Stay tuned to my blog - ' ସେମାନେ ନିଆରା ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ପ୍ରକୃତି ଓ ପୁରୁଷ ଫଗୁଣର ଶିହରଣଭରା ସାୟାହ୍ନରେ ଏକ ଅବରୁଦ୍ଧ ହୃଦୟ କୋଠରୀରେ ଗୋଟାଏ ବୃନ୍ତରେ ପ୍ରସ୍ପୁଟିତ ଦୁଇଟି ପୁଷ୍ପ । ଜଣେ ଅନ୍ୟ ଜଣକ ପାଇଁ ପ୍ରେରଣା,ସରସତା ଓ ମାଦକତାର ନିରନ୍ତର ଉତ୍ସ। ଚିର ବସନ୍ତର ସ୍ପର୍ଶରେ ସେମାନେ ଆହ୍ଲାଦିତ । ରାତ୍ରିର ନିରବତା ମଧ୍ୟରେ ଜ୍ୟୋତ୍ସ୍ନା ବିଧୌତ ପ୍ରହରରେ ସେମାନଙ୍କ ସମ୍ପର୍କ ରୁଦ୍ଧିମନ୍ତ। ନିଶାର୍ଦ୍ଧର  କ୍ଷୀଣ ଆଲୁଅରେ ବି ସେମାନେ ପରସ୍ପରକୁ ଦେଖିପାରନ୍ତି ବୋଲି ତ ସେମାନଙ୍କ ସମ୍ପର୍କ ନିଆରା ଏଠି। ହଳଦୀ ବସନ୍ତର ମତୁଆଲା ଡାକରେ ସେମାନେ ପରସ୍ପରକୁ ଜାଗ୍ରତ କରନ୍ତି ଏଠି ଆଗାମୀ କାଲିର ସମ୍ପର୍କକୁ ରୂପ ଦେବା ପାଇଁ। ସାଗରର ନିଳୀମାରେ ସେମାନେ ପରସ୍ପରର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରନ୍ତି ଏଠି। ସେମାନଙ୍କର ନୀରବ ଆଖିର ଭାଷା ହୃଦୟର ସ୍ପନ୍ଦନରେ ଛନ୍ଦମୟ ହୁଏ ନୀରବ ପ୍ରହରରେ ସବୁରି ଅଲକ୍ଷ୍ୟରେ। ସେମାନଙ୍କର ନୀରବ ଆଖିରେ ଥାଏ ଏକାଗ୍ରତାର ସହ ଅଭିନିବେଶ ହେବା ପାଇଁ ବୀଜମନ୍ତ୍ର । ଶବ୍ଦର ଝଙ୍କାର ମଧ୍ୟରେ ସେମାନେ ଆତ୍ମହରା ହୋଇ ଆତ୍ମ ସତ୍ତାକୁ ହରାଇଥାନ୍ତି ପରସ୍ପରର ଅନୁଧାବନ କରି। ସେମାନଙ୍କର ଏ ଜୀବନ୍ତ ସତ୍ତା ପ୍ରତି ମୁହୂର୍ତ୍ତରେ ସନ୍ଦେଶ ଦିଏ - "ପ୍ରତିଭାର ପୂଜା ହିଁ ତ ପ୍ରେମ"। ତେଣୁ ତ ସେମାନେ ପରସ୍ପର ପାଇଁ ବିନା ପ୍ରତିବାଦରେ ସାଜି ପାରନ୍ତି "ପୂଜାରୀ ଓ ପୂଜାରିଣୀ "। ପ୍ରାପ୍ତି ସେମାନଙ୍କ ପାଇଁ ଆଶାହୀନ ଆକାଶଟିଏ। ସମର୍ପଣର ଦୀପାଳୀରେ ତ୍ୟାଗର ଆକାଶ ଦୀପଟିଏ ଜାଳି ପ୍ରେମର ଚଉରା ମୂଳରେ ନିଷ୍କାମ ସଙ୍ଗୀତର ଧୂନ୍ ବଜାନ୍ତି ସେମାନେ ଏଠି ନିରନ୍ତର। ପ୍ରତିଦାନର ଚାଙ୍ଗୁଡ଼ିକୁ  ମୁଣ୍ତରେ ବୋହି ସେମାନେ ପ୍ରମାଣିତ କରନ୍ତି ଯେ ପ୍ରେମର ରାଇଜରେ ପ୍ରତିଭା ହିଁ ପ୍ରତିଟି ଆତ୍ମାକୁ କରିଥାଏ ବିକଶିତ ଏବଂ ରୁଦ୍ଧିମନ୍ତ ।  