Stay tuned to my blog- " ମହଲ" । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

  

ସମ୍ପର୍କ ଏ ବିଶ୍ଵ ରଙ୍ଗମଞ୍ଚରେ ଏକ ନିଆରା ଉପାଦାନ । ଏହା ସ୍ଵତଃ ପ୍ରକ୍ରିୟାରେ ନିର୍ମିତ ହୋଇଥିବା ଏକ ଅଦୃଶ୍ୟ ସତ୍ତା । ସମ୍ପର୍କର ଏ  ଅଦୃଶ୍ୟ ଖିଅଟି ଥରେ ଛିଣ୍ଡି ଗଲେ ଗଣ୍ଠି ପଡ଼େ ସିନା ତାହା ପୂର୍ବ ସ୍ଥିତିକୁ ପୁନଃ ପ୍ରତ୍ୟାବର୍ତ୍ତନ କରିପାରେ ନାହିଁ । ଏହା ମଣିଷର ସର୍ବପ୍ରଥମ ଓ ସର୍ବଶେଷ ଇପ୍ସିତ ଉପାଦାନ ବୋଧେ । ଭୌତିକ ବସ୍ତୁ ଅବା ଭୌତିକ ସ୍ଥିତିରେ ଏହା ପ୍ରାପ୍ତ ହୁଏନି ବୋଲି ତ ଏହା ଏକ ଦିବ୍ୟାନୁଭବ। ଆଉ ଏ ଅନୁଭୂତିକୁ ପ୍ରାପ୍ତ କରିବାକୁ ହେଲେ ଶୟନେ -ସପନେ ଓ ଜାଗରଣେ ଏହାର ଦିବ୍ୟସ୍ଥିତିକୁ ସନ୍ଧାନ କରିବାକୁ ହୁଏ ଶ୍ରଦ୍ଧାର ମନ-ପବନ ଜାହାଜରେ ବସି । ଅପରର ମାନସିକ ସ୍ଥିତିକୁ ହୃଦୟଙ୍ଗମ କରି ସମ୍ପର୍କର ପୃଷ୍ଠଭୂମିରେ ଯିଏ ପ୍ରଥମ ଅକ୍ଷର ଲେଖିପାରେ ତାହା କ୍ରମେ ଏକ ସକାରାତ୍ମକ ପୃଷ୍ଠଭୂମିରେ ବିସ୍ତାର ଲାଭ କରି ସର୍ବବ୍ୟାପୀ ହୁଏ। ଏହାର ନା ପ୍ରସ୍ଥ ଥାଏ ନା ଦୈର୍ଘ୍ୟ ଥାଏ ନା ଉଚ୍ଚତା ବି ଥାଏ। ଏହା ଏକ ଅବିଭାଜ୍ୟ ଗଣିତର ଭାଜ୍ୟ, ଭାଜକ, ଭାଗଫଳ ଓ ଭାଗଶେଷକୁ ନେଇ ରୁଦ୍ଧିମନ୍ତ । ଦାନଶୀଳତାର ପୃଷ୍ଠଭୂମିରେ ଉଦାରତାର ବୃକ୍ଷରାଜିରେ ଏହା ପଲ୍ଲବିତ ।  ତେଣୁ ତ ଏହା ମଣିଷକୁ ଏକ ମହାନନ୍ଦ ସ୍ଥିତିରେ ଅବସ୍ଥାନ କରାଏ ଅନନ୍ତ ଯୁଗ ପର୍ଯ୍ୟନ୍ତ । ଏହା ସମ୍ପୂର୍ଣ୍ଣ ସ୍ଵାଧୀନ ଓ ସ୍ଵାଭିମାନର ଝିପ୍ ଝିପ୍ ବର୍ଷା ବିନ୍ଦୁରେ ପରିପୁଷ୍ଟ। ତ୍ୟାଗ ଓ ସମର୍ପଣକୁ ପୁଞ୍ଜି କରି ଏହା ଗତିଶୀଳ। ପ୍ରତ୍ୟାଶ୍ୟା ଏହାର ସମ୍ପୂର୍ଣ୍ଣ ପରିପନ୍ଥୀ ।  ଶୂନ୍ୟଥାଳରେ ଏହା ପୂର୍ଣ୍ଣତାକୁ ଉପଲବ୍ଧି କରାଇପାରେ ଏହାର ଅଯାଚିତ ଦାତବ୍ୟ ଗୁଣ ଯୋଗୁଁ। ଅନ୍ୟକୁ ପୂର୍ଣ୍ଣ କରିପାରିଲେ ହିଁ ସମ୍ପର୍କ ସାର୍ଥକ ହୁଏ। ତେଣୁ ଆସନ୍ତୁ ,ଏହାକୁ ଉପଲବ୍ଧି କରିବା ଆମେ ଏକ ସକାରାତ୍ମକ ମନକୁ ନେଇ। ଏହା ଭିକ୍ଷାର୍ଥିନୀର ଜୀର୍ଣ୍ଣ-ଛିନ୍ନ ବସ୍ତ୍ର ଭିତରେ ପ୍ରାପ୍ତ ହୋଇପାରେ ଅଥବା ରାଜପ୍ରାସାଦରେ ତୂଳୀତଳ୍ପ ଶଯ୍ୟାର ପ୍ରାଚୁର୍ଯ୍ୟ  ଭିତରେ ବି ପ୍ରାପ୍ତ ହୋଇପାରେ।  ଏଥିପାଇଁ ଆବଶ୍ୟକ କେବଳ ଇଚ୍ଛାଶକ୍ତି। ସେ ଇଚ୍ଛାଶକ୍ତିକୁ ନିଜ ଭିତରେ ଥରେ ଆବିଷ୍କାର କରିପାରିଲେ ସମ୍ପର୍କ-ମହଲ ଆପେ ଆପେ ଗଢି ହୋଇଯାଏ।

Comments