ପ୍ରକୃତ ଶକ୍ତି କେବଳ ଶାରୀରିକ ବଳରେ ନିହିତ ନୁହେଁ; ବରଂ ଏହା ମନର ଏପରି ଏକ ଅବସ୍ଥା, ଯାହାକି ଜୀବନର ଅପ୍ରତ୍ୟାଶିତ ଉତ୍ଥାନ-ପତନ ଓ ପ୍ରତିକୂଳତା
ସମ୍ମୁଖରେ ମଣିଷକୁ ଦୃଢ଼ତାର ସହ ଦଣ୍ଡାୟମାନ ହେବାର ସାମର୍ଥ୍ୟ ପ୍ରଦାନ କରେ। ଏହା ଏକ ନିରନ୍ତର କ୍ଷମତା-ବିକାଶର ପ୍ରକ୍ରିୟା, ଯାହାକି ଜାତି, ଧର୍ମ, ବର୍ଣ୍ଣ କିମ୍ବା
ଲିଙ୍ଗ ନିର୍ବିଶେଷରେ ଅବହେଳିତ ଓ ନିଷ୍ପେଷିତ ମଣିଷମାନଙ୍କୁ ଉନ୍ନତିର ପଥରେ ଅଗ୍ରସର ହେବାପାଇଁ ସାହସ ପ୍ରଦାନ କରିଥାଏ । ଏହା ଧୈର୍ଯ୍ୟ, ସହନଶୀଳତା ଓ ପରିପକ୍ୱ ଚିନ୍ତନର ସେହି ମାନସିକ ପ୍ରକ୍ରିୟା, ଯାହାଦ୍ୱାରା କି ଆମେ ଅନ୍ୟର ମନକୁ ବୁଝିପାରୁ, ତାଙ୍କ ଭାବନାକୁ ଅନୁଭବ କରିପାରୁ ଏବଂ ଜୀବନର
ଆହ୍ୱାନକୁ ସାମ୍ନା କରିବା ପାଇଁ ସଠିକ୍ ପରାମର୍ଶ ଦେଇପାରୁ। ଏହା ଆମକୁ ଶିଖାଏ ଯେ —ସଂଘର୍ଷ ମଣିଷକୁ ନିରାଶ କରେ ନାହିଁ; ବରଂ ତା’ର ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରି ବିକାଶ ପଥରେ ଆଗେଇ ନେଇଥାଏ ।
ମଣିଷର ପ୍ରକୃତ
ଶକ୍ତି ହେଉଛି ଅବିରତ ଓ ଉଦାର ପ୍ରୟାସ, ଯାହାକି ବିଫଳତା ମଧ୍ୟରେ ବି ମଣିଷକୁ ଲକ୍ଷ୍ୟଚ୍ୟୁତ କରେ ନାହିଁ ବରଂ ଲକ୍ଷ୍ୟପ୍ରାପ୍ତି ପାଇଁ ଦୃଢମନା କରେ । କାରଣ, ପ୍ରତ୍ୟେକ ବିଫଳତା ଆମ ପାଇଁ ଏକ ନୂତନ ଅନୁଭୂତି, ଏକ ନୂତନ ଶିକ୍ଷା ଓ ଏକ ନୂତନ ସଫଳତା। ବିଫଳତା ଯେତେବେଳେ ଅନୁଭବକୁ ବହୁଗୁଣିତ କରେ, ସେତେବେଳେ ତାହା ସଫଳତାର ଏକ ପ୍ରତିରୂପ ହୋଇ ଉଭାହୁଏ ।
ଏହି ଶକ୍ତି ଆମ
