Stay tuned to my blog- 'ଅନ୍ୱେଷଣ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 ଦୁନିଆ ରାଜରାସ୍ତାର ଅସମ୍ଭବ ଭିଡ଼ ମଧ୍ୟରେ ସ୍ୱପରିଚୟପତ୍ରକୁ ଜୀବନର ଅନ୍ତିମ ପାହାଚରେ ଖୋଜୁଥିବା ପ୍ରତିଟି ମଣିଷ କାହିଁକି କେଜାଣି ଏକ ଅଜଣା ଆତଙ୍କରେ ବେଳେ ବେଳେ ଶିହରି ଉଠି ଭୟାତୁର କଣ୍ଠରେ ଅତର୍କିତ ଚିତ୍କାର କରି ପଥିକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି। ଆଦ୍ୟ ଯୌବନରେ ପୁରୁଷାର୍ଥକୁ ପ୍ରମାଣିତ କରି ସାମାଜିକ ତଥା ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାର ଏକାନ୍ତ ପ୍ରୟାସୀ ଏ ମଣିଷମାନେ ଏମିତି କ'ଣ ତ୍ରୁଟି କରିଥିଲେ ଯେ ଜୀବନର ଅନ୍ତିମ ପାହାଚରେ ସ୍ୱପରିଚୟପତ୍ରକୁ ହଜେଇ ଦେଇ ଏଭଳି ଆର୍ତ୍ତନାଦ କରି ପଥିକମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେଲେ? ତା’ହେଲେ ଏମାନେ ସମସ୍ତେ କ'ଣ ପାଗଳର ପ୍ରଳାପ କରନ୍ତି? ମନସ୍ତତ୍ତ୍ୱବିତ୍ ମାନେ ଏମାନଙ୍କୁ ସମାଜର ଶ୍ରେଷ୍ଠ ମଣିଷ ବୋଲି ପ୍ରମାଣପତ୍ର ଦେଇ ସାରିଛନ୍ତି। ଆଉ ଜୀବନ ମଞ୍ଚରେ ଅନ୍ତିମ ଦୃଶ୍ୟର ଯବନିକା ପତନ ପର୍ଯ୍ୟନ୍ତ ଏମାନେ ତ ନିଖୁଣ ଅଭିନୟ ବି କରିଥିଲେ...ତା’ହେଲେ ଅଭିନେତାର ପରିଚୟପତ୍ରକୁ କିଏ ଅପହରଣ କରିଛି ସେମାନଙ୍କର? ଆସନ୍ତୁ, ତର୍ଜମା କରିବା ଥରେ। ଏ ମଣିଷମାନେ ଜୀବନର ଅନ୍ତିମ ଦୃଶ୍ୟରେ ସତରେ ଅପହୃତ ନା ନିଜର ତ୍ରୁଟି ସକାଶେ ଭିନ୍ନ ଏକ ଅନ୍ଧକାର ପୃଥିବୀରେ ବିବ୍ରତ? ତେଣୁ ତ କୁହାଯାଏ, ଉନ୍ମୁକ୍ତ ଆଲୁଅପ୍ଲାବିତ ଘାସ ଗାଲିଚାରେ ପ୍ରକୃତି କୋଳରେ କାକରଭିଜା ସକାଳରେ ମଣିଷ ଯେଉଁ ମାନସିକ ସମୃଦ୍ଧିକୁ ଅନୁଭବ କରେ ତାହା ଶଙ୍ଖ ମଲମଲ ଚଟାଣର ତୂଳୀତଳ୍ପ ପଲଙ୍କ ଉପରେ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରୀରେ ଉପଲବ୍ଧ ହୁଏ ନାହିଁ । ଅତି ସାଧାରଣ ମଣିଷମାନଙ୍କ ସହ ବାର୍ତ୍ତାଳାପ କରି ବିଶ୍ଵକବି ରବିନ୍ଦ୍ରନାଥ ଠାକୁର ଯେଉଁ ଦିବ୍ୟ ଅନୁଭୂତିକୁ ଗୀତାଞ୍ଜଳି ମାଧ୍ୟମରେ ବିତରଣ କରିଥିଲେ ତାହା ଶିକ୍ଷାୟତନର ଚାରିକାନ୍ଥ ମଧ୍ୟରେ ଉପଲବ୍ଧ ନ ଥିଲା ନିଶ୍ଚୟ । ତେଣୁ ତ ସେ କାଳଜୟୀ ପଂକ୍ତି ତାଙ୍କୁ ନୋବେଲ ପୁରସ୍କାର ବିଜେତା ହେବା ପାଇଁ ପଥ ପରିଷ୍କାର କରିଥିଲା । ତେଣୁ ଆସନ୍ତୁ, ଆଦ୍ୟ ଯୌବନର ଶକ୍ତି ପ୍ରବାହକୁ ସର୍ବସାଧାରଣରେ ଜନହିତ ପାଇଁ ବିତରଣ କରି ବାର୍ଦ୍ଧକ୍ୟର ଶିଥିଳ ଶରୀରକୁ ସେମାନଙ୍କର ସ୍ପର୍ଶରେ ଶକ୍ତିଶାଳୀ କରିବା। କାରଣ ସେମାନେ ହିଁ ପରା ଆମ ଅନ୍ତିମ ପରିଚୟପତ୍ରର ଆଦ୍ୟ ବାହକ ତଥା ସଂଗ୍ରାହକ...ଆମ ଅନ୍ତିମ ସୋପାନରେ ସେମାନେ ହିଁ ସାମର୍ଥ୍ୟର ପ୍ରତିରୂପ। ତେଣୁ ନୂତନ ଉଦ୍ଦୀପନା ନେଇ ଜୀବନର କ୍ରୀଡ଼ାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ସେ ପ୍ରତିଭାମାନଙ୍କୁ ତୋଳି ଧରିବା ଆମ ଅନୁଭୂତିର ଚାଙ୍ଗୁଡ଼ିରେ। ଭବିଷ୍ୟତର ସେ ଭଗୀରଥମାନଙ୍କୁ ଆମ ବିତରଣ ମନ୍ତ୍ରରେ ଅଭିମନ୍ତ୍ରିତ କରି ଆଗାମୀକୁ ନିର୍ମାଣ କରିବା । ଆମେ ଆଦ୍ୟ ଯୌବନରେ ସୃଷ୍ଟି କରିଥିବା ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା କରିବା। ଜୀବନରେ ଶୂନ୍ୟତାକୁ ଅନୁଭବ କରିବାନି ଆଉ ନିବୁଜ କୋଠରୀର ଚାରିକାନ୍ଥ ମଧ୍ୟରେ।  କୋଠରୀର ବାହାରେ ଆଲୋକର ପ୍ଳାବନ ଏବେ ଆମକୁ ହାତଠାରି ଡ଼ାକୁଛି । ତେବେ ଆଉ ବିଳମ୍ବ କାହିଁକି ? ଆମେ ଆମ ଐତିହ୍ୟକୁ ଓ ପରମ୍ପରାକୁ ନୂଆ କରି ଗଢ଼ିବା ମମତାର ସ୍ପର୍ଶ ଦେଇ। ରକ୍ତ ସମ୍ପର୍କର ଉର୍ଦ୍ଧ୍ଵକୁ ଉଠି ଆମେ ଦେଖିବା ଅନ୍ୟକୁ ସୃଷ୍ଟିର ସର୍ବଧର୍ମ ସମନ୍ଵୟର ମନ୍ତ୍ର ମଧ୍ୟରେ ! ତା’ହେଲେ ସିନା ଏଠି ପୁଣି ଫୁଲ ଫୁଟିବ ...ମଉନ ବଗିଚାରେ ନୂଆ ବସନ୍ତ ଛୁଟିବ ।

 

Comments