Stay tuned to my blog- ' ବରଦାନ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 ପ୍ରତୀକ୍ଷାର ପରିସମାପ୍ତି ପରେ ମାନବକୁ ଯେଉଁ ଦିବ୍ୟ ଅବସର ପ୍ରାପ୍ତ ହୁଏ  ତାହା ଅତୀବ ନିଆରା । ପ୍ରତୀକ୍ଷାଜନିତ ଧୈର୍ଯ୍ୟବିନ୍ଦୁର ସମାହାରରେ ତତ୍ପରବର୍ତ୍ତୀ ଅବସର ସିନ୍ଧୁର ରୂପ ନିଏ ବୋଲି ତ ଏହାର ମାଧୁର୍ଯ୍ୟ ସ୍ଵତନ୍ତ୍ର । ଏହି ଦିବ୍ୟ ଅବସରର ଉପଯୋଗ କରିପାରୁଥିବା ବ୍ୟକ୍ତିଗଣ ହିଁ ମହାପୁରୁଷ ପଦଚାଚ୍ୟ  ହୁଅନ୍ତି କାରଣ ଏହି ପର୍ଯ୍ୟାୟରେ ଆତ୍ମସମୀକ୍ଷାଜନିତ ଅନୁଭୂତି ମାନବର ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ଜ୍ୟାମିତିକ ଗତିରେ । ବିତି ଯାଇଥିବା ପ୍ରତିଟି ମୁହୂର୍ତ୍ତର ମୂଳଦୁଆ ଉପରେ ଆଗାମୀ କାଲିକୁ ନିର୍ମାଣ କରିବାକୁ ଏହି ପର୍ଯ୍ୟାୟରେ ମଣିଷ ସ୍ୱପ୍ନ ଦେଖେ ଏବଂ ସେ ସ୍ୱପ୍ନକୁ ପୂରା କରିବା ପାଇଁ ନିଜ ଅନୁଭୂତି ଓ ଅନୁଭବରୁ ହିଁ ପ୍ରେରଣା ପାଏ । ଅନ୍ୟ ଦ୍ୱାରା ପ୍ରେରିତ ହେବା ଅପେକ୍ଷା ନିଜଦ୍ୱାରା ପ୍ରେରିତ ହୋଇପାରିଲେ ଏକ ଦିବ୍ୟାନନ୍ଦ ପ୍ରାପ୍ତ ହୁଏ ଏବଂ ମଣିଷ ନିଜ ଅନୁଭୂତିରୁ ନିଜ ଜୀବନର ପ୍ରତିଟି ତ୍ରୁଟିକୁ ଅତି ପାଖରୁ ଦେଖିଥାଏ  । ଫଳତଃ ତ୍ରୁଟି ସୁଧାରିବାର ପଥ ଅଧିକ ସୁଗମ ହୁଏ । ଏଭଳି ସ୍ଥିତିରେ ନିଜେ ହିଁ ନିଜର ପଥପ୍ରଦର୍ଶକ ହେବାର ସୁଯୋଗ ପ୍ରାପ୍ତ ହୁଏ । ଆତ୍ମତୃପ୍ତିକୁ ନିରନ୍ତର ଉପଲବ୍ଧି କରିହୁଏ । ନିଜ ଅନୁଭୂତିରୁ ତଥ୍ୟ ସଂଗ୍ରହ କରି ଜୀବନ ଜିଇଁବାର କଳାକୁ ଆପଣେଇ ନେଇଥିବା ବ୍ୟକ୍ତିଗଣ ନିଜ ସ୍ଵ।ଭିମାନକୁ ସଂରକ୍ଷିତ ରଖିପାରନ୍ତି । ଫଳତଃ ସ୍ଵ।ଭିମାନୀ ବ୍ୟକ୍ତିଗଣ ନିଜ ନିଜର ସ୍ଵ।