Stay tuned to my blog - ' ସଂସ୍କୃତି ହିଁ ପୂଜାବେଦି' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ସୁବିସ୍ତୃତ ବିଜନ ବେଳାରେ ନୀଳ ମହୋଦଧିର ତରଙ୍ଗାୟିତ ଆକାଶରେ ପବିତ୍ର ଓଁକାର ଧ୍ୱନିର ଝଙ୍କାରରେ ନିରନ୍ତର ଝଙ୍କୃତ ହୋଇ ସମୟ ବୁକୁରେ ଆମ ସନାତନୀ ସଂସ୍କୃତିର ଅମ୍ଲାନ ଧାରା ଅଗଣିତ ଉତ୍କଳୀୟଙ୍କୁ କରିଥାଏ ରସାଣିତ। ପ୍ରତି ଉତ୍କଳୀୟଙ୍କର ପ୍ରଶ୍ୱାସ ଓ ନିଃଶ୍ୱାସରେ ଏହା ଉପଲବ୍ଧ ବୋଲି ତ ଏ ଉତ୍କଳ ଭୂଇଁ ଜଗନ୍ନାଥମୟ ହୋଇଉଠେ ପ୍ରତି ମୁହୂର୍ତ୍ତରେ। ପବିତ୍ର ଭାବନାରେ ପରିଶୋଧିତ ଆମର ଏ ସଂସ୍କୃତି ମାନବିକ ମୂଲ୍ୟବୋଧକୁ ଧରି ରଖିଛି ସୁରକ୍ଷା କବଚର ବଳୟ ମଧ୍ୟରେ। ସମ୍ଭାବନାର ବୀଜ ବୁଣି ଏହା ପ୍ରତିଟି ଅସମ୍ଭବକୁ ସମ୍ଭବ କରିପାରେ କାଳିଆର ଆଶିଷକୁ ନେଇ। ନିରନ୍ତର ଗତିଶୀଳତା ହିଁ ଆମ ସଂସ୍କୃତିର ପରିଚାୟକ। ଆମ ସଂସ୍କୃତିର ଏ ଗତିଶୀଳତା ହିଁ ଅନ୍ତଃପ୍ରେରଣାର ଉତ୍ସ ସାଜି ପ୍ରତିଟି ଆତ୍ମାକୁ ଏକ ସକାରାତ୍ମକ ଆଧ୍ୟାତ୍ମିକ ଦିଗବଳୟ ଆଡକୁ ଆକର୍ଷି ନେଇଥାଏ ତା’ର ମହାଜାଗତିକ ଯାଦୁଗରୀ ସ୍ପର୍ଶରେ। ତେଣୁ ତ ସାଧନାର ପୃଷ୍ଠଭୂମି ଭାବେ ଚୈତନ୍ୟ ମହାପ୍ରଭୁ ଉତ୍କଳକୁ ବାଛି ନେଇଥିଲେ ଷୋଡ଼ସ ଶତାବ୍ଦୀର ଆଦ୍ୟ ଭାଗରେ ସମ୍ରାଟ ପ୍ରତାପରୁଦ୍ର ଦେବଙ୍କର ପୃଷ୍ଟପୋଷାକତା ଲାଭ କରି। ଜାଗୃତିର ପ୍ରଦୀପକୁ ପ୍ରଜ୍ଵଳିତ  କରି ଉତ୍କଳୀୟ ସଂସ୍କୃତି ଯେଉଁ ମହାଜାଗତିକ ସକାରାତ୍ମକ ସମ୍ଭାବନାସମୂହକୁ ଉତ୍କଳୀୟମାନଙ୍କ ପାଇଁ ଆହ୍ୱାନ କରି ଆଣିଥାଏ, ତାହା ଆତ୍ମସମୀକ୍ଷାର ମହାମନ୍ତ୍ରରେ ସମଗ୍ର ବିଶ୍ୱକୁ ଅଭିମନ୍ତ୍ରିତ କରି ହୃଦୟ ସହ ହୃଦୟକୁ ସଂଯୋଗ କରିଥାଏ। ଏହି ସଂଯୋଗ ହିଁ ତ ସମ୍ପର୍କର ରୂପ ନେଇ ଭାବତରଙ୍ଗ ମାଧ୍ୟମରେ ପ୍ରସାରିତ ହୁଏ ଯୁଗରୁ ଯୁଗକୁ। ଏହା ଏକ ସୂକ୍ଷ୍ମ ଅନୁଭବ ହୋଇଥିବା କାରଣରୁ ଏହାର ପ୍ରସାରଣ ନିମିତ୍ତ ସ୍ଥୂଳ ଶାରୀରିକ ସ୍ଥିତି ଅନିବାର୍ଯ୍ୟ ନୁହଁ। ତେଣୁ ତ ଆମ ସଂସ୍କୃତି ପ୍ରତି ହୃଦୟକୁ ତା’ର ଚେତନାଶୀଳ ପ୍ରବାହ ଦ୍ୱାରା ସ୍ପନ୍ଦିତ କରି ସମସ୍ତ ହୃଦୟର ସ୍ପନ୍ଦନକୁ ଏକାକାର କରି ପବିତ୍ର ଓଁକାର ଧ୍ୱନିରେ ରୂପାନ୍ତରିତ କରିଥାଏ। ଏହି ରୂପାନ୍ତରଣ ପ୍ରକ୍ରିୟା ହିଁ ଆମ ସଂସ୍କୃତିର ସର୍ବୋତ୍ତମ ବୈଶିଷ୍ଟ୍ୟ। ତେଣୁ ଆସନ୍ତୁ, ଆମ ସଂସ୍କୃତିର ଏ ସ୍ୱତନ୍ତ୍ର ସ୍ଥିତିକୁ ଅନୁଭବ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପବିତ୍ର ଶ୍ରୀକ୍ଷେତ୍ରରେ ।

Comments