ସେମାନଙ୍କ ପାଇଁ ପ୍ରତିଭାର ଆକର୍ଷଣ ହିଁ ପ୍ରେମର ପ୍ରତିରୂପ। ବସନ୍ତର ଦୁର୍ଲଭ ସାନ୍ନିଧ୍ୟକୁ ସେମାନେ ନିଜ ନିଜର ତୃତୀୟ ନୟନକୁ ଉନ୍ମୁକ୍ତ କରି ଉପଭୋଗ କରିପାରନ୍ତି ଏଠି। ଫଗୁଣରେ ପରସ୍ପରର ମନର ଆକାଂକ୍ଷାକୁ ରୂପାୟିତ କରିବା ପାଇଁ ସେମାନେ ଆଙ୍କିପାରନ୍ତି ରୂପର ଛଟାକୁ । ଏକ ପୂର୍ଣ୍ଣାଙ୍ଗ ଜୀବନ ଧାରାକୁ ସେମାନେ ସୃଷ୍ଟି କରିପାରନ୍ତି ଶୂନ୍ୟତା ମଧ୍ୟରେ। ଏକ ଦେହାତୀତ ପ୍ରେମର ପ୍ରବାହ ସେମାନଙ୍କୁ ଶିହରିତ କରେ ବାରମ୍ବାର ଏଠି। କାରୁକଳାର ଅମର ଆଲେଖ୍ୟକୁ ସୃଷ୍ଟି କରିପାରନ୍ତି ସେମାନେ କଳ୍ପନା ମାଧ୍ୟମରେ ମନର କୋଣାର୍କ ଗାତ୍ରରେ। ସେମାନଙ୍କର ପ୍ରତିଟି କଳ୍ପନା ବାସ୍ତବତାର କାନଭାସ୍ ଉପରେ ରୂପାୟିତ ନ ହେଲେ ବି କଳ୍ପନା ରାଇଜରେ ସେମାନେ ଜୀବନ ଜିଇଁବାର ପ୍ରତିଟି ସ୍ପନ୍ଦନକୁ ଅନୁଭବ କରିପାରନ୍ତି। ପ୍ରେରଣାର ମୂର୍ଚ୍ଛନାରେ ସେମାନେ ପରସ୍ପରକୁ ଆକର୍ଷି ନିଅନ୍ତି ଏକ ସ୍ଵର୍ଗୀୟ ସୁଷମାଭରା ରାଇଜ ଆଡ଼କୁ ।  ତେଣୁ ତ ସେମାନେ ପ୍ରତି ମୁହୂର୍ତ୍ତରେ ଏକ ଯୌବନୋତ୍ସଳା ଆବେଗରେ ହୁଅନ୍ତି ବିଭୋର। ଏକ ଆବେଗ ଭରା ସମୟ ସର୍ବଦା ସେମାନଙ୍କର ପଥକୁ ଚାହିଁ ରହିଥାଏ ସେମାନଙ୍କୁ ସ୍ଵାଗତ କରିବା ପାଇଁ ବନ୍ଦାପନାର ଅର୍ଘ୍ୟଥାଳି ଧରି। ସେମାନେ ପରସ୍ପର ଦ୍ଵାରା ପ୍ରତାରିତ ଅବା ବିଡ଼ମ୍ବିତ ନୁହଁନ୍ତି କେବେ ବରଂ ପରସ୍ପରର  ଭାବନାକୁ ହୃଦୟଙ୍ଗମ କରି ଆପଣେଇ ନିଅନ୍ତି  ପ୍ରତିଟି ପରିସ୍ଥିତିକୁ । ପ୍ରତିଟି ଅସମ୍ଭବକୁ ସମ୍ଭବ କରିବାର ଦିବ୍ୟ ସ୍ଵପ୍ନ ସେମାନଙ୍କୁ ସଫଳତା ଆଡ଼କୁ ଆକର୍ଷିନିଏ ଏଠି। ଏକ ସୁନେଲି ସଫଳ ପ୍ରଭାତର ପ୍ରତୀକ୍ଷା କରି ପରାଜିତ ହୋଇନାହାନ୍ତି ସେମାନେ କେବେ। ତେଣୁ ଆସନ୍ତୁ, ସେମାନଙ୍କର ସେ ଧୈର୍ଯ୍ୟଶୀଳତାକୁ ଏବଂ ଏକନିଷ୍ଠତାକୁ ପାଥେୟ କରିବା ଆମେ ଆମ ଜୀବନର ସଫଳ ସକାଳଟିଏ ପାଇଁ। ତେଣୁ ତ ସେମାନେ ଦିବ୍ୟତାର ପ୍ରତୀକ ଓ ନିଆରା ଏଠି ! 

Comments