ସତ୍ୟନିଷ୍ଠ ଓ ସତ୍ୟଧାରଣ-କ୍ଷମତାକୁ ସୁଦୃଢ଼ କରେ। ବ୍ରହ୍ମାଣ୍ଡର ବିଶାଳତାକୁ ହୃଦୟଙ୍ଗମ କରିବାର ପ୍ରୟାସ କରିବାବେଳେ ଏହି ଚେତନା ଆମକୁ ସ୍ମରଣ କରାଏ ଯେ, ବିଶ୍ୱଜଗତର ପ୍ରତ୍ୟେକ ସତ୍ତା ଓ ଶକ୍ତି ନିରନ୍ତର ପରିବର୍ତ୍ତନର ଏକ ଅଂଶବିଶେଷ । ଏହି ଦୃଷ୍ଟିରୁ ପ୍ରକୃତ ଶକ୍ତି ହେଉଛି ମନସ୍ତତ୍ତ୍ଵ ଓ ସାମାଜିକ ବିଶ୍ଳେଷଣର ଏକ କଳା, ଯାହାକୁ ଆମେ ‘ସାମାଜିକ ଅଭିଯାନ୍ତ୍ରିକୀ’ ବା Social Engineering ବୋଲି ବୁଝିପାରୁ।
ଏହା ଆମକୁ ସମାଜର ଗଭୀରତମ ସ୍ତର ବା ତୃଣମୂଳ ସ୍ତରକୁ ନେଇଯାଏ, ଯେଉଁଠାରୁ ଆମେ ମଣିଷର ବାସ୍ତବତାକୁ ବୁଝି ନୂତନ
ଉତ୍ସାହ ଓ ଚେତନାରେ ସାମାଜିକ ପରିବେଶର ପୁନର୍ନିର୍ମାଣ କରିପାରୁ।
ପ୍ରକୃତ ଶକ୍ତି ଆମକୁ
ଅନ୍ୟାୟ ଓ କୁଟିଳ ପ୍ରବୃତ୍ତି ବିରୋଧରେ ଶାନ୍ତି, ସହାନୁଭୂତି ଓ ସମୃଦ୍ଧିର ଅସ୍ତ୍ର ଧରିବାକୁ ଶିଖାଏ। କାରଣ, ରକ୍ତପାତ କଦାଚିତ ଜୀବନରେ ସ୍ଥାୟୀ
ସମାଧାନ ଆଣିପାରେ ନାହିଁ। ଜୀବନ ପ୍ରେମକୁ ଜନ୍ମ ଦିଏ, ଆଉ ପ୍ରେମ ମଣିଷର ଭୌତିକ ଅସ୍ତିତ୍ୱକୁ ଅତିକ୍ରମ କରି ଚିରନ୍ତନ ହୋଇ
ରହିଥାଏ। ଯଦିଓ ଆମର ଶରୀର କ୍ଷଣସ୍ଥାୟୀ, ତଥାପି ଏହି ଶରୀର ଦ୍ୱାରା ଯଦି ଆମେ ଅନ୍ୟମାନଙ୍କର ମଙ୍ଗଳ ଓ କଲ୍ୟାଣ
ପାଇଁ କାର୍ଯ୍ୟ କରିଥାଉ, ତେବେ ଆମର ସତ୍କର୍ମ ଆମକୁ ଲୋକମାନଙ୍କ
ସ୍ମୃତିରେ ଚିରସ୍ଥାୟୀ କରିପାରେ।
ତେଣୁ, ଆସନ୍ତୁ! ଆମେ ନିଜର ପ୍ରକୃତ ଶକ୍ତିକୁ ଆବିଷ୍କାର କରିବା ଓ ବିକଶିତ କରିବା—ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର କରିବାର ଶକ୍ତିଭାବେ ନୁହେଁ, ବରଂ ନିଜକୁ ଜୟ କରିବା, ସତ୍ୟକୁ ଧାରଣ କରିବା, ମାନବତାର ସେବା କରିବା, ଶାନ୍ତିର ବାର୍ତ୍ତା ପ୍ରସାର କରିବା ଏବଂ ପ୍ରତିକୂଳତାକୁ ସୁଯୋଗରେ
ପରିଣତ କରି ଅନ୍ତର୍ନିହିତ ଶକ୍ତିର ବିକାଶ କରିବା ।
ହୁଏତ ଏହା ହିଁ
ବ୍ରହ୍ମାଣ୍ଡ ଆମକୁ ପ୍ରଦାନ କରିଥିବା ଏକ ମହାନ ଆଶୀର୍ବାଦ ଓ ଜୀବନର ସର୍ବଶ୍ରେଷ୍ଠ ପୁରସ୍କାର।
Comments
Post a Comment