ପ୍ରତିବାଦର ଏରୁଣ୍ଡିବନ୍ଧ ଡେଇଁ ବୌଦ୍ଧିକ ସତ୍ତା ପ୍ରଜ୍ଞାରୂପୀ ତେଜୋଦୀପ୍ତ ଶିଖାକୁ ପ୍ରତିଷ୍ଠା ନ କରିବା ଯାଏ ଶବ୍ଦ ଓ ସୌନ୍ଦର୍ଯ୍ୟର ରାଜମହଲକୁ ନିର୍ମାଣ କରାଯାଇପାରେ ନାହିଁ। ପ୍ରଜ୍ଞାରୂପୀ ତେଜୋଦୀପ୍ତ ଶିଖା ହିଁ ବ୍ୟକ୍ତି ଓ ବ୍ୟକ୍ତିତ୍ଵ ନିର୍ମାଣର ଆଦ୍ୟ ସଙ୍କେତ। କାରଣ ଶବ୍ଦର ପିରାମିଡ୍ ଦେଇ ମାନବ ମଧ୍ୟରେ ଯେଉଁ ସୌନ୍ଦର୍ଯ୍ୟବୋଧ ଆତ୍ମ ପ୍ରକାଶ କରେ, ତାହା ହିଁ ପରବର୍ତ୍ତୀ ସମୟରେ ସମଗ୍ର ବିଶ୍ଵର ସକାରାତ୍ମକ ନିର୍ମାଣର ଧାରାକୁ ପ୍ରଭାବିତ କରିଥାଏ ଏବଂ ଏହି ଧାରା ହିଁ ବ୍ୟକ୍ତି ମାଧ୍ୟମରେ ପ୍ରସାରିତ ହୋଇ ବ୍ୟକ୍ତିତ୍ଵ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ବିନ୍ଦୁରୁ ସିନ୍ଧୁ ସୃଷ୍ଟି ହେବା ଭଳି ଶବ୍ଦର ଭିଡ଼ ମଧ୍ୟରେ ଶୃଙ୍ଖଳିତ ବ୍ୟକ୍ତିଟିଏ ସୌନ୍ଦର୍ଯ୍ୟବୋଧକୁ ସୃଷ୍ଟି କରି ଯେଉଁ ସାହିତ୍ୟର ଉପାଦାନକୁ ନିର୍ମାଣ କରେ ତାହା ଯୁଗ ଯୁଗ ଧରି ଅମରତ୍ଵର ମହୌଷଧିକୁ ପାନ କରି ପିଢ଼ିରୁ ପିଢ଼ିକୁ ପରିବ୍ୟାପ୍ତ ହୁଏ। ଏହି ପରିବ୍ୟାପ୍ତି ଏତେ ସୁଦୂରପ୍ରସାରୀ ଯେ ତାହା ସାଧାରଣ ମାନବ ପକ୍ଷରେ କଳ୍ପନାତୀତ ମନେ ହୁଏ। ଶବ୍ଦର ସୋପାନ ଶ୍ରେଣୀ ଦେଇ ନିରନ୍ତର ଓହ୍ଲାଇ ଆସୁଥିବା ସୌନ୍ଦର୍ଯ୍ୟବୋଧ ବ୍ୟକ୍ତିର ବ୍ୟକ୍ତିଗତ ବାହ୍ୟ ଜୀବନ ତଥା ଅନ୍ତଃ ଜୀବନରେ ଯେଉଁ ଅଦୃଶ୍ୟ ସତ୍ତାକୁ ସୃଷ୍ଟି କରି ଚାଲିଥାଏ, ତାହା ଆତ୍ମା ଭଳି ଅବିନାଶୀ ଅଟେ। ତେଣୁ ତ ଉକ୍ତ ଅନୁଭୂତିକୁ ଆଧାର କରି ମଣିଷ ଯୁଗେ ଯୁଗେ ମହାପୁରୁଷଙ୍କର ଦିବ୍ୟ ଗୁଣାବଳୀକୁ ବହନ କରି ଚାଲିଥାଏ ଓ ଏ ବିଶ୍ୱ ନିର୍ମାଣ ପାଇଁ ଆଦର୍ଶ ବିତରଣ କରେ। ଜୀବନାନୁଭୂତିର ମହାବେଦୀ ଉପରେ ପ୍ରଜ୍ଞାରୂପୀ ତେଜୋଦୀପ୍ତ ଶିଖାରେ ବାରମ୍ବାର ଶୋଧିତ ହୋଇ ବିଶୁଦ୍ଧ ସ୍ଵର୍ଣ୍ଣବତ ସମାଜକୁ ସଂସ୍କାର କରିବାର ଅଭିପ୍ରାୟ ନେଇ ବିଶ୍ଵ ପୃଷ୍ଠରେ ଆବିର୍ଭାବ ହେଉଥିବା ଦିବ୍ୟାତ୍ମାଗଣ ହିଁ ତ ବୁଦ୍ଧ, ଯୀଶୁ, ଆଲ୍ଲା ଅବା କୃଷ୍ଣଙ୍କର ଅବତାର ନେଇ ମାନବ ସମାଜରେ ବିପ୍ଳବର ଧାରାକୁ ପ୍ରବାହିତ କରନ୍ତି। ତେଣୁ ଆସନ୍ତୁ, ଶବ୍ଦ ଓ ସୌନ୍ଦର୍ଯ୍ୟ ମାଧ୍ୟମରେ ନବ ଯୁଗର ନିର୍ମାଣ କରୁଥିବା ସେ ଆତ୍ମାମାନଙ୍କର ଅନୁଧାବନ କରିବା !

Comments
Post a Comment