ଭିମାନକୁ  ବଞ୍ଚାଇବାକୁ ଯାଇ ନିଜେ ବହୁ କ୍ଷେତ୍ରରେ ଆତ୍ମପ୍ରଗତିକୁ ତ୍ଵରାନ୍ୱିତ କରନ୍ତି । ଏହି ପ୍ରଗତିର ଧାରା ପ୍ରତ୍ୟେକଙ୍କ ନିକଟରେ ନିରନ୍ତର ଦେଖାଦେଲେ ଜାତୀୟ ପ୍ରଗତି ତ୍ଵରାନ୍ୱିତ ହୁଏ । ଏହି ପ୍ରକ୍ରିୟା ଶୈଶବରୁ କୈଶୋରାବସ୍ଥା ଦେଇ ଯୌବନ ଓ ପ୍ରୌଢତ୍ଵରେ ପ୍ରତିଫଳିତ ହେଲେ ଦେଶ ତଥା ନିଜର ସର୍ବାଙ୍ଗୀଣ ଉନ୍ନତିରେ ସହାୟକ ହୋଇଥାଏ । ପ୍ରତୀକ୍ଷିତ ମୁହୂର୍ତ୍ତସମୂହ ମଣିଷ ପାଇଁ ଅଲକ୍ଷ୍ୟରେ ଆଶୀର୍ବାଦ ହୋଇଥାଏ । କାରଣ ଇତ୍ୟାବସରରେ ମଣିଷ ଯେଉଁ ଶୂନ୍ୟତାକୁ ଅନୁଭବ କରେ ତାହା ମଣିଷକୁ ପରବର୍ତ୍ତୀ ଜୀବନରେ ପୂର୍ଣ୍ଣତା ପ୍ରାପ୍ତି ପାଇଁ ସାହାଯ୍ୟ କରେ । ପୂର୍ଣ୍ଣତା ମଣିଷର ଏକ ମାନସିକ ସ୍ଥିତି । ତେଣୁ ତ ଏ ସ୍ଥିତିର ଆଗମନ ପୂର୍ବରୁ ମଣିଷ ନିଜକୁ  ପରିତୃପ୍ତ କରିପାରେ ନାହିଁ  । ଏହା ପୁଣି ଏକ ଆପେକ୍ଷିକ ତତ୍ତ୍ଵ ହୋଇଥିବା କାରଣରୁ ଏହି ପର୍ଯ୍ୟାୟ ପ୍ରତ୍ୟେକଙ୍କ ଜୀବନରେ ସମାନ ସମୟ ବ୍ୟବଧାନରେ ଆସେ ଏବଂ ଏଥିପାଇଁ କୌଣସି ବୟସର ପରିପକ୍ଵତା ଆବଶ୍ୟକ ହୋଇନଥାଏ । ସ୍ଥାନ, କାଳ ଓ ପାତ୍ର ନିର୍ବିଶେଷରେ ଏ ପ୍ରକ୍ରିୟା ପରିବର୍ତ୍ତନଶୀଳ । ଏହାର ମାଧୁର୍ଯ୍ୟରେ ତଲ୍ଲୀନ ମଣିଷ କେତେବେଳେ ଭ୍ରମିତ ହୋଇଥାଏ ତ ଅନ୍ୟ କେତେବେଳେ ଭ୍ରମାତ୍ମକ ସ୍ଥିତିରୁ ସ୍ଵତଃ ବାହାରି ଆସିଥାଏ । ପ୍ରତୀକ୍ଷିତ ମୁହୂର୍ତ୍ତମାନଙ୍କର ତର୍ଜମା କରି ତା’ର ସକାରାତ୍ମକ ଦିଗକୁ ଆବିଷ୍କାର କରିପାରିଲେ ହିଁ ମଣିଷ ଶାନ୍ତି ପାଏ । ତେଣୁ ଆସନ୍ତୁ, ପ୍ରତୀକ୍ଷିତ ମୁହୂର୍ତ୍ତମାନଙ୍କୁ ଗଭୀର ଭାବେ ତର୍ଜମା କରି ସେହି ଅନୁଶୀଳନଜନିତ ଜ୍ଞାନକୁ ବିତରଣ କରିବା । ଏହି ବିତରଣଜନିତ ଆନନ୍ଦ ଆମକୁ କର୍ମମୁଖର କରିବ ନିଶ୍ଚୟ । ଏହାର ସୁଫଳ ଦିଗନ୍ତବିସ୍ତାରୀ ସମୟ ବୁକୁରେ ପ୍ରତିଟି ଆଗାମୀ ବଂଶଧରଙ୍କୁ ଉଦବୁଦ୍ଧ କରିବ ନିଶ୍ଚୟ ।  ଏ ନିଆରା ପ୍ରକ୍ରିୟା ଈଶ୍ଵରଙ୍କର ଏକ ବରଦାନ ।

Comments