ ସର୍ବଦା କୁସୁମିତ ହୋଇଥାଏ। ପ୍ରଚେଷ୍ଟା ବିନା ପ୍ରଗତି ଏକ ପ୍ରଳାପ ବୋଲି ଏହି ଆତ୍ମାଗଣ ହୃଦୟଙ୍ଗମ କରିସାରିବାପରେ ସେମାନଙ୍କ ମଧ୍ୟରେ ଥିବା ଆତ୍ମବଳ ପ୍ରଚେଷ୍ଟାର ପୃଷ୍ଠଭୂମିରେ ଦ୍ଵିଗୁଣିତ ହୋଇଥାଏ । ସେମାନଙ୍କର ଉକ୍ତ ଅନୁଭବ ହିଁ ସେମାନଙ୍କୁ ଜୀବନ ଯୁଦ୍ଧରେ ପ୍ରତିଟି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ଵାଭିମାନକୁ ଜାଗ୍ରତ କରାଏ । ସ୍ଵାଭିମାନ ବର୍ଷାରେ ଭିଜି ଭିଜି ନିଜ ପାଇଁ ସେମାନେ ଏ ବିଶ୍ୱ ପୃଷ୍ଠରେ ଯେଉଁ ସ୍ଥାନଟିଏ ସଂରକ୍ଷଣ କରନ୍ତି, ତାହା ବିଶ୍ୱର ସମୟ ରେଖାରେ ନଗଣ୍ୟ ମନେ ହେଲେ ବି ପରୋକ୍ଷରେ ଏହା ବିଶ୍ୱହିତ ପାଇଁ ବିନିଯୋଗ ହୋଇଥାଏ। 'ଯନ୍ତ୍ରଣା' ଜୀବନର ଅନ୍ୟନାମ ନୁହେଁ ବରଂ ସଂଘର୍ଷ ହିଁ ଜୀବନରେ ମୂର୍ଚ୍ଛନା ଭରିଦିଏ ବୋଲି ସେମାନେ ପ୍ରତି ମୁହୂର୍ତ୍ତରେ ପ୍ରମାଣ କରନ୍ତି ନିଜ ଆତ୍ମବଳକୁ ନେଇ। ଜୀବନର ପ୍ରତିଟି ପଦକ୍ଷେପରେ ସୃଷ୍ଟି ହେଉଥିବା ଝଡ଼ର ଆହବକୁ ଆତ୍ମବଳର ଯାଦୁଗରୀ ସ୍ପର୍ଶରେ ଶାନ୍ତ କରିବାର ସମସ୍ତ ଉପାୟ ତ ଏ ଦିବ୍ୟ ପ୍ରତିଭାଗଣଙ୍କ ନିକଟରେ ସର୍ବଦା ଉପଲବ୍ଧ । ଆଉ ଏ ମହନୀୟ ଉପଲବ୍ଧି ହିଁ ସମ୍ଭବତଃ ସେମାନଙ୍କୁ ଏ ବିଶ୍ୱ ସମୁଦାୟ ନିକଟରେ ସ୍ଵତନ୍ତ୍ର କରି ଗଢ଼ିତୋଳେ। ଆତ୍ମବଳ ତଥା ଐଶୀ ଚେତନାକୁ ଏକତ୍ର ଅନୁଭବ କରି ଏହି ବ୍ୟକ୍ତିଗଣ ଜୀବନର ପ୍ରତି ପଦକ୍ଷେପରେ ସାତ୍ତ୍ୱିକ ସୁଖ ଓ ସମୃଦ୍ଧିକୁ ଅନୁଭବ କରନ୍ତି ସର୍ବଦା । ସମୃଦ୍ଧିର ପୃଷ୍ଠଭୂମିରେ ଆତ୍ମବଳକୁ ନେଇ ବିଚରଣ କରୁଥିବା ଏହି ଦିବ୍ୟାତ୍ମାମାନେ ସୃଷ୍ଟିର ରହସ୍ୟକୁ ଉନ୍ମୋଚନ କରନ୍ତି ସୌନ୍ଦର୍ଯ୍ୟବୋଧ ମଧ୍ୟରେ । ଆତ୍ମବଳ ସୌନ୍ଦର୍ଯ୍ୟର ଅନ୍ୟନାମ ବୋଲି ଏମାନେ ଉପଲବ୍ଧି କରିଥାନ୍ତି ବୋଲି ବାହ୍ୟ ସୌନ୍ଦର୍ଯ୍ୟର ଲାଳସା ଏମାନଙ୍କୁ ସ୍ପର୍ଶ କରିପାରେ ନାହିଁ । ଏକ ସାତ୍ତ୍ୱିକ ସୌନ୍ଦର୍ଯ୍ୟର ଅନିର୍ବଚନୀୟ ରୂପମାଧୁରୀକୁ ଉପଲବ୍ଧି କରି ଏମାନଙ୍କ ଭାବନା ବିଶ୍ୱହିତ ପାଇଁ ଆତ୍ମ ପ୍ରକାଶ କରେ । ସାତ୍ତ୍ୱିକ ଭାବନାର ସମସ୍ତ ଦିବ୍ୟସତ୍ତା ସେମାନଙ୍କ ନିକଟରେ ନିହିତ ଥାଏ ବୋଲି ଏ ପ୍ରକାର ବ୍ୟକ୍ତିଗଣ କର୍ମ ମାଧ୍ୟମରେ ଐଶୀ ଆଶିଷକୁ ପ୍ରାପ୍ତ କରନ୍ତି । କର୍ମ ହିଁ ସେମାନଙ୍କର ଦେବାଳୟରେ ଭଗବାନ ରୂପେ ପୂଜାର୍ଚ୍ଚନା ପାଏ । ପ୍ରସ୍ତର ମୂର୍ତ୍ତିର ସ୍ଥିର ଶରୀର ମଧ୍ୟରେ ଭକ୍ତଟିଏ ଯାହା ସନ୍ଧାନ କରିପାରେ ନାହିଁ ତାହାକୁ ସେମାନେ ଏକ ସାଧାରଣ ଜୀବସତ୍ତା ମଧ୍ୟରେ କର୍ମ ମାଧ୍ୟମରେ ସନ୍ଧାନ କରନ୍ତି । ଏଭଳି ବ୍ୟକ୍ତିଗଣ ତେଣୁ ନିଜସ୍ଵ ଅନୁଭବକୁ ହିଁ ଐଶୀସତ୍ତାର ରୂପ ଦେଇ ପୂଜାର୍ଚ୍ଚନା କରନ୍ତି । କାରଣ ଅନୁଭବରୁ ଉପଲବ୍ଧ ଦିବ୍ୟଶିକ୍ଷା ବିଶ୍ୱର କୌଣସି ଶିକ୍ଷାନୁଷ୍ଠାନରେ ଉପଲବ୍ଧ ହୁଏନା । ଏହି ପ୍ରକାରର ଶିକ୍ଷା ଦେୟମୁକ୍ତ ଅଥଚ ବିଶ୍ୱରେ ସର୍ବାପେକ୍ଷା ଅଧିକ ମୂଲ୍ୟବାନ । ତେଣୁ ଆସନ୍ତୁ, ଏଭଳି ବ୍ୟକ୍ତିମାନଙ୍କର ପଦାଙ୍କ ଅନୁସରଣ କରିବା ।

Comments
Post a Comment