Stay tuned to my blog - 'ସିଂହାସନ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

 

          

ସିଂହାସନ, ମର୍ଯ୍ୟାଦା ପ୍ରତିଫଳନର ମାଧ୍ୟମ । ଧର୍ମ ତଥା ନ୍ୟାୟର ପ୍ରତିଷ୍ଠା ନିମିତ୍ତ ଯେଉଁ ଦିବ୍ୟାତ୍ମାଗଣ ସିଂହାସନ ନିକଟରେ ନିଜକୁ ସମର୍ପଣ କରନ୍ତି, ସେମାନେ ହିଁ ସମ୍ଭବତଃ ମାନବୀୟ ମୂଲ୍ୟବୋଧକୁ ମୂଲ୍ୟାଙ୍କନ କରିବାରେ ସମର୍ଥ ହୁଅନ୍ତି। ସିଂହାସନକୁ ସାମର୍ଥ୍ୟର ପ୍ରତିରୂପ ବୋଲି ପ୍ରମାଣିତ କରନ୍ତି। ସମର୍ପଣ ବିନା ସାମର୍ଥ୍ୟକୁ ପ୍ରତିପାଦନ କରିହୁଏ ନାହିଁ। ତେଣୁ ତ ସେମାନେ ସର୍ବଦା ଏକତ୍ର ଗତିଶୀଳ।  ସେମାନଙ୍କର ଗତିଶୀଳତାରେ ସାମଞ୍ଜସ୍ୟ ପ୍ରତିପାଦିତ ନ ହେବା ପର୍ଯ୍ୟନ୍ତ ସିଂହାସନର ମର୍ଯ୍ୟାଦା ପ୍ରତିଫଳିତ ହୁଏନାହିଁ। ଯେଉଁ ବ୍ୟକ୍ତି ସ୍ୱକର୍ତ୍ତବ୍ୟକୁ ଏକ ସିଂହର ମାନସିକତା ନେଇ ସାହାସ ଓ ଧୈର୍ଯ୍ୟର ସହ ପାଳନ କରିପାରେ, ସେ ଯେକୌଣସି ଆସନରେ ଉପବେଶନ କଲେ ବି ତାହା  ସିଂହାସନରେ ପରିଣତ ହୁଏ । ତେବେ ଏ କର୍ତ୍ତବ୍ୟ ପାଳନ ବେଳେ ନିଜ ପ୍ରତି ତଥା ଅନ୍ୟ ପ୍ରତି ସମର୍ପିତ ହେବାର ସଂକଳ୍ପ ଅନିବାର୍ଯ୍ୟ ଅଟେ। କାରଣ ସଂକଳ୍ପ ବିନା ସମର୍ପଣ, ସମର୍ପଣ ବିନା ସାମର୍ଥ୍ୟ ଏବଂ ସଂକଳ୍ପ, ସମର୍ପଣ ଓ ସାମର୍ଥ୍ୟ ବିନା ସିଂହାସନ ମୂଲ୍ୟହୀନ ମନେହୁଏ । ତେଣୁ ଯେଉଁ ଦିବ୍ୟାତ୍ମାଗଣ ଏହି ତତ୍ତ୍ଵକୁ ହୃଦୟଙ୍ଗମ କରି ସିଂହାସନକୁ କର୍ତ୍ତବ୍ୟ ପାଳନର ଯଜ୍ଞବେଦୀ ରୂପେ ଜ୍ଞାନ କରନ୍ତି, ସେମାନେ ହିଁ ଆତ୍ମ-ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିପାରନ୍ତି;ଅନ୍ୟଥା ସିଂହାସନ ଉପରେ ଉପବିଷ୍ଟ ବ୍ୟକ୍ତିଗଣ ଆତ୍ମମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରି ଉପହାସିତ ହୁଅନ୍ତି । ତେଣୁ ଆସନ୍ତୁ , ଏଭଳି ଉପହାସିତ ହେବା ପୂର୍ବରୁ ସିଂହାସନ ପ୍ରତୀକ୍ଷାରେ ଥିବା ପ୍ରତିଟି ଆତ୍ମାଙ୍କୁ ସଂକଳ୍ପ, ସମର୍ପଣ ଓ ସାମର୍ଥ୍ୟର ସଂଜ୍ଞା ହୃଦୟଙ୍ଗମ କରିବା ପାଇଁ ନିବେଦନ କରିବା। କାରଣ ବେଳ ଥାଉ ଥାଉ ଭେଳା ନ ବନ୍ଧା ହେଲେ ମଝି ନଈରେ ଅକାତକାତ ଜଳରାଶିରେ ସଲିଳ ସମାଧି ହେବା ସାର ହେବ । ତେଣୁ ଆସନ୍ତୁ, ଜନାଶିଷକୁ ପୁଞ୍ଜି କରି ଜୀବନର ଅବଶିଷ୍ଟ ପଥକୁ ଅତିକ୍ରମ କରିବା ପାଇଁ ମାନବୀୟ ଗୁଣାବଳିରେ ନିଜକୁ ଭୂଷିତ କରିବା ଏବଂ ତାହା ହିଁ ହେବ ଆମ ଭବିଷ୍ୟତ ପାଇଁ ସ୍ଵର୍ଣ୍ଣିମ ସବୁଜକ୍ଷେତ୍ର ଏବଂ ସେହି କ୍ଷେତ୍ର ଉପରେ ହିଁ ଆମେ ଲେଖିପାରିବା ଆମ ସ୍ଵର୍ଣ୍ଣିମ ଇତିହାସ । ତା’ହେଲେ ଆଉ ବିଳମ୍ବ କାହିଁକି ? ଆମେ ପଛରେ ଛାଡ଼ି ଆସିଥିବା ମାନବସୁଲଭ ଗୁଣାବଳୀକୁ ପୁଣି ସାଉଁଣ୍ଟି ପାରିବା ।

Comments