Stay tuned to my blog- 'ନିଃସଙ୍ଗତା ଏକ ଭାବନା' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

ଏକ ନିଃସଙ୍ଗ ପୃଥିବୀର ଅଖଣ୍ଡ ନୀରବତା ମଧ୍ୟରେ ବ୍ୟକ୍ତି ଯେତେବେଳେ ତା’ର ଆତ୍ମସତ୍ତାକୁ ହଜାଇ ଦିଏ, ସେତେବେଳେ ଆତ୍ମସମୀକ୍ଷାର ଯୂପକାଠ ଉପରେ ମଥାକୁ ରଖି ସେ ସମୟ ନିକଟରେ ଆତ୍ମସମର୍ପଣ କରିଦିଏ ନିଃସର୍ତ୍ତରେ। ତା 'ର ଏହି ନିଃସର୍ତ୍ତ ଆତ୍ମସମର୍ପଣ ଜୀବନର ପ୍ରତିଟି ଗ୍ରନ୍ଥିକୁ ଖୋଲିଦେଇ ଅଗ୍ରସର ହେବାର ସଂକେତକୁ ବହନ କରି ମଣିଷକୁ ପ୍ରେରିତ କରିଥାଏ। ପ୍ରେରଣାର ନିରନ୍ତର ସ୍ରୋତ ସ୍ୱତଃ ପ୍ରକ୍ରିୟାରେ ନିଜ ମଧ୍ୟରୁ ଉତ୍ପନ୍ନ ନହେଲେ ବାହ୍ୟ ଉପାଦାନ ଏହାକୁ କଦାଚିତ ପ୍ରଭାବିତ କରିପାରେ ନାହିଁ ।  ତେଣୁ ତ କୁହାଯାଏ, ପ୍ରେରଣାର ଅନ୍ତଃସ୍ୱରକୁ ଉଜ୍ଜୀବିତ ରଖିପାରିଲେ ହିଁ ତାହା ଜୀବନକୁ ମଧୁମୟ କରି ଗଢିତୋଳେ ।  ଅନ୍ୟଥା ଜୀବନ ପ୍ରବାହ ସ୍ଥାଣୁ ପାଲଟିଯାଏ । ଜୀବନର ପ୍ରତିକ୍ଷଣକୁ ସଠିକ୍ ରୂପେ ଉପଭୋଗ କରିପାରିଲେ ହିଁ ଏହାର  ମାଧୁର୍ଯ୍ୟକୁ ଅନୁଭବ କରିହୁଏ । ତେଣୁ ତ ନକାରାତ୍ମକ ଚିନ୍ତନର ପ୍ରତି ମୁହୂର୍ତ୍ତକୁ ପରିତ୍ୟାଗ କରି ଶୂନ୍ୟତାକୁ ଅନୁଭବ କରିବା ପରିବର୍ତ୍ତେ ସେ ଶୂନ୍ୟସ୍ଥାନକୁ ସାଧୁସନ୍ଥଗଣ  ସକାରାତ୍ମକ ଚିନ୍ତନର ଅମୃତ ବିନ୍ଦୁରେ ପୂର୍ଣ୍ଣ କରନ୍ତି।  ପ୍ରତିଟି ଅମାବାସ୍ୟା ଗୋଟିଏ ପୂର୍ଣ୍ଣିମାକୁ ସ୍ୱାଗତ କରିବା ପାଇଁ ଯେଉଁ ଅବଧିକୁ ନେଇଥାଏ ତାହା ପ୍ରତୀକାତ୍ମକ ଭାବେ ପୂର୍ଣ୍ଣିମା ପ୍ରତି ଅମାବାସ୍ୟାର ସମ୍ମାନବୋଧ ନୁହଁ କି? ସେହିଭଳି ପୂର୍ଣ୍ଣିମାର ଜହ୍ନ ବି ଅମାବାସ୍ୟାର ଆଗମନ ପାଇଁ ମେଘ ଆଢୁଆଳରେ ଆତ୍ମଗୋପନ ନକରିଲେ ତାହା ଅମାବାସ୍ୟା ପାଇଁ ଜହ୍ନର ଅସହିଷ୍ଣୁ ଭାବକୁ ପ୍ରକାଶ କରିବ ନାହିଁ କି? ତେଣୁ ନିଃସଙ୍ଗ ପୃଥିବୀର ଅଖଣ୍ଡ ନୀରବତା ମଧ୍ୟରେ ଆତ୍ମସମୀକ୍ଷାର ପ୍ରତିଟି ପୃଷ୍ଠାକୁ ଅନୁଧ୍ୟାନ କରୁଥିବା ମଣିଷମାନେ ବାସ୍ତବରେ ନିଃସଙ୍ଗ ନୁହନ୍ତି ବରଂ ଏକ ନିଃସର୍ତ୍ତ ଭାବନାକୁ ନେଇ ନିମଗ୍ନ। କାରଣ ସେମାନଙ୍କର ସେ ଭାବନା ତା’ରି ପାଇଁ କୌଣସି ସର୍ତ୍ତ ନିର୍ଦ୍ଧାରଣ କରେ ନାହିଁ ।  କେବଳ ଭାବନା ବଳୟରେ ନୀରବରେ ନିଃସଙ୍ଗ ପୃଥିବୀର ବାତ୍ସଲ୍ୟ  ପ୍ରତିଶ୍ରୁତିକୁ ନେଇ ପରିଶୋଭିତ । ତେଣୁ ଆସନ୍ତୁ, ନିଃସଙ୍ଗତା ଓ ନୀରବତାର ଗାମ୍ଭୀର୍ଯ୍ୟ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଚାଲିଥିବା ଯୁଗରୁ ଯୁଗକୁ । 

Comments