ବିନମ୍ର ଭାବନାର ସଜପାଖୁଡ଼ାକୁ ଆଞ୍ଜୁଳିରେ ଭରି ମାନବ ଯେତେବେଳେ ତା ସାଧନାର ପୂଜାବେଦୀ ଉପରେ କର୍ମରୂପୀ ଐଶୀସତ୍ତା ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ
କରିଦିଏ ସେତେବେଳେ ପ୍ରାପ୍ତିର ମଧୁପାତ୍ର ଧରି ସଫଳତା ମାନବର ପଦବନ୍ଦନା କରେ ଏବଂ ସେ ପରିବେଶକୁ ଶାଶ୍ଵତ ଭାବନାର ଦିବ୍ୟ
ମହକରେ ରୁଦ୍ଧିମନ୍ତ କରିବା ପାଇଁ ଦଶଦିଗପାଳଙ୍କର ବନ୍ଦାପନାର ସହସ୍ର ଅର୍ଘ୍ୟଥାଳୀ ସ୍ୱତଃସ୍ପୃତଭାବେ ଶୂନ୍ୟରୁ ଆଗମନ କରେ। ସକରାତ୍ମକ ଚେତନାର ଝିପ ଝିପ୍
ବର୍ଷାରେ ମାନବ ସମ୍ପୂର୍ଣ୍ଣ ସିକ୍ତ ହୋଇସାରିବା ପରେ ତା’ ମଧ୍ୟରେ ଯେଉଁ ଅଦ୍ଵିତୀୟ ଚେତନା ଉଦୟ ହୁଏ, ତାହା ସୂର୍ଯ୍ୟର ତେଜଠାରୁ ଆହୁରି ତେଜୀୟାନ୍ ମନେହୁଏ; ଆଉ ଏଭଳି ବ୍ୟକ୍ତିଗଣଙ୍କର ବ୍ୟକ୍ତିତ୍ୱ ସୂର୍ଯ୍ୟସମ
ପ୍ରତିଟି ବସ୍ତୁକୁ ନିଜ ଚେତନା ବଳୟ ମଧ୍ୟରେ ସସ୍ନେହରେ ଓ ସଯତ୍ନରେ ସଂସ୍କାରିତ କରେ। ସଂସ୍କାର ପ୍ରକ୍ରିୟା ଏକ
ନିରନ୍ତର ପ୍ରବାହ ହୋଇଥିବା କାରଣରୁ ଏହାର ସଫଳ ପ୍ରାପ୍ତି ପାଇଁ ପ୍ରତୀକ୍ଷା ଅନିବାର୍ଯ୍ୟ ମନେହୁଏ। “ପ୍ରତୀକ୍ଷାର ଫଳ ସୁମିଷ୍ଟ ନିଶ୍ଚୟ” - ଏହି ଆପ୍ତବାକ୍ୟକୁ ପାଥେୟ କରି ସଂସାରର ପ୍ରତ୍ୟେକ ପ୍ରାଣୀ ତ ଆଶାବାଦୀ ଏଠି। ତେବେ ଆଶା
ସକରାତ୍ମକ ହେଲେ ତାହା ଏ ବିଶ୍ୱ ପାଇଁ ଅମୃତର ଧାରା ହୋଇ ପ୍ରତି ପ୍ରାଣକୁ ଆହ୍ଲାଦିତ କରେ। ଅନ୍ୟଥା ଏହା ବିଶ୍ଵକୁ ଧ୍ଵଂସମୁଖୀ କରିଦିଏ ଏବଂ ବିପର୍ଯ୍ୟୟର କାହାଣୀ ଲେଖେ। ତେବେ ଶାଶ୍ଵତ ଚେତନାରେ ରୁଦ୍ଧିମନ୍ତ ମାନବ ବିଶ୍ୱର ଏ ବିପର୍ଯ୍ୟୟ ଆଗମନ ପୂର୍ବରୁ
ନିଜକୁ ସକରାତ୍ମକ ସାତ୍ତ୍ଵିକ
ଚେତନାର ପ୍ରଭାବରେ “ବେଳୁ ହିଁ ସାବଧାନ” ନୀତିର
ଅବଲମ୍ବନ କରିପାରିଲେ ନିଜର ତଥା ଦେଶର ମଙ୍ଗଳ ସାଧିତ ହୁଏ। ତେଣୁ ଆସନ୍ତୁ, ବିନମ୍ର ଭାବନାର
ସଜପାଖୁଡ଼ାକୁ ପୁଞ୍ଜି କରି ବିଶ୍ଵ ନିର୍ମାଣ ପାଇଁ ସକରାତ୍ମକ ଚେତନାର ବର୍ଷା ବିନ୍ଦୁରେ ନିଜକୁ ସିକ୍ତ କରିବା। ଆମେ ଆମ ସ୍ଵାଭିମାନଭରା ଭାବଧାରାକୁ ଏ କ୍ଷେତ୍ରରେ ବିନିଯୋଗ
କରିବା ଆମରି ସ୍ଵପ୍ନ ଓ ସମ୍ଭାବନାର ପ୍ରଦୀପ ଜାଳି ; ଯାହାକି ଏ ଜାତିକୁ ଆହ୍ୱାନ ଦେବ ନିଶ୍ଚୟ ଜାଗ୍ରତ
ହେବା ପାଇଁ। ଆମେ ଜାଗ୍ରତ ହେଲେ ଆମ ମଧ୍ୟରେ ଯେଉଁ ଝଙ୍କାର ସୃଷ୍ଟି ହେବ ତାହା ଏ ବିଶ୍ଵକୁ ଝଙ୍କୃତ କରିବ ନିଶ୍ଚୟ। ତେବେ ସେ ପ୍ରତିଧ୍ଵନିକୁ
ତୋଳି ଧରିବାକୁ ଆଉ ବିଳମ୍ବ କାହିଁକି?
Comments
Post a Comment