Stay tuned to my blog - 'ସ୍ପନ୍ଦନ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

      ଏକ ସ୍ପନ୍ଦନହୀନ ପ୍ରଭାତର ପ୍ରତିଟି ମୁହୂର୍ତ୍ତକୁ ସ୍ପନ୍ଦିତ କରିବାର ପବିତ୍ର ଅଭିପ୍ରାୟକୁ ନେଇ ମାନବ ଯେତେବେଳେ ବାଳାରୁଣସହ ତା’ ଗତିକୁ ତ୍ୱରାନ୍ୱିତ କରେ, ତା’ ମଧ୍ୟରେ ନିର୍ମାଣ ପ୍ରକ୍ରିୟାର ସକରାତ୍ମକ ମନ୍ତ୍ରଧ୍ୱନି ନିରନ୍ତର ଝଙ୍କୃତ ହୁଏ । ଏହି ପ୍ରତିଧ୍ୱନିର ପ୍ରତିଟି ନାଦ ତା’ ଚତୁଃପାର୍ଶ୍ଵରେ ଥିବା ଗଗନପବନକୁ ଦିବ୍ୟତାରେ ଭରିଦିଏ । ଏକ ଯୌବନୋତ୍ସଳା ଗଠନମୂଳକ ମାନସିକତାକୁ ନେଇ ସେ କର୍ମପ୍ରବଣ ହୋଇଉଠେ। କର୍ମ ହିଁ ମାନବର ଆଦ୍ୟ ଏବଂ ଅନ୍ତିମ ପରିଚୟକୁ ସୃଷ୍ଟିକରେ ।  ତେଣୁ ତ ସ୍ପନ୍ଦନହୀନ ପ୍ରଭାତକୁ ସ୍ପନ୍ଦିତ କରିବା ପାଇଁ ମାନବ ସର୍ବଦା କର୍ମର ସାହାରା ନିଏ ।  ଏହା ପୁଣି ସକରାତ୍ମକ ପୃଷ୍ଠଭୂମିରେ ଅଧିକ ଜାଜ୍ଜ୍ଵଲ୍ୟମାନ ହୋଇଥାଏ । କର୍ମ ପ୍ରବଣତା ପ୍ରଗଳ୍ଭତା ନୁହଁ ବରଂ ପ୍ରବାହିତ ହେବାର ଆଦ୍ୟ ସଂକେତ । ତଟିନୀ ପ୍ରବହାମାନ ବୋଲି ତ ସେ ନୂତନତ୍ୱର ଦ୍ୟୋତକ । ପ୍ରତିକ୍ଷଣ ତା’ ପାଇଁ ନବଉନ୍ମାଦନା  ଏବଂ ନବଯୌବନର ପୁଲକରେ  ଭରା  । ଜୀବନଯମୁନାର ଉଜାଣି ସ୍ରୋତରେ ପ୍ରତିଟି ପ୍ରଭାତର ପ୍ରତିଟି ମୁହୂର୍ତ୍ତ ମାନବକୁ ସଚେତନ କରିଥାଏ ଜୀବନ ଜିଇଁବାର ମନ୍ତ୍ର ସମ୍ପର୍କରେ। ଜୀବନ ଜିଇଁବାର ମନ୍ତ୍ରକୁ ପ୍ରଭାତର ପ୍ରତିକ୍ଷଣରେ ଅନୁଭବ କରିପାରିଲେ  ହିଁ  ଜୀବନ ଗତିଶୀଳ ହୁଏ ଏବଂ ନବଉନ୍ମମାଦନାରେ ଭରିଯାଏ ପ୍ରତିଟି ମୁହୂର୍ତ୍ତ । ପ୍ରାପ୍ତି ଏଠି ବାଟବଣା ହୁଏ ପ୍ରବାହ ବିନା । ଜୀବନ ସ୍ଥାଣୁ ପାଲଟି ଯାଏ। ତେଣୁ ତ ବୋଧେ ବାଳାରୁଣ ଓ ଧରିତ୍ରୀ ପାଦରେ ପାଦକୁ ଛନ୍ଦି ଗତିଶୀଳ ହୁଅନ୍ତି ନିରନ୍ତର ଏବଂ ସୃଷ୍ଟିତତ୍ତ୍ଵର ସନ୍ଦର୍ଭକୁ ଲେଖନ୍ତି ସାଥି