ସମସ୍ୟାର ଭିଡ଼ ମଧ୍ୟରେ ନିଜସ୍ଵ ଠିକଣାକୁ ହଜେଇ ଦେଇ ବେଠିକଣା ଭାବେ ସମାଧାନର ସୂତାଖିଅକୁ ନିରନ୍ତର ଖୋଜି ଚାଲିଥିବା ବ୍ୟକ୍ତିଗଣ ସର୍ବଦା
ବ୍ୟର୍ଥତା ମଧ୍ୟରେ କେବଳ ଅନୁଶୋଚନାକୁ ନେଇ କାଳାତିପାତ କରନ୍ତି। କାରଣ ସମାଧାନର ସମସ୍ତ ସୂତ୍ରକୁ ବ୍ୟବସ୍ଥିତ ଢଙ୍ଗରେ ସଠିକ୍ ରୂପେ ସନ୍ଧାନ ନ
କରି ପାରିଲେ ସମସ୍ୟାର ଚକ୍ରବ୍ୟୁହ ମଧ୍ୟରେ ମଣିଷ ଅଣନିଃଶ୍ୱାସୀ ହୋଇପଡ଼େ। ତା’ର ବ୍ୟର୍ଥ ମାନସିକତା ପ୍ରତି କେହି ସମ୍ବେଦନଶୀଳ ହୁଅନ୍ତି ନାହିଁ। ତା’ ଭାବପ୍ରବଣତା, ଆବେଗ, ସମୁନ୍ନତ ଅଭିରୁଚି, ପାରମ୍ପାରିକ ସଂସ୍କୃତି,
ସ୍ଵାଭିମାନ ଏବଂ
ସଚେତନତା ସମସ୍ୟାର ଭିଡ଼ ମଧ୍ୟରେ ତା’ର ଅବ୍ୟବସ୍ଥିତ
ମାନସିକତା ଯୋଗୁଁ ଲୁପ୍ତ ପ୍ରାୟ ମନେହୁଏ। ଏହି ସ୍ଥିତିରେ ତା’ର ଲୁପ୍ତ ଗୁଣାବଳୀକୁ
ପୁନଃ ଆବିଷ୍କାର କରି ସୁବ୍ୟବସ୍ଥିତ ଢ଼ଙ୍ଗରେ ପୁନଃ ଜାଗ୍ରତ କରି ପାରିଲେ ହିଁ ମଣିଷ ଏକ ସୁସ୍ଥ
ଜୀବନ ବଞ୍ଚିପାରେ। ତେବେ ଏଥିପାଇଁ ଆବଶ୍ୟକ ପ୍ରଗାଢ ସଂକଳ୍ପ ସହ ଏକନିଷ୍ଠ ଉଦ୍ୟମ । ସର୍ବୋପରି ମାନବର ଯାବତୀୟ ଦିବ୍ୟ ଗୁଣାବଳୀକୁ ଅକ୍ଷୟ କବଚର ନିରାପଦ ନିର୍ଭରଯୋଗ୍ୟ କଫିନ ମଧ୍ୟରେ ସୁରକ୍ଷିତ ନ ରଖିପାରିଲେ ତାହା ଆଗାମୀ
ବଂଶଧରଙ୍କ ପାଇଁ ବ୍ୟବହାରଉପଯୋଗୀ ହୋଇପାରେ ନାହିଁ। ବ୍ୟକ୍ତିତ୍ୱର ବିକାଶ ସାଧନ କରିବା ପାଇଁ ଏଭଳି ବ୍ୟକ୍ତିଗଣ ଜୀବନର ଅନେକ କ୍ଷେତ୍ରରେ ଯେଉଁ
ମାନସିକ ଯନ୍ତ୍ରଣାର ଶିକାର ହୁଅନ୍ତି ତାହା ସେମାନଙ୍କୁ କେବଳ ବିପର୍ଯ୍ୟସ୍ତ
କରେ ନାହିଁ ବରଂ ସେଥିରୁ ସଂଗୃହିତ ଅନୁଭୂତି ସେମାନଙ୍କୁ ଶାଣିତ କରି ଗଢି ତୋଳେ। ଇତିହାସର ଛିନ୍ନ ମଳିନ ପୃଷ୍ଠାରେ ସେମାନେ ଅମରତ୍ଵ ଲାଭ କରି ସେ ଅନୁଭୂତିକୁ ଆଗାମୀ
ପିଢ଼ିଙ୍କୁ ବିତରି ଚାଲନ୍ତି। ବିତରଣ ବିନା ସେମାନଙ୍କର ସଂଘର୍ଷ ଓ ସାଲିସର ଅନୁଭୂତିଭିଜା
କାହାଣୀ ଅର୍ଥହୀନ ହୋଇପଡ଼େ ବୋଲି ସେମାନେ ଦେୟମୁକ୍ତ ଭାବେ ତାହାକୁ ବିତରି ଚାଲନ୍ତି ସମାଜର ମଙ୍ଗଳ ପାଇଁ । ତେଣୁ ଆସନ୍ତୁ, ସେହି ବ୍ୟକ୍ତିତ୍ୱମାନଙ୍କର ସାଧନାପୀଠରେ ଆମେ ଜଣେ ଜଣେ ଗୁଣଗ୍ରାହୀ ହୋଇ ସେ
ଫେଣ୍ଟାଫେଣ୍ଟି କାହାଣୀକୁ ଅନୁଧ୍ୟାନ କରିବା ଓ ସେ ଅନୁଧ୍ୟାନ ଓ ଅଧ୍ୟୟନଜନିତ ଜ୍ଞାନକୁ ଉତ୍ତର
ପିଢ଼ିଙ୍କ ପାଇଁ ସଂରକ୍ଷଣ କରିବା; ତେବେ ଯାଇ ମାନବ ଜାତିର ଅଶ୍ରୁଭରା ଚକ୍ଷୁ ଯୁଗଳ ପୁନର୍ବାର ଏକ
ଦିବ୍ୟ ଜ୍ୟୋତିରେ ଉଦ୍ ଭାଷିତ ହେବ ଓ ଆଗାମୀକାଲି ପାଇଁ ଏକ ସଫଳ ସୂର୍ଯ୍ୟକୁ ଆହ୍ୱାନ କରି ଆଣିବ। ତା’ ହେଲେ, ଆଉ ବିଳମ୍ବ କାହିଁକି ସେ ଶୁଭ ସକାଳକୁ ସ୍ଵାଗତ କରିବା ପାଇଁ !!
Comments
Post a Comment