Stay tuned to my blog -' ଯାତ୍ରା ହିଁ ଜୀବନ ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।


 ପ୍ରତି ମୁହୂର୍ତ୍ତରେ ମଣିଷ ମଧ୍ୟରେ ନିରନ୍ତର ସୃଷ୍ଟି ହେଉଥିବା ନୂତନ ଅନୁଭବକୁ ନେଇ ଜୀବନ ଏଠି ଗତିଶୀଳ। ଏହି ଅନୁଭବ ପୁଣି ବର୍ତ୍ତମାନକୁ ନେଇ ହିଁ ନିରନ୍ତର ରୁଦ୍ଧିମନ୍ତ । ବର୍ତ୍ତମାନର ଏ ଦିବ୍ୟ ଅନୁଭବକୁ ଶିଶୁଟିଏ ପ୍ରାଣ ଭରି ଉପଭୋଗ କରେ ବୋଲି ତ ସେ ସର୍ବଦା ସନ୍ତୁଷ୍ଟ। ଅତୀତ ଓ ଭବିଷ୍ୟତ ଶିଶୁ ପାଇଁ ତେଣୁ ଅର୍ଥହୀନ। ବର୍ତ୍ତମାନ ହିଁ ତା’ ଜୀବନକୁ ପୂର୍ଣ୍ଣତା ଦିଏ ଓ ଆନନ୍ଦରେ ଭରି ଦେଇଥାଏ। ପ୍ରେମ ଓ ବିଶ୍ଵାସର ସିଡ଼ି ଚଢି ସେ ଯେଉଁ ସମ୍ପର୍କର ସୌଧ ନିର୍ମାଣ କରେ, ତାହା ହିଁ ସମ୍ଭବତଃ ତା’ ଜୀବନକୁ ସହଜ ଓ ସୁନ୍ଦର କରି ଗଢି ତୋଳିଥାଏ । ବର୍ତ୍ତମାନ ସ୍ଥିତିରେ ତା’ ଆଡ଼କୁ ସହଯୋଗର ହସ୍ତ ପ୍ରସାରଣ କରୁଥିବା ପ୍ରତିଟି ମଣିଷ ତା’ ପାଇଁ ସଂପୂର୍ଣ୍ଣ ନିଜସ୍ୱ । ତା’ ପ୍ରତି ବର୍ତ୍ତମାନରେ ଆକୃଷ୍ଟ ହେଉଥିବା ପ୍ରତିଟି ମଣିଷର ପ୍ରେମ ଓ ବିଶ୍ଵାସକୁ ସହଯୋଗର ଚାଙ୍ଗୁଡ଼ିରେ ଭରି ଶିଶୁଟିଏ ତେଣୁ ସହଜରେ ଶୈଶବକୁ ଅତିକ୍ରମ କରିପାରେ। ଛନ୍ଦ-କପଟରହିତ ସ୍ୱଚ୍ଛ ଶୈଶବ ତା’ ପାଇଁ ତ ଏକ ଦର୍ପଣ ସଦୃଶ ।  ସେ ଦର୍ପଣର ପ୍ରତିଫଳନ ହିଁ ତା’ ଜୀବନତରୀକୁ ବିନା ଆହୁଲାରେ ଆଗେଇ ନେଇଥାଏ ଋଷା - ରାଗ , ମାନ – ଅଭିମାନ, ସ୍ଵପ୍ନ ଓ ସ୍ଵାଭିମାନ - ସବୁ ଯେମିତି ତା’  ପାଇଁ ଏକାକାର ଏଠି। ତେଣୁ ତ ସେ ଆନନ୍ଦର ଚିରନ୍ତନୀ ସ୍ରୋତଟିଏ ଦିବ୍ୟାନନ୍ଦ ସାଗରର। ଆନନ୍ଦ ସାଗରର ପ୍ରତିଟି ବିନ୍ଦୁ ତା ଶୈଶବ ଜୀବନର ପୁଞ୍ଜି । ଏହା ପୁଣି ସୁବର୍ଣ୍ଣଧାତୁ ସମ ସ୍ୱଚ୍ଛ ଓ ପବିତ୍ର । ଏହି ପବିତ୍ରତା ହିଁ ତା ଶୈଶବକୁ ପୂର୍ଣ୍ଣତା ଆଡ଼କୁ ଆକର୍ଷି ନେଇଥାଏ। ତା ଶୈଶବର ଏ ସନ୍ତୁଷ୍ଟି ହିଁ ତା ପାଇଁ ଐଶୀ ଆଶିଷର ନିର୍ଝରିଣୀ ହୋଇ ଝରିଥାଏ । ତେଣୁ ସେ ନିଷ୍ପାପ ଏବଂ ସରଳ ଜୀବନକୁ ଆଦରି ନେଇପାରେ। ତେଣୁ ଆସନ୍ତୁ, ଆମ ଶୈଶବର ସେ ପବିତ୍ର ସ୍ମୃତିଚାରଣ କରି ଆମେ ବୟୋଜ୍ୟେଷ୍ଠ  ବ୍ୟକ୍ତିଗଣ ଆମ ବର୍ତ୍ତମାନକୁ ସେ ଦିବ୍ୟ ମହକରେ ଭରିଦେବା କାରଣ ସେ ଦିବ୍ୟମହକ ହିଁ ଆମ ଜୀବନ ଯାତ୍ରାକୁ ସ୍ଵଚ୍ଛନ୍ଦମୟ କରିବ ।

Comments