Stay tuned to my blog - ' ଅପୂର୍ଣ୍ଣତା ହିଁ ଆଶିଷ' । ଅଧିକ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ଅପୂର୍ଣ୍ଣତା ହିଁ ସୌନ୍ଦର୍ଯ୍ୟର ଚାବିକାଠି । ଅପୂର୍ଣ୍ଣତା ହିଁ ଜୀବନକୁ ଛନ୍ଦମୟ କରି ଗଢ଼ିତୋଳେ। ମଣିଷ ଅପୂର୍ଣ୍ଣ ବୋଲି ତ ସଚେଷ୍ଟ। ଅପୂର୍ଣ୍ଣ ବୋଲି ତ ପ୍ରଗତିର ଧ୍ଵଜା ଧାରଣ କରି ସେ ଗତିଶୀଳ। ତେଣୁ ତ ସେ ପ୍ରତି ମୁହୂର୍ତ୍ତରେ ପ୍ରମାଣିତ କରିବାକୁ ଚାହେଁ -"ଯାତ୍ରା ହିଁ ଜୀବନର ଅନ୍ୟ ନାମ’’। ଅପୂର୍ଣ୍ଣତା ମଧ୍ୟରେ ସେ ତା ସନ୍ଧାନୀ ମନକୁ ନେଇ ସାଧନା ବଳରେ ଅସମ୍ଭବକୁ ସମ୍ଭବ କରିପାରେ। ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ପ୍ରକ୍ରିୟାକୁ ଆଗେଇ ନେଇପାରେ। କିନ୍ତୁ ପୂର୍ଣ୍ଣତା ? ପୂର୍ଣ୍ଣତା ତା’ ଜୀବନକୁ ସ୍ଥାଣୁ କରିଦିଏ। ସେ’ ପୂର୍ଣ୍ଣତାର ବନ୍ଧନ ମଧ୍ୟରେ ସ୍ଥାଣୁତ୍ଵକୁ ଆପଣେଇ ନେବାକୁ ବାଧ୍ୟ ହୁଏ। କାରଣ ଏ ବନ୍ଧନ ତା’ ମଧ୍ୟରେ ଯେଉଁ ସନ୍ତୋଷ ଭାବକୁ ଉତ୍ପନ୍ନ କରେ, ତାହା ବହୁ କ୍ଷେତ୍ରରେ ଅବାସ୍ତବ ମନେହୁଏ । ପ୍ରାପ୍ତିର ଦ୍ୟୋତକ ପୂର୍ଣ୍ଣତା ବୋଲି ଆମେ ଅନେକ ସମୟରେ ଗ୍ରହଣ କରିଥିଲେ ବି ସମୟର  ଆବର୍ତ୍ତନ ଓ ବିବର୍ତ୍ତନ ପ୍ରକ୍ରିୟାରେ ଏହା ବାରମ୍ବାର ଭୁଲ୍ ପ୍ରମାଣିତ ହୋଇଛି ଯେ, ପୂର୍ଣ୍ଣତା ମଣିଷ ପାଇଁ  ସନ୍ତୁଷ୍ଟି ନାଁରେ ପ୍ରଗତିର ପରିପନ୍ଥୀ ଅଟେ। ପୂର୍ଣ୍ଣତାକୁ ପ୍ରାପ୍ତ କରିଥିବା ମାନସିକତାକୁ ନେଇ ବଞ୍ଚୁଥିବା ମଣିଷମାନେ ସେମାନଙ୍କର ପୂର୍ଣ୍ଣତା ଜନିତ ବୌଦ୍ଧିକ ଚେତନାକୁ ବିତରଣ ନ କରି ଏକ ରୁଦ୍ଧ ପରିବେଶ ମଧ୍ୟରେ ' ଅହଂ ' କୁ ନେଇ ଅବସ୍ଥାନ କରୁଥିବା କାରଣରୁ ଏ ବିଶ୍ୱ ସମସ୍ୟା ମଧ୍ୟରେ ବୁଡ଼ି ରହେ। ଅନ୍ୟ ପକ୍ଷରେ ସମାଜର ତଥାକଥିତ ପୂର୍ଣ୍ଣ ମଣିଷମାନେ ଅପୂର୍ଣ୍ଣ ମଣିଷମାନଙ୍କୁ ଗ୍ରହଣ ନ କରି ସେମାନଙ୍କୁ ବୈମାତୃକ ମନୋଭାବ ନେଇ ଗ୍ରହଣ କରିଥିବା କାରଣରୁ ସେମାନେ ସମାଜର ପ୍ରକୃତ ଆଦର୍ଶ ହୋଇପାରନ୍ତି ନାହିଁ। ତେଣୁ ଆସନ୍ତୁ, ପୂର୍ଣ୍ଣତାକୁ ସନ୍ତୁଷ୍ଟିର ମାନଦଣ୍ଡ ବୋଲି ଗ୍ରହଣ ନ କରି ପ୍ରଗତିର ରଥକୁ ଆଗେଇ ନେବା ପାଇଁ ଅପୂର୍ଣ୍ଣତା ମଧ୍ୟରେ ହିଁ ବିଶ୍ଵକୁ ଆଗେଇ ନେବା ।  ଅପରିତୃପ୍ତ  ଦ୍ରବଣରେ ଦ୍ରାବ୍ୟ ମିଶିବା ଭଳି ଆମେ ଅପୂର୍ଣ୍ଣତା ମଧ୍ୟରେ ମିଶିଯାଇ ନୂତନ ତତ୍ତ୍ଵ ସନ୍ଧାନ କରିବା। ତାହା ହିଁ ସମ୍ଭବତଃ ଏ ସଂସ୍କୃତିକୁ ବିଶ୍ଵ ପ୍ରସାରି କରିପାରେ ଏବଂ ଅନାବିଷ୍କୃତକୁ ଆବିଷ୍କାର କରି ଏକ ନବ ଦିଗନ୍ତ ପ୍ରଦାନ କରିପାରେ ।  ତା’ ହେଲେ ଆଉ ବିଳମ୍ବ କାହିଁକି ...? 

Comments