ହୋଇ । ଏକ କର୍ମମୟ ଜୀବନ ହିଁ ମଣିଷକୁ ଅନିବର୍ଚ୍ଚନୀୟ  ରୂପମାଧୁରୀ ପ୍ରଦାନ କରେ । ଆମ ସୌନ୍ଦର୍ଯ୍ୟବୋଧ ସାଧନାର କଷ୍ଟିପଥରରେ ଅଧିକ ଦେଦୀପ୍ୟମାନ ହୋଇ ଅପ୍ରାପ୍ତି ଭିତରେ ପ୍ରାପ୍ତିର ସନ୍ଧାନ କରେ । ପ୍ରାପ୍ତି ଏକ ମାନସିକ ସ୍ଥିତି । ଏ ମାନସିକ ସ୍ଥିତିର  ଅଧିନ ହୋଇସାରିବା ପରେ ମଣିଷ ଏକ ଦିବ୍ୟ  ସାମ୍ରାଜ୍ୟରେ ପ୍ରବେଶ କରେ, ଯେଉଁଠାରେ କି ମଣିଷ ପାଇଁ ପ୍ରତିଟି ସମାଧାନ ଏକ ନିର୍ଦ୍ଦିଷ୍ଟ ସକରାତ୍ମକ ବଳୟ ମଧ୍ୟରେ ଉପଲବ୍ଧ ହୁଏ । ତେବେ ସେ ଦିବ୍ୟ ଉପଲବ୍ଧିକୁ ଆମେ ଆମ ଭିତରେ  ଧରି ନ ରଖିବା ପର୍ଯ୍ୟନ୍ତ ଆମେ ଏହି ଜଗତରେ ଲକ୍ଷ୍ୟହୀନ ହୋଇ ଭ୍ରମିତ ହେଉଅଛୁ । ତେବେ ଏ ଭ୍ରମିତ ମୁହୂର୍ତ୍ତମାନଙ୍କୁ ଏକତ୍ର କରି ଆମେ ଅନୁସନ୍ଧାନ କରି ଚାଲିଛୁ ଆମ ବିଫଳତାର କାରଣ । କାଳେ, ଆମର ସେ ଅନୁସନ୍ଧାନ ସେ ସ୍ପନ୍ଦିତ ସକାଳରେ ସଫଳତା ଆଣିଦେବ । ବସନ୍ତର ପତ୍ରଝଡ଼ା ପରେ ବୃକ୍ଷଟିଏ ପଲ୍ଲବିତ ହେବାଭଳି ପ୍ରତିଟି ଚନ୍ଦ୍ରାସ୍ତ ପରେ ପ୍ରତି ପ୍ରଭାତର ସୂର୍ଯ୍ୟରେ ଥାଏ ସଞ୍ଚରିବାର ଅଫୁରନ୍ତ ଶକ୍ତି । ସେ ସଞ୍ଚରଣର ମହାଶକ୍ତି ହିଁ ତ ମାନବ ଜୀବନର ପ୍ରେରଣା  ସାଜି ତା’ ଜୀବନଚକ୍ରକୁ ବୃତ୍ତାକାର ଗତିରେ ପୁନଃପୁନଃ ସୃଷ୍ଟି ପ୍ରକ୍ରିୟାକୁ ତ୍ଵରାନ୍ୱିତ କରେ ଏବଂ ଏହାର ବ୍ୟତିକ୍ରମ ଦେଖାଦେଲେ  ତାହା ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରେ । ପ୍ରତିଟି ସ୍ପନ୍ଦନହୀନ ପ୍ରଭାତକୁ ଶବ୍ଦ ହିଁ ସ୍ପନ୍ଦିତ କରେ । ଶବ୍ଦ ବିନା ନାଦ ଏବଂ ନାଦ ବିନା ପ୍ରବାହ ସମ୍ଭବ ନୁହଁ ।  ତେଣୁ ଆସନ୍ତୁ , ଜୀବନକୁ ଛନ୍ଦମୟ କରି ଗଢି ତୋଳିବାକୁ  ପ୍ରତିଟି ପ୍ରଭାତକୁ ଛନ୍ଦାୟିତ କରିବା ଆଉ ଏ  ଛନ୍ଦାୟିତ ପ୍ରଭାତ ହିଁ ମଣିଷକୁ ପ୍ରେମମୟ କରିବ କର୍ମପ୍ରବଣ ହେବା ପାଇଁ ।


 

Comments