ଆଧ୍ୟାତ୍ମିକ ଚିନ୍ତନର ସୋପାନ ଶ୍ରେଣୀରେ ପାଦ ଥାପିଥିବା
ପ୍ରତ୍ୟେକ ଦିବ୍ୟାତ୍ମାଗଣ ଧ୍ୟାନ,ଧାରଣା ଓ ଧେୟ ମାଧ୍ୟମରେ ମାନସିକ ଅବସାଦକୁ ଦୂରୀଭୂତ
କରିଥାନ୍ତି ।
ଏହି ଦିବ୍ୟତ୍ମାଗଣ
ସକରାତ୍ମକ ଭାବନାର ଏକ ବୌଦ୍ଧିକ ପୃଷ୍ଠଭୂମିରେ ଯେଉଁ ଶକ୍ତି ବଳୟକୁ ଉତ୍ପନ୍ନ କରନ୍ତି, ତାହା ହିଁ ସମ୍ଭବତଃ ସେମାନଙ୍କୁ ସାଂସାରିକ ବନ୍ଧନରୁ ମୁକ୍ତ କରିଥାଏ। ଫଳତଃ ସେମାନଙ୍କ ମଧ୍ୟରୁ ଅବସାଦ ସ୍ଵତଃ ପ୍ରକ୍ରିୟାରେ
ଦୂରୀଭୂତ ହୋଇ ଏକ ଦିବ୍ୟାନନ୍ଦର ଅନୁଭୂତି ପ୍ରାପ୍ତ ହୁଏ। ଏହି ଦିବ୍ୟ ଅନୁଭୂତିକୁ ଦେୟମୁକ୍ତ ଭାବେ ପ୍ରାପ୍ତ କରି ସେମାନେ ଯେଉଁ
ଦିବ୍ୟପୁଞ୍ଜିକୁ ସଂଗ୍ରହ କରନ୍ତି, ତାହାକୁ ଅକୁଣ୍ଠରେ ଆବଶ୍ୟକତା ଅନୁଯାୟୀ ବିନିଯୋଗ ଓ ବିତରଣ କରି ସେମାନେ ସମାଜର ମଙ୍ଗଳ ବିଧାନ କରନ୍ତି।
ଏହି ସ୍ଥିତିରେ ନିଜର ତ୍ରୁଟିଯୁକ୍ତ କୃତକର୍ମ ପାଇଁ ଅନୁତାପର ଅଗ୍ନିକୁଣ୍ଡରେ ଦଗ୍ଧିଭୂତ ହୋଇ ଥରଟିଏ ପରିଶୋଧିତ ହେବାପରେ ବିଶୁଦ୍ଧ ସୁବର୍ଣ୍ଣସମ ନିଜସ୍ୱ ଔଜଲ୍ୟରେ ପ୍ରତିଟି ପ୍ରାଣକୁ ଆଲ୍ଲାଦିତ କରନ୍ତି। ଏହା ସତ୍ୟ
ଯେ,
ଅନୁତାପ ମଣିଷ
ମଧ୍ୟରେ ତ ବିଷାଦର ମାତ୍ରାକୁ ବୃଦ୍ଧି କରିଥାଏ କିନ୍ତୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅନୁତାପ ପରେ ମଣିଷ ଉକ୍ତ ବଳୟ ମଧ୍ୟରୁ
ନିଜକୁ ମୁକ୍ତ ନ କରିପାରିଲେ ସକରାତ୍ମକ ଚିନ୍ତନର ପୃଷ୍ଠଭୂମିରେ ନିଜ ମଧ୍ୟରେ ଥିବା ଦିବ୍ୟ
ପ୍ରତିଭାକୁ ସମାଜର ବୃହତ୍ତର ସ୍ଵାର୍ଥ ସାଧନ ପାଇଁ ବିନିଯୋଗ କରିପାରେ ନାହିଁ। ଯାହାକି, ଇତିହାସ ପୃଷ୍ଠାରେ ବାରମ୍ବାର ପ୍ରତିଫଳିତ ହୋଇଥିବା
ଦୃଷ୍ଟି ଗୋଚର ହୁଏ। "ଦସ୍ୟୁ ରତ୍ନାକରରୁ ବାଲ୍ମୀକି" ଲୋକଗଳ୍ପ ଏହାର ଏକ ପ୍ରକୃଷ୍ଟ ନମୁନା କହିଲେ ଅତ୍ୟୁକ୍ତି ହେବନାହିଁ। ସୁତରାଂ ଏହି
ପରିପେକ୍ଷୀରେ ବିଲୁପ୍ତପ୍ରାୟ ଅତୀତ ପୃଷ୍ଠାରୁ ଆଗକୁ ବଢ଼ିବାର ଆବଶ୍ୟକୀୟ ଉପାଦାନକୁ ସଂଗ୍ରହ
କରି ବର୍ତ୍ତମାନର ସିଲଟ ଉପରେ ସମାଜ ନିର୍ମାଣର ଏକ ସକରାତ୍ମକ ଚିନ୍ତନଯୁକ୍ତ ନକ୍ସା ଅଙ୍କନ କରିବା
ଆସନ୍ତୁ। କାରଣ ଏହି ନକ୍ସା ହିଁ ଆମର ବର୍ତ୍ତମାନ ସ୍ଥିତିକୁ ଅଧିକ ମୂଲ୍ୟାଙ୍କନ କରିପାରିବ ଓ ଉତ୍ତର ପିଢ଼ିଙ୍କୁ ଏକ ସକରାତ୍ମକ
ପୃଥିବୀରେ ପାଦ ଥାପିବା ପାଇଁ ପ୍ରେରିତ କରିବ । କାରଣ ସେମାନେ ହିଁ ତ
ଆସନ୍ତାକାଲିର ବିଶ୍ୱକର୍ମା ।
Comments
Post a Comment