Stay tuned to my blog- ' ପ୍ରସାରଣଶୀଳ ବିଶ୍ୱରେ ଆମେ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

 

ଦର୍ପଣର ପୃଷ୍ଠତଳରେ ପ୍ରତିବିମ୍ବର ପ୍ରତିଫଳନ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ  ହେବାଭଳି ଜୀବନ ଦର୍ପଣର ପୃଷ୍ଠତଳରେ ସୁଖ-ଦୁଃଖ, ହସ-କାନ୍ଦ, ଉତ୍ଥାନ-ପତନ ଓ ସଂଘର୍ଷ-ସାଲିସର କ୍ରମାଗତ ପ୍ରତିଫଳନ ମଣିଷକୁ ବେଳେବେଳେ ଅନ୍ୟମନସ୍କ କରିଦିଏ। ଜୀବନ ଦର୍ପଣର ପୃଷ୍ଠତଳରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ହେଉଥିବା ପ୍ରତିଫଳନ ବା ପରିସ୍ଥିତି ପ୍ରତି ଭୃକ୍ଷେପ ନ କରି ଯେଉଁ ଆତ୍ମାଗଣ ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ, ସେମାନେ ସ୍ଥିତପ୍ରଜ୍ଞ ଗୁଣକୁ ବହନ କରିପାରନ୍ତି। ସାଧାରଣ ପୃଥିବୀର ମାୟାବନ୍ଧନ ଓ ଆବିଳତା ଠାରୁ ଦୂରେଇ ରହି ଏଭଳି ଆତ୍ମାଗଣ ଏକ ଅନିଶ୍ଚିତତା ମଧ୍ୟରେ ନିଜକୁ ବିଶ୍ଲେଷଣ କରିବାର ସ୍ଵପ୍ନକୁ ସାକାର କରିବା ପାଇଁ ଆତ୍ମ ସମୀକ୍ଷା ଯଜ୍ଞରେ ନିଜେ ଆହୁତି ସାଜି ପ୍ରବାହକୁ ଜୀବନର ମାନଦଣ୍ଡ ରୂପେ ଗ୍ରହଣ କରି ନିଅନ୍ତି। ଆସନ୍ତାକାଲିକୁ ସ୍ଵାଗତ କରିବା ପାଇଁ ସେମାନଙ୍କ ମଧ୍ୟରେ ଯେଉଁ ଇଛାଶକ୍ତିର ଢେଉ କୂଳ ଲଂଘନ କରେ ସେଥିରେ ସେମାନେ ବ୍ୟଥିତ ହୁଅନ୍ତି ନାହିଁ। କାରଣ ଗତକାଲି ଅବା ବିତିଯାଇଥିବା ଘଟଣାବଳି ଉପରୁ ସେମାନେ ଏବେ ନିୟନ୍ତ୍ରଣ ହରାଇ ସାରିଥାନ୍ତି। ତେଣୁ ସେ ପରିପ୍ରେକ୍ଷୀରେ ନୂତନକୁ ସ୍ଵାଗତ ନ କଲେ ବିଶ୍ୱରେ ପ୍ରଗତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସମ୍ଭବ ନୁହଁ ବୋଲି ସେମାନେ ଏବେ ଆଗାମୀକୁ ସ୍ଵାଗତ କରିବାକୁ ପ୍ରସ୍ତୁତ। ସେମାନଙ୍କ ଏ ପ୍ରସ୍ତୁତି ପର୍ବରେ ଆମେ ହସ୍ତ ପ୍ରସାରଣ କରି ସେମାନଙ୍କୁ ଉତ୍ସାହିତ କରିବା ଆସନ୍ତୁ। କାରଣ ଉତ୍ସାହ ହିଁ ମଣିଷକୁ ପ୍ରେରିତ କରିଥାଏ ପ୍ରସାରିତ ହେବା ପାଇଁ। ଆଉ ପ୍ରସାରଣଶୀଳତା ହିଁ ସମୃଦ୍ଧିର ବୀଜକୁ ବପନ କରିପାରେ କାରଣ ପ୍ରସାରଣଶୀଳ ବିଶ୍ୱରେ ହିଁ ବୌଦ୍ଧିକସତ୍ତା ସ୍ଵାଧୀନ ଭାବରେ କାୟା ବିସ୍ତାର କରି ମାନବକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରେ। ତେଣୁ ଆସନ୍ତୁ, ଆମେ ସମସ୍ତେ ଏକ ପ୍ରସାରଣଶୀଳ ବିଶ୍ୱ ଆଡ଼କୁ ଗତି କରି ଆମ ବୌଦ୍ଧିକସତ୍ତାକୁ ମୂଲ୍ୟାଙ୍କନ କରିବା ।

Comments