Stay tuned to my blog- ' ଆଭୂଷଣ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

          ବିନମ୍ରତାର ପୁଣ୍ୟବେଦୀରେ ଯେଉଁ ଦିବ୍ୟାତ୍ମାଗଣ ଜୀବନ-କୋଣାର୍କକୁ ନିର୍ମାଣ କରିବାର ଭୀଷ୍ମଶପଥ ନେଇ ସାଧନାରତ, ସେମାନଙ୍କର ପ୍ରତିଟି ଉଦ୍ୟମ ସଫଳତାର ପ୍ରଭାତୀପୁଷ୍ପରେ ଭରା। ବିନମ୍ରତାକୁ ଆଭୂଷଣ କରି ସେମାନେ ଜୀବନର ସର୍ବୋଚ୍ଚ ଶିଖରକୁ ସ୍ପର୍ଶ କରିବା ପର୍ଯ୍ୟନ୍ତ ପ୍ରତିବାଦ, ପ୍ରସାରଣ, ପ୍ରତିଯୋଗିତା ଅବା ପ୍ରତିବନ୍ଧକ ସେମାନଙ୍କର ପଥରୁଦ୍ଧ କରିପାରେନାହିଁ। ଏକ ସୀମାହୀନ ଆକାଶକୁ ସ୍ପର୍ଶ କରିବାର ସମସ୍ତ ସାହାସକୁ ସେମାନେ ଏ ବିନମ୍ରଭାବରୁ ପ୍ରାପ୍ତ କରନ୍ତି। ବିନମ୍ରଭାବ ହିଁ ଏକମାତ୍ର ପୁଞ୍ଜି  ଭାବରେ ସେମାନଙ୍କୁ ଯେଉଁ ଆତ୍ମବଳ ପ୍ରଦାନ କରିଥାଏ ତାହା ଅନ୍ୟ ସମସ୍ତ ପୁଞ୍ଜି ନିକଟରେ ମଳିନ ପ୍ରତିଭାତ ହୁଏ। ବିନମ୍ରଭାବର ଏହି ପୁଞ୍ଜି ସେମାନଙ୍କ ମଧ୍ୟରେ ଯେଉଁ  ଶତସିଂହର ଶକ୍ତିକୁ ସଞ୍ଚାର କରେ ତାହା ହିଁ ସମ୍ଭବତଃ ସେମାନଙ୍କୁ ଅପରର ବୋଝକୁ ବହନ କରି ପଥ ଚାଲିବାକୁ ଶକ୍ତି ପ୍ରଦାନ କରେ । ଏହି ବିନମ୍ରଭାବ ହିଁ ତ ମଣିଷ ମଧ୍ୟରୁ କ୍ଳାନ୍ତି ଓ ଅବସାଦକୁ ଅପସାରଣ କରେ ଓ ଊର୍ଜାବାନ୍ କରିଥାଏ। ବିନମ୍ରଭାବଯୁକ୍ତ ମଣିଷମାନେ ସୀମାହୀନ ଆକାଶରେ ବିଚରଣ ପୂର୍ବକ ନିଜ ମଧ୍ୟରେ ଥିବା ମହାନୁଭବତାକୁ କାମନାରହିତ ଭାବେ ବିତରଣ କରିଚାଲନ୍ତି। କାରଣ ବିତରଣରେ ହିଁ ଏ ଦିବ୍ୟାତ୍ମାଗଣଙ୍କର ଦିବ୍ୟାନନ୍ଦ ପ୍ରାପ୍ତ ହୁଏ । ନିର୍ବାଣର ପଥ ଏମାନଙ୍କ ପାଇଁ ବିତରଣର ମନ୍ତ୍ରଧ୍ଵନିରେ ହିଁ ଉନ୍ମୁକ୍ତ ହୁଏ। ପ୍ରାପ୍ତିର କାମନା ଏମାନଙ୍କୁ ନା ସ୍ପର୍ଶ କରିପାରେ ନା ବିଚଳିତ କରିପାରେ। ଅନ୍ୟକୁ ପ୍ରଦାନ କରିବାରେ ହିଁ ନିର୍ବାଣର ମହତ୍ତ୍ଵ ପ୍ରତିପାଦିତ ହୁଏ ବୋଲି ଏମାନେ ଅନୁଭବ କରିଥାନ୍ତି। ପ୍ରତିଟି ସ୍ଵପ୍ନକୁ ଫଳବତୀ କରିବାର ପ୍ରଚେଷ୍ଟା ପର୍ଯ୍ୟାୟରେ ଏ ଆତ୍ମାଗଣ ବିନମ୍ରତାର ନୌକାରେ ଯାତ୍ରା କରିବାକୁ ଶ୍ରେୟସ୍କର ମଣିଥାନ୍ତି । କାରଣ ସେମାନେ ବୁଝିସାରିଥାନ୍ତି ଯେ ଜୀବନରେ କିଛି ପ୍ରାପ୍ତ କରିବାକୁ ହେଲେ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ ଅନିବାର୍ଯ୍ୟ କିନ୍ତୁ ଏହା ସକରାତ୍ମକ ଦିଗରେ ପରିଚାଳିତ ହେବା ବିଧେୟ। ଏକ ସକାରାତ୍ମକ ଜୀବନଧାରାକୁ ଆପଣେଇ ନ ନେବା ପର୍ଯ୍ୟନ୍ତ ମାନବ ଉର୍ଦ୍ଧ୍ଵମୁଖୀ ହୋଇପାରେନା ଏବଂ ତା ମଧ୍ୟରେ ବିନମ୍ରଭାବର ଊର୍ଜା ସୃଷ୍ଟି ହୋଇପାରେନା । ତେଣୁ ଆସନ୍ତୁ, ଏ ବିନମ୍ରଭାବକୁ ଆଭୂଷଣ କରି ଗଳାରେ ପିନ୍ଧିବା ଏକ ନୂତନ ବିଶ୍ଵକୁ ତ୍ୱରାନ୍ୱିତ କରିବା ପର୍ଯ୍ୟନ୍ତ । 

Comments